Repair Work of Puri Ratna Bhandar: ରତ୍ନଭଣ୍ଡାରକୁ ପ୍ରବେଶ କଲା ASI, ପ୍ରଥମ ଦିନରେ ସରିଲା ଭାରାବନ୍ଧା

ପୁରୀ ଟ୍ରେଜେରିରୁ ଚାବି ଆସିଲା .. ଭାରା ବନ୍ଧା ହେଲା । ଆଗେ ଛଡ଼ାଯିବ ଚୂନ ପ୍ଲାଷ୍ଟର । ତାପରେ ଆରମ୍ଭ ହେବ ମରାମତି ।

Puri Ratna Bhandar

ପ୍ରତୀକ୍ଷାର ଅନ୍ତ, ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ । ASI ଟିମ୍ ଆଜି ଶ୍ରମିକଙ୍କୁ ଧରି ଭାରା ବନ୍ଧା କାମରୁ ସଂରକ୍ଷଣ କାମର ଶ୍ରୀଗଣେଶ କରିଛି । କାନ୍ଥରେ ଫାଟ ଓ ଚଟାଣର ଦୀର୍ଘସ୍ଥାୟୀ ମରାମତିକୁ ସଂସ୍ଥା ଗୁରୁତ୍ୱ ଦେଉଛି । ସେପଟେ ୩ ମାସ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଆଇନ ମନ୍ତ୍ରୀ ।

ମରାମତି ବେଳେ ଦର୍ଶନ ବ୍ୟବସ୍ଥାକୁ ନେଇ ଭକ୍ତ ଦ୍ୱନ୍ଦ୍ୱରେ ଥିବାବେଳେ ଏହି ସମୟରେ ବାହାର କାଠ ପାଖରୁ ଦର୍ଶନ ଚାଲିବ ବୋଲି ନୀତି ପ୍ରଶାସକ ସ୍ପଷ୍ଟ କରିଛନ୍ତି । ତେବେ କାଲି ଦିବାପହୁଡ ନୀତି ପାଇଁ କାମ ବନ୍ଦ ରହିବ ।

ପୁରୀ ଟ୍ରେଜେରିରୁ ଚାବି ଆସିଲା .. ଭାରା ବନ୍ଧା ହେଲା । ଆଗେ ଛଡ଼ାଯିବ ଚୂନ ପ୍ଲାଷ୍ଟର । ତାପରେ ଆରମ୍ଭ ହେବ ମରାମତି । ପୂର୍ବରୁ ସ୍ଥିରୀକୃତ ମାର୍ଗଦର୍ଶିକା ଅନୁସାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସଂରକ୍ଷଣ ଓ ମରାମତି ପାଇଁ ପ୍ରଥମ ଦିନରେ ୧୫ରୁ ୨୦ଜଣ ଶ୍ରମିକଙ୍କ ସହ ଭଣ୍ଡାର ଗୃହକୁ ପ୍ରବେଶ କରିଥିଲେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଟେକ୍ନିକାଲ ଟିମ୍ ।

ASI ଅଧୀକ୍ଷକ କହିଛନ୍ତି ଭାରା ବନ୍ଧାଯିବା ପରେ ପ୍ଲାଷ୍ଟର ସଫା କରାଯିବ, ତାପରେ କେଉଁଠି ନୂଆ ପଥର ଲାଗିବ, ସେ କାର୍ଯ୍ୟ ଆରମ୍ଭ ହେବ । କାନ୍ଥରେ ଭର୍ଟିକାଲ ବା ଭୂ-ଲମ୍ବ ଫାଟ ଥିବା ପୂର୍ବରୁ ଜଣା ପଡ଼ିସାରିଛି । ତାର ମରାମତି ସହ ଚଟାଣରେ ଗ୍ରାନାଇଟ୍ ଲଗାଯିବ । ଏଏସ୍ଆଇ କର୍ତ୍ତୃପକ୍ଷଙ୍କ ସହ ଛତିଶା ନିଯୋଗ ନାୟକ, ଶ୍ରୀମନ୍ଦିର ନୀତି ପ୍ରଶାସକ, ଭଣ୍ଡାର ମେକାପ, ତଢଉ କରଣ, ଦେଉଳକରଣ ଆଦିଙ୍କ ଉପସ୍ଥିତରେ ଖୋଲାଯାଇଥିଲା ମହାପ୍ରଭୁଙ୍କ ଅଳଙ୍କାର ଗୃହ ।

ଅଧିକ ପଢନ୍ତୁ: 'ପ୍ରଥମ ଦିନରେ ୧୫ରୁ ୨୦ ଶ୍ରମିକଙ୍କ ସହ ଟେକ୍ନିକାଲ ଟିମ୍ ରହିବେ'

ଯେହେତୁ ଏବେ ଠାକୁରଙ୍କ ପହିଲି ଭୋଗ ନୀତିଚାଲିଛି, ତାକୁ ଆଖିରେ ରଖି ଭୋଗ ମଣ୍ଡପ ଉଠିବା ପରେ ଦୈନିକ ୫ରୁ ୬ ଘଣ୍ଟା ଯାଏଁ ମରାମିତି କାର୍ଯ୍ୟ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛି ଏଏସଆଇ । ସେପଟେମ୍ବର ୨୧ ଓ ୨୨ରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଏବଂ ରାଜ୍ୟ ସରକାରଙ୍କ ଏସଓପି ଆଧାରରେ ଚାଲିବ ରତ୍ନଭଣ୍ଡାର ମରାମତି ।

ତେବେ ପୂର୍ବରୁ ଜୁଲାଇ ୧୪ ଓ ୧୮ରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ଅଳଙ୍କାର ସ୍ଥାନାନ୍ତରଣ ସହ ଅଗଷ୍ଟ ୨୩ରେ ସିନ୍ଦୁକ ସ୍ଥାନାନ୍ତରଣ ସମୟରେ ରତ୍ନଭଣ୍ଡାର ଭିତରକୁ ଯାଇ ସ୍ଥିତି ଦେଖିଥିବା ତଦାରଖ କମିଟିର ସଦସ୍ୟ ଦୁର୍ଗା ଦାସ ମହାପାତ୍ର କହିଛନ୍ତି- ଭଣ୍ଡାର ଘରର ସ୍ଥିତି ଭଲନହିଁ । କାନ୍ଥରେ ଫାଟ ସାଙ୍ଗକୁ ସନ୍ତସନ୍ତିଆ ଅଛି, ପଥର ଖସି ଚଟଣାରେ ପଡ଼ିଥିବା ଦେଖିଥିଲୁ ।

ତେଣୁ ଦୀର୍ଘସ୍ଥାୟୀ ମରାମତି କରାଯାଉ । ସେହିଭଳି ଭଣ୍ଡାର ମେକାପ ମଧ୍ୟ ମାନିଛନ୍ତି- ରତ୍ନଭଣ୍ଡାର ଗୁମୁଟର ପଥର ଦୁର୍ବଳ ଅଛି, ଶୀଘ୍ର ମରାମତି ସାରି ଅଳଙ୍କାର ସବୁକୁ ଯଥାସ୍ଥାନକୁ ନିଆଯାଉ । ସେପଟେ ଆଇନ ମନ୍ତ୍ରୀ କହିଛନ୍ତି ୩ ମାସ ଭିତରେ ରତ୍ନଭଣ୍ଡାର ମରାମତି ସାରିବାକୁ ଲକ୍ଷ୍ୟ ରଖାଯାଇଛି । ମରାମତି ପରେ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ ।

ସେପଟେ ରତ୍ନଭଣ୍ଡାର ମରାମତି ବେଳେ ଠାକୁରଙ୍କ ଦର୍ଶନରେ ଉପୁଜିବ କି ବାଧା ? ସାଧାରଣ ଭକ୍ତଙ୍କ ମନରେ ନାନା ପ୍ରଶ୍ନ ଉଠିଥିବାବେଳେ ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି- ମରାମତି କାମ ଯୋଗୁଁ ଶ୍ରୀଜୀଉଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହୁଏ କି ଶୃଙ୍ଖଳିତ ଦର୍ଶନରେ ସମସ୍ୟା ନହୁଏ, ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି । ମରାମତି ଚାଲୁଥିବା ବେଳେ କେବଳ ବାହାର କାଠ ନିକଟରୁ ଦର୍ଶନ ଚାଲିବ । ଏବେ ଅପେକ୍ଷା କେତେଶୀଘ୍ର ସରୁଛି ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଓ ଆରମ୍ଭ ହେଉଛି ଅଳଙ୍କାର ଗଣତି ମଣତି ।

ଅଧିକ ପଢନ୍ତୁ: ଅଟୋ ଚାଳକଙ୍କ ଉତ୍ପାତ ! ରାସ୍ତା ମଝିରେ ଅଟକାଉଛନ୍ତି ବାଇକ୍