ଗୁରୁବାର ଦିନ ଖୋଲିବ ରତ୍ନଭଣ୍ତାର, ଭକ୍ତଙ୍କ ପାଇଁ କଣ ରହିବ ଶ୍ରୀମନ୍ଦିର କଟକଣା

ଗୁରୁବାର ଦିନ ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରବେଶରେ କଣ ରହିବ କଟକଣା । ଅଧ୍ୟକ୍ଷ ଜଷ୍ଟିସ ରଥ ଏବଂ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ସୂଚନା ଦେଇଛନ୍ତି ।

Ratna Bhandar

ଗୁରୁବାର ଦିନ ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରବେଶ କଟକଣା ରହିବ । ଅଧ୍ୟକ୍ଷ ଜଷ୍ଟିସ ରଥ ଏବଂ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ସୂଚନା ଦେଇଛନ୍ତି। ସକାଳ ୯ଟା ପରେ କମିଟି ସଦସ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ପ୍ରାୟ ସକାଳ ୮ଟା ବେଳକୁ ମନ୍ଦିର ପ୍ରବେଶ କଟକଣା କରାଯିବ । ସେହି ସମୟରେ ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ କଟକଣା ରହିବ ବୋଲି କହିଛନ୍ତି ।

ସେହିପରି ତାଲା, ଚାବି ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ବାହାର ରତ୍ନଭଣ୍ଡାରର ୩ଟି ତାଲା ସେଦିନ ନିର୍ଦ୍ଧାରିତ ଚାବିରେ ଖୋଲିଥିଲା । ବାହାର ରତ୍ନଭଣ୍ଡାର ତାଲା ଫିଟିବା ପରେ ଭିତର ରତ୍ନଭଣ୍ଡାର ଦେଖିଥିଲୁ ବୋଲି କହିଛନ୍ତି । ସେଥିରେ ୩ଟି ତାଲା ପଡ଼ିଥିଲା ତେବେ ସେଗୁଡ଼ିକ ଟ୍ରେଜେରିରୁ ଆସିଥିବା ଚାବିରେ ଖୋଲିନଥିଲା ।

ଅଧିକ ପଢ଼ନ୍ତୁ: ଖୋଲିଲା ରତ୍ନଭଣ୍ତାର; ସ୍ଥିତିକୁ ନେଇ ଉତ୍କଣ୍ଠା, ମରାମତି ସବୁଠାରୁ ବଡ଼ ଚାଲେଞ୍ଜ

ଏସ୍‌ଓପି ଅନୁଯାୟୀ ୩ଟି ତାଲାକୁ ଭଙ୍ଗାଯାଇଥିଲା ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତାଲା ଭଙ୍ଗାଯିବା ପରେ କମିଟି ସଦସ୍ୟ ଭିତର ଭଣ୍ଡାରକୁ ପଶିଥିଲେ । ଭିତର ଭଣ୍ଡାରରେ କାନ୍ଥକୁ ଲାଗି ସିନ୍ଦୁକ, ଆଲମାରୀ ରହିଥିଲା । ତେବେ ସମୟ ଅଭାବରୁ ସେଦିନ ଆମେ ସିନ୍ଦୁକ, ଆଲମାରୀ ଖୋଲିନଥିଲୁ ବୋଲି ମଧ୍ୟ କହିଛନ୍ତି ।

ଆଉଦିନେ ଖୋଲିବାକୁ ନିଷ୍ପତ୍ତି ନେଇ ନୂଆ ତାଲା ପକାଇ ସିଲ୍‌ କରିଥିଲୁ । ୩ଟି ତାଲା ଭଙ୍ଗା ଯିବା ପରେ ହିଁ ୨ଟି ନୂଆ ତାଲା ପକାଇବା ସମ୍ଭବ ହେଲା ବୋଲି କହିଛନ୍ତି । ୨ଟି ନୂଆ ତାଲାର ଚାବି ଓ ଭଙ୍ଗାଯାଇଥିବା ତାଲା ଟ୍ରେଜେରୀ ଜିମା ଦିଆଯାଇଛି । ଗୁରୁବାର ଦିନ ଟ୍ରେଜେରୀରୁ ନୂଆ ତାଲାର ଚାବି ଆଣି ଖୋଲାଯିବ ବୋଲି କହିଛନ୍ତି ।

ସେପଟେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ । ଅସ୍ଥାୟୀ ରତ୍ନଭଣ୍ଡାର ‘ଖଟଶେଯ ଘର’କୁ ସ୍ଥାନାନ୍ତରଣ କରାଯିବ । ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାର ତାଲା ସିଲ୍‌ କରାଯିବ । ତାଲାକୁ ଜଉମୁଦ ସିଲ୍‌ କରାଯାଇ ଚାବି ଟ୍ରେଜେରୀରେ ରଖାଯିବ ।

ଅଧିକ ପଢ଼ନ୍ତୁ: ଘନଉଛି ରତ୍ନଭଣ୍ତାର ଚାବି ବିବାଦ; ଡୁପ୍ଲିକେଟ୍ ଚାବିରେ ଖୋଲିଲାନି ତାଲା! କାହିଁକି ନଥିଲା ଜଉମୁଦ?

ପୁଣି କେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ ଏନେଇ ନାନା ପ୍ରଶ୍ନ ଉଠୁଥିଲା । ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରତ୍ନଭଣ୍ଡାର ଖୋଲାଯିବା ସଂପର୍କରେ ତଦାରଖ କମିଟିର ବୈଠକରେ ବିଚାରବିମର୍ଶ ପରେ ଗୁରୁବାର ଖୋଲାଯିବା ନେଇ ନିଷ୍ପତ୍ତି ନିଆଗଲା । ବୈଠକରେ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଉପସ୍ଥିତ ଥିଲେ ।

ଗତ ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିଲା । ବାହାର ରତ୍ନଭଣ୍ଡାରରୁ ଅଳଙ୍କାରକୁ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର କରାଯାଇଛି । ସେଦିନ ଭିତର ରତ୍ନଭଣ୍ଡାର ତାଲା ଭଙ୍ଗାଯାଇଥିଲା । ଭିତର ଭଣ୍ଡାର ସିନ୍ଦୁକ ଓ ଆଲମାରୀରେ ଥିବା ଅଳଙ୍କାର ସବୁର ସ୍ଥାନାନ୍ତର ରଥଯାତ୍ରା ପରେ ଆଉ କୌଣସି ଏକ ଦିନ ହେବ ବୋଲି ନିଷ୍ପତ୍ତି ହୋଇଥିଲା ।