• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ରାଜଧାନୀରେ ମାତିଛନ୍ତି ବ୍ରୋକର ଦଲାଲ୍ । ଭୁବନେଶ୍ୱରରେ ତିନି ଦିନରେ ଦୁଇ ଦୁଇଟି ଘଟଣା ଭଡ଼ାଟିଆଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । କେତେବେଳେ ସେମାନେ ଅନ୍ୟ ଘରକୁ ଅନଲାଇନରେ ବିଜ୍ଞାପନ ଦେଇ ତ କେତେବେଳେ ନିଜେ ମାଲିକ ସାଜି ଗୋଟିଏ ଘରକୁ ଏକାଧିକ ଲୋକଙ୍କୁ ଦେଖାଇ ହଜାର ହଜାର ଟଙ୍କାର ଚୂନ ଲଗାଇ ଫେରାର ହେଉଛନ୍ତି । ଆଜି ପୁଣି ଜଣେ ଉଚ୍ଚଶିକ୍ଷିତା ଯୁବତୀ ଠକଙ୍କ ହାବୁଡ଼ରେ ପଡ଼ିଛନ୍ତି । 

ଭୁବନେଶ୍ୱରରେ ଘର ଭଡା ନେବାକୁ ଭୟ ଲାଗୁଛି । ଘର ଖୋଜି ଖୋଜି ଠକଙ୍କ ହାବୁଡ଼ରେ ପଡୁଛନ୍ତି । ଘର ଦେବା ନାଁରେ ଠକି ନେଉଛନ୍ତି ଟଙ୍କା । ଅନଲାଇନ ହେଉ କି ଅଫଲାଇନ୍ ସବୁ ଫୋରମରେ ଦଲାଲ ସକ୍ରିୟ। ରାଜଧାନୀରେ ଦୁଇ ଦୁଇଟି ଘଟଣା ଘର ଭଡ଼ା ଖୋଜୁଥିବା ଲୋକଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । ଉଚ୍ଚଶିକ୍ଷିତା ହୋଇ ମଧ୍ୟ ଠକାମୀର ଶୀକାର ହୋଇଛନ୍ତି ଲୋପିତା ଦାସ ନାମକ ଜଣେ ଯୁବତୀ । ଏକ ସୋସିଆଲ ସାଇଟକୁ ଯାଇ ସେ ଭଡାଘର ଖୋଜୁଥିଲେ। ଏତିକିବେଳେ ଜାଲ ପକାଇ ବସିଥିବା ଠକଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ ।

ପସନ୍ଦ ହୋଇଥିବା ଘର ବୁକିଂ ପାଇଁ ଅଗ୍ରିମ ଟଙ୍କା ମାଗି ନେଇଥିଲେ ଦଲାଲ । ହେଲେ ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇନଥିଲେ । କେବଳ ଲୋପିତା ନୁହଁନ୍ତି ଦୁଇ ଦିନ ତଳେ ଝାଡ଼ଖଣ୍ଡର ଶିଖାଗୁପ୍ତା ମଧ୍ୟ ସମାନ ଧରଣର ଠକେଇର ଶିକାର ହୋଇଥିଲେ। ଭୁବନେଶ୍ୱରରେ ଏକ ସଫ୍ଟୱେର କମ୍ପାନୀରେ କାର୍ଯ୍ୟରତ ଶିଖାଗୁପ୍ତା ଘର ଖୋଜୁ ଖୋଜୁ ଠକଙ୍କ ହାବୁଡ଼ରେ ପଡ଼ିଥିଲେ । ଆଉ ମାସକର ଆଡଭାନ୍ସ ଆକାରରେ ୧୧ ହଜାର ଟଙ୍କା ନେଇ ଫେରାର ମାରିଥିଲେ ଠକ । ଏନେଇ ମୈତ୍ରୀବିହାର ଥାନାରେ ସେ ଏତଲା ମଧ୍ୟ ଦାୟର କରିଛନ୍ତି ।

 
ରାଜଧାନୀରେ ପ୍ରତ୍ୟେକ ଦିନ ଏଭଳି ଅନେକ ଲୋକ ଠକେଇର ଶିକାର ହେଉଛନ୍ତି । କେଉଁଠି ଦଲାଲ ଘର ଦେଖାଇ ଦେବାକୁ କହି ଟଙ୍କା ନେଇ ଫେରାର ହୋଇଯାଉଛି ତ ପୁଣି କେଉଁଠି ଘର ଦେଖାଇବା ପରେ ଏକାଧିକ ଲୋକଙ୍କ ଠାରୁ ଆଡଭାନ୍ସ ନେଇ ଯାଉଛନ୍ତି । ଏପରିକି ଟୁଲେଟ ମାରୁଥିବା ଘର ମାଲିକ ମଧ୍ୟ ଏହି ଦଲାଲ ମାନଙ୍କର ଠକେଇର ଶିକାର ହେଉଛନ୍ତି । ସମସ୍ତେ ଏଥିପ୍ରତି ସଚେତନ ହେବା ଆବଶ୍ୟକ । ଭୁବନେଶ୍ୱରର ପରିସୀମା ବଢିବା ସହ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଲୋକ ରାଜଧାନୀକୁ ଆସୁଛନ୍ତି । ହେଲେ ଏବେ ସୁଦ୍ଧା ଅନ୍ୟ ମେଟ୍ରୋ ସିଟି ଭଳି ଲାଗୁ ହୋଇପାରିନି ଘରଭଡା ନିୟମ ।

  • Reported by:
  • CHANDAN PAIKRAY

OTV is now on Whatsapp

Join and get latest news update delivered to you via whatsapp

Join Now