/odishatv-khabar/media/post_attachments/uploadimage/library/16_9/16_9_0/FMMCH_1724509877.jpg)
FMMCH
କୋଲକାତା ଆରଜି କର ହସ୍ପିଟାଲରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଏବେ ସାରା ଦେଶରେ ହସ୍ପିଟାଲ ଗୁଡ଼ିକରେ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ରାତିରେ କାମ କରୁଥିବା ହସ୍ପିଟାଲର ମହିଳା କର୍ମଚାରୀ, ଡାକ୍ତର, ଏମିତିକି ରୋଗୀ ଓ ତାଙ୍କ ସମ୍ପର୍କୀୟ କେତେ ସୁରକ୍ଷିତ । ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଏବଂ ଫକୀରମୋହନ ମେଡ଼ିକାଲ କଲେଜ୍ ଓ ହସ୍ପିଟାଲ ସ୍ଥିତି ପରଖିବାକୁ ରାତି ୧୨ଟା ବେଳେ ଗ୍ରାଉଣ୍ଡରେ ରିଆଲିଟି ଚେକ୍ କରିଛି ଓଟିଭି ।
ସମୟ ରାତି ୧୨ଟା । ଶୁନଶାନ୍ ରାସ୍ତା । ଚାରିଆଡେ ଘନ ଅନ୍ଧକାର । ଆଉ ଅନ୍ଧାରର କିଛି ହାତ ଦୂରରେ ଉତ୍ତର ଓଡ଼ିଶାର ପ୍ରମୁଖ ମେଡିକାଲ ଫକୀର ମୋହନ ମେଡ଼ିକାଲ କଲେଜ୍ ଓ ହସ୍ପିଟାଲ । ବାଟରେ ହସ୍ପିଟାଲକୁ ଯିବା ପାଇଁ ହୋର୍ଡିଂ ତ ଲାଗିଛି, ହେଲେ ପ୍ରବେଶପଥ ସମ୍ପୂର୍ଣ୍ଣ ଅନ୍ଧାର । ହସ୍ପିଟାଲ ପହଞ୍ଚି ସେଠାରେ ସ୍ଥିତି ଦେଖୁ ଦେଖୁ ଜଣାପଡିଲା ଏଠି କେତେ ସୁରକ୍ଷିତ ହସ୍ପିଟାଲ କର୍ମଚାରୀ, ରୋଗୀ ଓ ସେମାନଙ୍କ ସଂପର୍କୀୟ । ଭିତରେ ପ୍ରବେଶ ପରେ ଜାଣିବାକୁ ମିଳିଲା ପୁରା ମେଡିକାଲର ସୁରକ୍ଷା ଦାୟିତ୍ୱରେ ଅଛନ୍ତି ମାତ୍ର ୫ ଜଣ ସିକ୍ୟୁରିଟି ଗାର୍ଡ ।
ଏମିତିକି ଅନେକ ସିସିଟିଭି ଏଠି ଅଚଳ । ରୋଗୀଙ୍କ ସୁରକ୍ଷାକୁ ଛାଡ଼ି ଗାଡ଼ି ଚୋରି ହୋଇଯିବା ଭୟରେ ରୋଗୀଙ୍କ ସମ୍ପର୍କୀୟ ତଳେ ଚାହିଁ ବସିଛନ୍ତି । ଫକୀର ମୋହନ ମେଡ଼ିକାଲ କଲେଜ୍ ଓ ହସ୍ପିଟାଲ ପରେ ଆମ ଟିମ୍ ପହଞ୍ଚିଥିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ସେହି ସମାନ ଅବସ୍ଥା, ସମାନ ସ୍ଥିତି । ହସ୍ପିଟାଲ ପରିସରରେ ପୋଲିସ ଫାଣ୍ଡି ଅଛି ସତ, କିନ୍ତୁ କେହି ଅଧିକାରୀ ନାହାନ୍ତି । ଆଉ ଏଭଳି ସ୍ଥିତିରେ ଉଭୟ ସ୍ଥାନରେ କାର୍ଯ୍ୟରତ ଥିବା ଡ଼ାକ୍ତର ମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ।
କୋଲକାତା ଘଟଣା ସମସ୍ତଙ୍କୁ ତାଜୁବ କରିଥିବା ବେଳେ ଅନ୍ୟ ଡାକ୍ତରଖାନା ମାନଙ୍କରେ ସୁରକ୍ଷାକୁ ନେଇ ଉଠୁଛି ପ୍ରଶ୍ନ । ଏଭଳି ସ୍ଥିତିରେ ମେଡ଼ିକାଲରେ ସୁରକ୍ଷାର ଅଭାବ ପାଇଁ ମହିଳା ଡ଼ାକ୍ତର ଓ ହସ୍ପିଟାଲ କର୍ମଚାରୀ ଭୟଭୀତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)