• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ରେଭେନ୍ସାର ନାଁ ପରିବର୍ତ୍ତନ ହେବା ଆବଶ୍ୟକ । ନାମ ପରିବର୍ତ୍ତନ ପାଇଁ ଏବେ ମୁଁ ନୁହେଁ ୧୯୪୯ ମସିହାରୁ ଦାବି ହୋଇ ଆସୁଛି । ରେଭେନ୍ସା ନାଁ ପରିବର୍ତ୍ତନ ଏକ ବହୁ ଦିନର ଦାବି । ନଅଙ୍କ ଦୁର୍ଭିକ୍ଷ ସମୟରେ ଥୋମାସ ରେଭେନ୍ସାଙ୍କ ଭୂମିକା ନେଇ ଭୁବନେଶ୍ୱରରେ ଏକ ଆଲୋଚନା ଚକ୍ରରେ ଯୋଗ ଦେଇ ଏହା କହିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ଭର୍ତ୍ତୃହରି କହିଛନ୍ତି, ୧୯୪୯ ମସିହାରେ ବୃହତ୍ତର ଓଡିଶା ଗଠନ ପରଠୁ ବିଭିନ୍ନ ସମୟରେ ଛାତ୍ରମାନେ ମଧ୍ୟ ଆନ୍ଦୋଳନ କରିଛନ୍ତି ଓ ତାଙ୍କୁ ରାଜନେତା ମଧ୍ୟ ସମର୍ଥନ ଦେଇଛନ୍ତି । 

ବିଧାନସଭାରେ ବି ତତ୍କାଳୀନ ଶିକ୍ଷାମନ୍ତ୍ରୀ ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କ ସମୟରେ ନାଁ ପରିବର୍ତ୍ତନ ପାଇଁ ଚର୍ଚ୍ଚା ହୋଇଛି । ଓଡ଼ିଆ ଲୋକ ଓ ଓଡ଼ିଆ ଜାତିର ଅନୁଦାନରେ ତିଆରି ହୋଇଥିବା ଅନୁଷ୍ଠାନ କାହିଁକି ଜଣେ ଇଂରେଜଙ୍କ ନାଁରେ ରହିବ ବୋଲି ଭର୍ତ୍ତୃହରି ମତ ରଖିବା ସହ ଓଡିଶା ବାହାରେ କୌଣସି ଓଡ଼ିଆ ଲୋକଙ୍କ ନାଁରେ ଅନୁଷ୍ଠାନ ଅଛି କି ବୋଲି ପ୍ରଶ୍ନ କରିଥିଲେ । ତେଣୁ ରେଭେନ୍ସାର ନାଁ ପରିବର୍ତ୍ତନ କଲେ ବିଶେଷ କିଛି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ଭର୍ତ୍ତୃହରି ।

ସେପଟେ ରେଭେନ୍ସା ବିବାଦ ନେଇ ଆଲୋଚନା ଚକ୍ରରେ ବିଶିଷ୍ଟ ସାହିତ୍ୟକ ଲେଖକ ହରପ୍ରସାଦ ଦାସ ବଡ ବୟାନ ଦେଇଛନ୍ତି । କହିଛନ୍ତି, ରେଭେନ୍ସା ନାମ ବଦଳୁ, ସରକାର ଚାହିଁଲେ ବଦଳାଇ ପାରିବେ । ଆମ ଜାତିରେ ଜଣେ ଲୋକ କପିଳେନ୍ଦ୍ର ଦେବ ଯାହାକୁ ଆମେ କୌଣସି ଶ୍ରେୟ ଦେଇନୁ । ଆମେ କୃତଘ୍ନ, ଯିଏ ପ୍ରଥମ ଓଡିଶା ଆଉ ଓଡ଼ିଆକୁ ପରିଚୟ ଦେଇଥିଲେ । ଗଜପତି କପିଳେନ୍ଦ୍ର ଦେବଙ୍କ ନାଁରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟକୁ ନାମିତ କରାଯାଉ । ଦେଶରେ ଏମିତି କୌଣସି ଅନୁଷ୍ଠାନ ନାହିଁ, ଯାହା ନାମ କଲୋନିଆଲ ନାମରେ ଅଛି । ଏବେ ଡି କଲୋନାଲିଜିୟମ ତଥା ଉପନିବେଶ ମୁକ୍ତର ଆବଶ୍ୟକତା ଅଛି ।

ସୂଚନାଯୋଗ୍ୟ ଯେ, ବ୍ରିଟିଶ ଅଧିକାରୀଙ୍କ ନାଁରେ ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ରହିଥିବାରୁ ନାମ ପରିବର୍ତ୍ତନ ସପକ୍ଷରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମତକୁ ନେଇ ବିବାଦ ତେଜିବାରେ ଲାଗିଛି । ୧୮୬୮ରେ କଟକରେ ସ୍ଥାପିତ ରେଭେନ୍ସା କଲେଜ ନାମିତ ହୋଇଥିଲା ତତ୍କାଳୀନ ବ୍ରିଟିଶ କମିଶନର ଥୋମାସ୍ ଏଡୱାର୍ଡ ରେଭେନ୍ସାଙ୍କ ନାଁ ଅନୁସାରେ । ଇଏ ସେଇ ଟି.ଇ. ରେଭେନ୍ସା, ଯାହାଙ୍କ ସମୟରେ ୧୮୬୬ରେ ଓଡ଼ିଶାରେ ପଡ଼ିଥିଲା କୁଖ୍ୟାତ ୯ ଅଙ୍କ ଦୁର୍ଭିକ୍ଷ ।

ତେବେ ଯେଉଁମାନେ ଓଡ଼ିଆଙ୍କୁ କଷ୍ଟ ଦେବାରେ ସହାୟକ ହେଲେ, ସେମାନଙ୍କ ନାଁରେ ଅଗ୍ରଣୀ ଶିକ୍ଷାନୁଷ୍ଠାନକୁ ନାମିତ କରିବା ଗୌରବର ବିଷୟ କି ବୋଲି ପଚାରିଥିଲେ ଧର୍ମେନ୍ଦ୍ର । ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି । ଯେଉଁ ରେଭେନ୍ସାଙ୍କ ନାଁରେ ଏହା ହୋଇଛି, ତାଙ୍କ ଭୂମିକା କ’ଣ ଥିଲା । ନଅଙ୍କ ଦୁର୍ଭିକ୍ଷ ହୋଇଥିଲା କାହିଁକି, ସେତେବେଳେ ସେହି ସମୟର ଅଧିକାରୀମାନେ କରୁଥିଲେ କ’ଣ ବୋଲି ସେ ପ୍ରଶ୍ନ ଉଠାଇଥିଲେ । ତେବେ କେନ୍ଦ୍ରମନ୍ତ୍ରୀ ଏହାମଧ୍ୟ କହିଥିଲେ ଯେ ଏହା ତାଙ୍କର ବ୍ୟକ୍ତିଗତ ମତ, ଏହା ଉପରେ ବିତର୍କର ଆବଶ୍ୟକତା ରହିଛି ।

ଅନ୍ୟପକ୍ଷରେ ରେଭେନ୍ସା ନାମ ପରିବର୍ତ୍ତନ ମତକୁ ବିରୋଧ କରିଥିଲେ, ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଛାତ୍ର, ପୂର୍ବ ପ୍ରଧ୍ୟାପକ ଏବଂ ଶିକ୍ଷାବିତ୍ । କହିଥିଲେ, ରେଭେନ୍ସା କେବଳ ଗୋଟିଏ ନାଁ ନୁହେଁ, ଏହା ଗୋଟିଏ ଐତିହ୍ୟ, ପରଂପରା ଓ ଜୀବନର ଧାରା । ଏହାର ନାଁ ବଦଳାଇବା ବିକୃତ ହେବ ଏବଂ ରେଭେନ୍ସାଭିଆନଙ୍କ ମାନସିକତାକୁ ଆଘାତ ହେବ । ବ୍ରିଟିଶ ଅଧିକାରୀ ହେବା ସତ୍ତ୍ବେ, ଓଡ଼ିଶାରେ ଶିକ୍ଷାର ପ୍ରସାର କ୍ଷେତ୍ରରେ ରେଭେନ୍ସାଙ୍କର ଯଥେଷ୍ଟ ଅବଦାନ ଥିଲା । ରେଭେନ୍ସା ଛାତ୍ରଛାତ୍ରୀମାନେ ମଧ୍ୟ ଏନେଇ ମତ ରଖିଥିଲେ ।

ଓଡ଼ିଶାରେ ସ୍କୁଲ ପରେ ଉଚ୍ଚଶିକ୍ଷା ସୁବିଧା ନ ଥିବାରୁ, ୧୮୬୮ରେ କଟକ ଜିଲ୍ଲା ସ୍କୁଲ ରାଜ୍ୟର ପ୍ରଥମ କଲେଜ ଭାବେ ମାନ୍ୟତା ପାଇଥିଲା। ନାମିତ ହୋଇଥିଲା ରେଭେନ୍ସାଙ୍କ ନାଁ ଅନୁସାରେ । ୨୦୦୬ରେ ଏହାକୁ ମିଳିଥିଲା ବିଶ୍ୱବିଦ୍ୟାଳୟ ମାନ୍ୟତା ।

 

OTV is now on Whatsapp

Join and get latest news update delivered to you via whatsapp

Join Now