ରେଭେନ୍ସା ନାମ ପରିବର୍ତ୍ତନ ହେବା ଦରକାର ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ନେଇ ସରଗରମ ରାଜନୀତି। ବିଶ୍ବବିଦ୍ୟାଳୟ ନାଁକୁ ନେଇ ରାଜନୀତି, ବ୍ରିଟିଶ ଅଫିସର ଥୋମାସ୍ ଏଡୱାର୍ଡ ରେଭେନସାଙ୍କ ଭୂମିକାକୁ ନେଇ ରାଜନୀତି। ବିଜେଡି ଏହାକୁ କଡ଼ା ସମାଲୋଚନା କରିଥିବା ବେଳେ, ବିଜେପି ବି ରଖିଛି ଜବାବ। ଏସବୁ ଭିତରେ ରେଭେନ୍ସା ଗୋଟିଏ ନାଁ ନୁହେଁ, ବରଂ ଗୋଟିଏ ଇମୋସନ ବୋଲି ଯୁକ୍ତି ଦର୍ଶାଇ, ଧର୍ମେନ୍ଦ୍ରଙ୍କ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟର ବିଭିନ୍ନ ଛାତ୍ରସଂଘ ଏବଂ ବହୁ ପ୍ରାକ୍ତନ ଛାତ୍ର। ।
ତେଜିଲା ବିରୋଧ, ଜୋର୍ ଧରିଲା ରାଜନୀତି । ଆହୁରି ଘନେଇଲା 'ରେଭେନ୍ସା' ଝଡ଼ । ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ମୁହାଁମୁହିଁ ବିଜେଡି ଓ ବିଜେପି । ରେଭେନ୍ସା ନାମ ପରିବର୍ତ୍ତନ ହେବା ଦରକାର ବୋଲି ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ରଖିବା ପରେ, ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି।
Also Read
ସେମିତି କଂଗ୍ରେସ ବି ରେଭେନ୍ସା ନାମ ପରିବର୍ତ୍ତନ ମନ୍ତବ୍ୟକୁ ବିରୋଧ କରିବା ସହିତ, ଏହାକୁ ସେଣ୍ଟ୍ରାଲ ୟୁନିଭର୍ସିଟି ମାନ୍ୟତା ଦେବାକୁ ଦାବି ରଖିଛି । ଅନ୍ୟପକ୍ଷରେ ବିଜେପି ମଧ୍ୟ ପ୍ରେସମିଟ୍ କରି ଟି.ଇ. ରେଭେନ୍ସାଙ୍କୁ ନରହନ୍ତା ବ୍ରିଟିଶ ଅଫିସର ବୋଲି କହିବା ସହିତ, ତାଙ୍କ ସପକ୍ଷରେ ବିଜେଡି ବାହାରିବାକୁ କଡ଼ା ଭାଷାରେ ନିନ୍ଦା କରିଛି । ମୁଖପାତ୍ର ଅନୀଲ ବିଶ୍ବାଳ କହିଛନ୍ତି, ଟି.ଇ. ରେଭେନ୍ସା ଓଡ଼ିଆମାନେ ଅଳସୁଆ ହୋଇଥିବାରୁ ଦୁର୍ଭିକ୍ଷ ହେଲା ବୋଲି କହିଥିଲେ । ଏକଥା ଜେ.ପି. ଦାସଙ୍କ ଲିଖିତ ଇତିହାସ ପୁସ୍ତକ 'ଦେଶ-କାଳ-ପାତ୍ର'ରେ ଉଲ୍ଲେଖ ରହିଛି। ବିଜେଡି ପୂର୍ବରୁ ଅଣଓଡ଼ିଆ ଅଫିସରଙ୍କ ପାଇଁ ଯୁକ୍ତି ବାଢ଼ୁଥିଲା, ଏବେ ସବୁସୀମା ଡେଇଁ ବ୍ରିଟିଶ ଅଫିସରଙ୍କ ପାଇଁ ଯୁକ୍ତି ବାଢ଼ୁଛି । ତେଣୁ ସେମାନେ ବରଂ କ୍ଷମା ମାଗିବା ଦରକାର ବୋଲି ବିଜେପି ଦାବି କରିଛି।
ସେପଟେ ରେଭେନ୍ସା ନାମ ପରିବର୍ତ୍ତନ ମନ୍ତବ୍ୟକୁ ନେଇ ରେଭେନ୍ସାଭିଆନଙ୍କ ମଧ୍ୟରେ ତେଜିଛି ଅସନ୍ତୋଷ। ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ବିଭିନ୍ନ ଛାତ୍ର ସଂଗଠନଓ ପ୍ରାକ୍ତନ ଛାତ୍ର। କହିଛନ୍ତି, ରେଭେନ୍ସା କେବଳ ଗୋଟିଏ ନାଁ ନୁହେଁ, ଏହା ଗୋଟିଏ ଭାବାବେଗ। ସେପଟେ ଏହି ପ୍ରସଙ୍ଗରେ ଚର୍ଚ୍ଚା ଆବଶ୍ୟକ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ତେବେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହାକୁ ଧର୍ମେନ୍ଦ୍ରଙ୍କ ବ୍ୟକ୍ତିଗତ ମତ କହି କଥାକୁ ଟାଳିଦେଇଛନ୍ତି।
ସୂଚନା ଅନୁସାରେ, କଲିକତା ପ୍ରେସିଡେନ୍ସି ଅଧୀନରେ ଥିବା ଓଡ଼ିଶାରେ ୧୮୬୫ରୁ ୧୮୭୮ ମସିହା ଯାଏଁ ଅଫିସିଏଟିଂ କମିଶନର ଥିଲେ ଥୋମାସ ଏଡୱାର୍ଡ ରେଭେନ୍ସା। ସେ ଦାୟିତ୍ବ ନେବାର ପରବର୍ଷ ଅର୍ଥାତ୍ ୧୮୬୬ରେ ପଡ଼ିଥିଲା ୯ ଅଙ୍କ ଦୁର୍ଭିକ୍ଷ, ଯେଉଁଥିରେ ପ୍ରାଣ ହରାଇଥିଲେ ପ୍ରାୟ ୩୦ ଲକ୍ଷ ଓଡ଼ିଆ। ଏହାର ୨ବର୍ଷ ପରେ ୧୮୬୮ ମସିହାରେ ଓଡ଼ିଶାରେ ଉଚ୍ଚଶିକ୍ଷା ସୁଯୋଗ ପାଇଁ, କଟକ ଜିଲ୍ଲା ସ୍କୁଲ ବନିଥିଲା ରାଜ୍ୟର ପ୍ରଥମ କଲେଜ୍। ସେତେବେଳେ ଏହାର ନାଁ କଟକ କଲେଜ ଥିବା ବେଳେ, ପରେ ରେଭେନ୍ସାଙ୍କ ନାଁ ଅନୁସାରେ ନାମିତ ହୋଇଥିଲା। ତେବେ ଉଭୟ ଘଟଣାରେ ରେଭେନ୍ସାଙ୍କ ଭୂମିକା ଓ ଯୋଗଦାନକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିବା ବେଳେ, ବୁଦ୍ଧିଜୀବୀ କହିଛନ୍ତି- କଟକରେ ରେଭେନ୍ସାଙ୍କ ନାଁରେ କେବଳ ବିଶ୍ବବିଦ୍ୟାଳୟ ନୁହେଁ, କଲେଜିଏଟ୍ ସ୍କୁଲ ଏବଂ ଗାର୍ଲସ ସ୍କୁଲ ମଧ୍ୟ ରହିଛି । ତେଣୁ କେବଳ ନାଁ ବଦଳାଇଲେ କିଛି ଲାଭ ହେବ ନାହିଁ। ବରଂ ରେଭେନ୍ସାର ଶିକ୍ଷା ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ନିଆଯାଉ।