• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବଦଳିବା ଦରକାର କି ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ? ଓଡ଼ିଆ ଅସ୍ମିତାକୁ ଆହତ କରୁଛି କି ବ୍ରିଟିଶ ଅଧିକାରୀଙ୍କ ନାଁ ? କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମତକୁ ନେଇ ତେଜିଲା ବିବାଦ । ରେଭେନ୍ସା। ଓଡ଼ିଶାରେ ଉଚ୍ଚଶିକ୍ଷାର ଅନ୍ତୁଡ଼ିଶାଳ । ୧୮୬୮ରେ କଟକରେ ସ୍ଥାପିତ ରେଭେନ୍ସା କଲେଜ ନାମିତ ହୋଇଥିଲା ତତ୍କାଳୀନ ବ୍ରିଟିଶ କମିଶନର ଥୋମାସ୍ ଏଡୱାର୍ଡ ରେଭେନ୍ସାଙ୍କ ନାଁ ଅନୁସାରେ । ଇଏ ସେଇ ଟି.ଇ. ରେଭେନ୍ସା, ଯାହାଙ୍କ ସମୟରେ ୧୮୬୬ରେ ଓଡ଼ିଶାରେ ପଡ଼ିଥିଲା କୁଖ୍ୟାତ ୯ ଅଙ୍କ ଦୁର୍ଭିକ୍ଷ ।

ତେବେ ଯେଉଁମାନେ ଓଡ଼ିଆଙ୍କୁ କଷ୍ଟ ଦେବାରେ ସହାୟକ ହେଲେ, ସେମାନଙ୍କ ନାଁରେ ଅଗ୍ରଣୀ ଶିକ୍ଷାନୁଷ୍ଠାନକୁ ନାମିତ କରିବା ଗୌରବର ବିଷୟ କି ବୋଲି ପଚାରିଛନ୍ତି ଧର୍ମେନ୍ଦ୍ର । ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି । ଯେଉଁ ରେଭେନ୍ସାଙ୍କ ନାଁରେ ଏହା ହୋଇଛି, ତାଙ୍କ ଭୂମିକା କ’ଣ ଥିଲା । ନଅଙ୍କ ଦୁର୍ଭିକ୍ଷ ହୋଇଥିଲା କାହିଁକି, ସେତେବେଳେ ସେହି ସମୟର ଅଧିକାରୀମାନେ କରୁଥିଲେ କ’ଣ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ଏହା ତାଙ୍କ ବ୍ୟକ୍ତିଗତ ମତ, ଏହା ଉପରେ ବିତର୍କର ଆବଶ୍ୟକତା ରହିଛି ।

ଅନ୍ୟପକ୍ଷରେ ରେଭେନ୍ସା ନାମ ପରିବର୍ତ୍ତନ ମତକୁ ବିରୋଧ କରିଛନ୍ତି, ତାହାର ପ୍ରାକ୍ତନ ଛାତ୍ର, ପୂର୍ବ ପ୍ରଧ୍ୟାପକ ଏବଂ ଶିକ୍ଷାବିତ୍ । କହିଛନ୍ତି, ରେଭେନ୍ସା କେବଳ ଗୋଟିଏ ନାଁ ନୁହେଁ। ଏହା ଗୋଟିଏ ଐତିହ୍ୟ... ପରଂପରା... ଜୀବନର ଧାରା। ଏହାର ନାଁ ବଦଳାଇବା ବିକୃତ ହେବ ଏବଂ ରେଭେନ୍ସାଭିଆନଙ୍କ ମାନସିକତାକୁ ଆଘାତ ହେବ । ବ୍ରିଟିଶ ଅଧିକାରୀ ହେବା ସତ୍ତ୍ବେ, ଓଡ଼ିଶାରେ ଶିକ୍ଷାର ପ୍ରସାର କ୍ଷେତ୍ରରେ ରେଭେନ୍ସାଙ୍କର ଯଥେଷ୍ଟ ଅବଦାନ ଥିଲା। ରେଭେନ୍ସା ଛାତ୍ରଛାତ୍ରୀମାନେ ମଧ୍ୟ ଏନେଇ ମତ ରଖିଛନ୍ତି ।

ଓଡ଼ିଶାରେ ସ୍କୁଲ ପରେ ଉଚ୍ଚଶିକ୍ଷା ସୁବିଧା ନ ଥିବାରୁ, ୧୮୬୮ରେ କଟକ ଜିଲ୍ଲା ସ୍କୁଲ ରାଜ୍ୟର ପ୍ରଥମ କଲେଜ ଭାବେ ମାନ୍ୟତା ପାଇଥିଲା। ନାମିତ ହୋଇଥିଲା ରେଭେନ୍ସାଙ୍କ ନାଁ ଅନୁସାରେ । ୨୦୦୬ରେ ଏହାକୁ ମିଳିଥିଲା ବିଶ୍ବବିଦ୍ୟାଳୟ ମାନ୍ୟତା ।

  • Reported by:
  • PRAVAT BISOI , DEBASHISH MOHANTY , BIBARTAN PANDA

OTV is now on Whatsapp

Join and get latest news update delivered to you via whatsapp

Join Now