Ratna Bhandar GPR Survey Report: ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍ ସର୍ଭେ ରିପୋର୍ଟ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ୪୫ ପୃଷ୍ଠାର ରିପୋର୍ଟ ହସ୍ତଗତ ହୋଇଛି । ଏହାପରେ ଆମେ ASI ସହ ଆଲୋଚନା କରିବୁ । ତୁରନ୍ତ ରତ୍ନଭଣ୍ଡାର ମରାମତି ପାଇଁ ASIକୁ ଅନୁରୋଧ କରିଛୁ ।

ଆସିଲା ରତ୍ନଭଣ୍ଡାର ସର୍ଭେ ରିପୋର୍ଟ

ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍ ସର୍ଭେ ରିପୋର୍ଟ । ଶ୍ରୀମନ୍ଦିର ପ୍ରଶାସନର ଏହି ରିପୋର୍ଟ ହସ୍ତଗତ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ । ଏଏସଆଇ ପକ୍ଷରୁ ଏହି କାର୍ଯ୍ୟ ପାଇଁ ହାଇଦ୍ରାବାଦ ସ୍ଥିତ ଏନଜିଆରଆଇ ସହାୟତା ନିଆଯାଇଥିଲା। ଶ୍ରୀମନ୍ଦିରର ସ୍ଥାୟିତ୍ବ ଏବଂ ସୁରକ୍ଷା ପ୍ରତି ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ଯତ୍ନବାନ ରହିଛି, ତେଣୁ ବୈଷୟିକ ରିପୋର୍ଟ ହସ୍ତଗତ ହୋଇସାରିଥିବାରୁ ତୁରନ୍ତ ସମଗ୍ର ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ହାତକୁ ନେବାକୁ ଏଏସଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିବା ଲେଖିଛନ୍ତି ମୁଖ୍ୟ ପ୍ରଶାସକ । ତାସହ ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସହଯୋଗ କରିବ ବୋଲି ସେ ଦର୍ଶାଇଛନ୍ତି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ୪୫ ପୃଷ୍ଠାର ରିପୋର୍ଟ ହସ୍ତଗତ ହୋଇଛି । ଏହାପରେ ଆମେ ASI ସହ ଆଲୋଚନା କରିବୁ । ତୁରନ୍ତ ରତ୍ନଭଣ୍ଡାର ମରାମତି ପାଇଁ ASIକୁ ଅନୁରୋଧ କରିଛୁ । ରତ୍ନଭଣ୍ଡାର ମରାମତି, ରକ୍ଷଣାବେକ୍ଷଣା କାର୍ଯ୍ୟ ହାତକୁ ନେବାକୁ ଅନୁରୋଧ । ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସହଯୋଗ କରିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ସେହିପରି ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନ ଯେଭଳି ବ୍ୟାଘାତ ନ ହେବ ଦୃଷ୍ଟି ଦେବୁ ବୋଲି । କେବଳ ASI ନୁହେଁ ବରଂ ଛତିଶା ନିଯୋଗ ସହ ମଧ୍ୟ ଆଲୋଚନା କରାଯିବ ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ ଗତ ସେପ୍ଟେମ୍ବର ୧୮ ତାରିଖରେ ଏଏସଆଇ ପକ୍ଷରୁ ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରାଯାଇଥିଲା । ରତ୍ନଭଣ୍ଡାର ତଦାରଖ କରି ଫେରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଥିଲେ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ହୋଇଥିଲା । ଏଏସଆଇ ଏଡିଜି ଜାନ୍ ଭିଜ୍ ଶର୍ମାଙ୍କ ନେତୃତ୍ବରେ ୧୭ ଜଣିଆ ଟିମ୍ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ଲେଜର ସ୍କାନିଂ କରିଥିଲେ । ନୀରିକ୍ଷଣ ଓ ବୈଷୟିକ ଯାଞ୍ଚ କାର୍ଯ୍ୟରେ କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ବା ସିଏସ୍ଆଇଆର୍ ଓ ନ୍ୟାସନାଲ ଜିଓଗ୍ରାଫିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ବିଶେଷଜ୍ଞମାନେ ଉପସ୍ଥିତ ରହିଥିଲେ ।

ଅଧିକ ପଢ଼ନ୍ତୁ: କାଲି ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା; ଅଙ୍ଗନବାଡି କର୍ମୀ ବି ପାଇବେ ସହାୟତା ...

ଲେଜର ସ୍କାନିଂ ପରେ ସେପ୍ଟେମ୍ବର ୨୧ ଓ ୨୨ରେ ରତ୍ନଭଣ୍ଡାରର ବୈଷୟିକ ସର୍ଭେ ହୋଇଥିଲା । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ବରେ ସର୍ଭେ ହୋଇଥିଲା । NGRI ଶ୍ରେଷ୍ଠ ଜ୍ଞାନ କୌଶଳ ବ୍ୟବହାର କରି ସର୍ଭେ କରାଯାଇଥିଲା । ଇଲେକ୍ଟ୍ରି ମ୍ୟାଗ୍ନେଟିକ୍‌ ୱେଭ୍‌ ମାଧ୍ୟମରେ ଡାଟା ସଂଗ୍ରହ କରାଯାଇଥିଲା । ଡାଟା ଇମେଜ କ୍ଵାଲିଟିକୁ ଲାବ୍‌ରେ ଆସେମ୍ବଲ୍‌ କରାଯିବା ପରେ NGRI ବିଶେଷଜ୍ଞ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରିପାରିବେ ବୋଲି ସେତେବେଳେ କହିଥିଲେ ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେ । ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡାରରେ ରାଡର ସର୍ଭେ କରାଯାଇଛି ବୋଲି ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେ କହିଥିଲେ ।

ସୂଚନା ଅନୁସାରେ, ୪୬ ବର୍ଷ ପରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯାଇଥିଲା । ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯାଇ ସେଥିରେ ଥିବା ସବୁ ଅଳଙ୍କାରକୁ ଫୁଲଘରେ ରଖାଯାଇଥିଲା । ଏହାପରେ ପୁନର୍ବାର ୧୮ ତାରିଖରେ ଭିତର ରତ୍ନଭଣ୍ଡାରର ସିନ୍ଦୁକ ଓ ଆଲମିରାରେ ଥିବା ରତ୍ନକୁ ନୂଆ ସିନ୍ଦୁକରେ ଭରାଯାଇ ଖଟ ଶେଜ ଘରେ ରଖାଯିବା ସହ ଅଗଷ୍ଟ ୨୩ ତାରିଖରେ ଖାଲି ସିନ୍ଦୁକ ଓ ଆଲମିରାକୁ ନୀଳାଦ୍ରି ମ୍ୟୁଜିୟମକୁ ସ୍ଥାନାନ୍ତର କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ଆଦାନୀ ବିରୋଧରେ ଆମେରିକାରେ ମାମଲା; ସୌରଶକ୍ତି ଯୋଗାଣ ଚୁକ୍ତିକୁ ନେଇ ଓଡ଼ିଶାରେ ହଇଚଇ