/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753201141.jpg)
RAILWAY LAND FRAUD
ଚଞ୍ଚକତା କରି ବିକିଦେଲେ ରେଲୱେ ଜମି। ୧୯୮୯ରେ ରେଲୱେ ଜମି ଅଧିଗ୍ରହଣ କରିଥିଲା। ଏବେ ପୁଣି ସେହି ଜମିକୁ କିଣାବିକା ଅଭିଯୋଗ। ସମ୍ବଲପୁର ରେଢ଼ାଖୋଲରୁ ସାମ୍ନାକୁ ଆସିଛି ଏଭଳି ଦୁର୍ନୀତି। ସମ୍ବଲପୁର-ତାଳଚେର ରେଳପଥ ନିର୍ମାଣ ଲାଗି ୧୯୮୯ ମସିହାରେ ରେଢ଼ାଖୋଲ ସୁଣ୍ଡିମୁଣ୍ଡା ଠାରେ ହୋଇଥିଲା ଜମି ଅଧିଗ୍ରହଣ। ରେଲୱେ ଜମି ନେବା ସହ ପଟ୍ଟାଦାର ପ୍ରଜାଙ୍କୁ ବି ଦେଇଥିଲା କ୍ଷତିପୂରଣ। ଆଉ ଦୀର୍ଘ ୩୫ ବର୍ଷ ପରେ ଏବେ ପୁଣି ସେହି ଜମିକୁ ଚଞ୍ଚକତା କରି ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଲକ୍ଷାଧିକି ଟଙ୍କାର ଠକାମୀର ଶିକାର ହେବା ଜାଣିବା ପରେ ଜମି କିଣିଥିବା ବ୍ୟକ୍ତି ଥାନାର ଦ୍ବାରସ୍ଥ ହୋଇଛନ୍ତି। ଜମି ବିକିଥିବା ପରିବାରର ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୪ ଜଣ ଫେରାର ଅଛନ୍ତି।
ଅଭିଯୋଗ ଅନୁଯାୟୀ, ରେଢ଼ାଖୋଲ ତହସିଲ ରାମପୁର ମୌଜା ଖାତା ନମ୍ବର ୭୮/୨ ଓ ପ୍ଲଟ୍ ନମ୍ବର ୬୦୩ ଜାଗା ବିଦ୍ୟାଧର ପୃଷ୍ଟିଙ୍କ ନାଁରେ ୪୫ ଡେସିମିଲ ଜମିପଟ୍ଟା ରହିଥିଲା। ରେଳପଥ ନିର୍ମାଣ ଲାଗି ୧୯୮୯ରେ ସଂପୃକ୍ତ ଜାଗାଟି ଅଧିଗ୍ରହଣ ହୋଇ କ୍ଷତିପୂରଣ ବାବଦରେ ବିଦ୍ୟାଧର ପୃଷ୍ଟି ୧୨ ହଜାର ୭୩୩ ଟଙ୍କା ପାଇଥିବା RTI ତଥ୍ୟରୁ ଜଣାପଡିଛି। ତେବେ ଜମି ଅଧିଗ୍ରହଣର ୩୫ ବର୍ଷ ପରେ ବି ଜମି ପଟ୍ଟାରୁ ବିଦ୍ୟାଧର ପୃଷ୍ଟିଙ୍କ ନାଁ କଟିନାହିଁ। ବିଦ୍ୟାଧର ପୃଷ୍ଟିଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ସୁମିତ୍ରା ପୃଷ୍ଟିଙ୍କ ନାଁରେ କୌଶଳ କ୍ରମେ ଜମିର ନାଁ କରାଇ ଦିଆଯାଇଥିଲା। ଆଉ ପଟ୍ଟାଟି ସୁମିତ୍ରାଙ୍କ ନାଁକୁ ଆସିବା ପରେ ତାଙ୍କର ଚାରି ପୁଅ ଉକ୍ତ ଜମିକୁ ଯଜ୍ଞେଶ୍ବର ପ୍ରଧାନ ଓ ମମତା ପ୍ରଧାନଙ୍କୁ ୬୦ ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି କରି ଦେଇଛନ୍ତି। ଅଭିଯୋଗ ଆସିବା ପରେ ଜମି କିଣିଥିବା ବ୍ୟକ୍ତି ଏବେ ନ୍ୟାୟ ପାଇଁ ଦାବି କରିଛନ୍ତି। ଅନ୍ୟପଟେ ଜମି ବିକ୍ରେତା କହିଛନ୍ତି, ବାପାଙ୍କ ଅମଳରେ ଯାହା ହୋଇଥିଲା ଆମେ କିଛି ଜାଣିନାହୁଁ।
ସୂଚନା ଅନୁଯାୟୀ ରେଳ ବିଭାଗ ଜମି ଅଧିଗ୍ରହଣ ପରେ ଯେତିକି ଜମିରେ ରେଳପଥ ନିର୍ମାଣ ଆବଶ୍ୟକତା ଥାଏ ସେତିକି ଜମିରେ କରିଥାଏ। ଅଧିଗ୍ରହଣ ହୋଇଥିବା ବାକି ଜମିକୁ ସେମିତି ଛାଡ଼ି ଦେଇଥାଏ। ଫଳରେ ଜମି ପଟ୍ଟାରେ ଯାହାର ନାଁ ଥାଏ ସେହି ସ୍ଥିତିରେ ରାଜସ୍ବ ବିଭାଗ ପାଖରେ ରହିଥାଏ ରେକର୍ଡ। ତେବେ ଏଠି ପ୍ରଶ୍ନ ଉଠୁଛି ଅଧିଗ୍ରହଣର ୩୫ ବର୍ଷ ପରେ ବି କାହିଁକି ରେଳ ବିଭାଗ ଏବଂ ରାଜସ୍ବ ବିଭାଗ ମାଲିକାନା ପରିବର୍ତ୍ତନ ପାଇଁ ପ୍ରୟାସ କରିନଥିଲେ। ରେଜିଷ୍ଟ୍ରେସନ ଅଫିସରେ କିଭଳି କିଣିବା ପୂର୍ବରୁ ଇସି ବାହାରିଲା। କିଣାବିକା ପରେ କ୍ରେତାଙ୍କ ନାଁରେ କିଭଳି ବାହାରିଲା ଜମିପଟ୍ଟା। ରେଢ଼ାଖୋଲ ତହସିଲ କରୁଥିଲା କଣ। ଘଟଣା ସାମ୍ନାକୁ ଆସିବା ପରେ ଏବେ ସାଧାରଣରେ ଏଭଳି ପ୍ରଶ୍ନ ଉଠିଛି। ଅନ୍ୟପଟେ ଏ ଘଟଣା ପରେ ଅଧିଗ୍ରହଣ ହୋଇଥିବା ରେଳ ବିଭାଗ ଜମିର ମାଲିକାନା ପରିବର୍ତ୍ତନ ଲାଗି ଜିଲ୍ଲାପାଳ ଚିଠି କରିଛନ୍ତି। ଖୁବଶୀଘ୍ର ରାଜସ୍ବ ବିଭାଗ ପାଖରେ ଥିବା ଅଧିଗ୍ରହଣ ଜମି ରେଳ ବିଭାଗ ପାଖକୁ ଯିବ ବୋଲି ରେଢ଼ାଖୋଲ ଉପଜିଲ୍ଲାପାଳ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)