Puri Srimandir: ନୂଆବର୍ଷରୁ ଦିଅଁ ଦର୍ଶନ ପାଇଁ ନୂଆ ପ୍ରଣାଳୀ, ସେବାୟତ ଉଠାଇଲେ ଆପତ୍ତି

ଡିସେମ୍ବର ୩୦-୩୧ ଦୁଇଦିନ ପରୀକ୍ଷାମୂଳକ ଭାବେ ଦର୍ଶନ ଚାଲିବ । ତେଣେ ପରିଚାଳନା କମିଟିରେ ବିନା ବିଚାରବିମର୍ଶ ଓ ଛତିଶା ନିଯୋଗର ମତାମତ ନିଆ ନଯାଇ ନୂଆ ବ୍ୟବସ୍ଥା ଲାଗୁ କରାଯାଉଥିବାରୁ ଆପତ୍ତି ଉଠାଇଛନ୍ତି ସେବାୟତ ।

Puri Srimandir

ଜାନୁଆରୀ ପହିଲାରୁ ଲାଗୁ ହୋଇଯିବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା । ମୁଖ୍ୟ ପ୍ରଶାସକଙ୍କ ପରେ ଆଜି ଆଇନ ମନ୍ତ୍ରୀ ଏକଥା ସ୍ପଷ୍ଟ କରିଛନ୍ତି । ମନ୍ତ୍ରୀ କହିଛନ୍ତି- ସାତ ପାହାଚ ଦ୍ୱାର ଦେଇ ଭକ୍ତ ବ୍ୟାରିକେଡ୍‌ରେ ପ୍ରବେଶ କରିବେ, ଅସ୍ଥାୟୀ କାଠ ରାଂପରେ ଚଢ଼ି ଦର୍ଶନ ସାରିବା ପରେ ଘଣ୍ଟି ଏବଂ ଗାରଦ ଦ୍ୱାରରେ ପ୍ରସ୍ଥାନ କରିବେ ।

ଡିସେମ୍ବର ୩୦-୩୧ ଦୁଇଦିନ ପରୀକ୍ଷାମୂଳକ ଭାବେ ଦର୍ଶନ ଚାଲିବ । ତେଣେ ପରିଚାଳନା କମିଟିରେ ବିନା ବିଚାରବିମର୍ଶ ଓ ଛତିଶା ନିଯୋଗର ମତାମତ ନିଆ ନଯାଇ ନୂଆ ବ୍ୟବସ୍ଥା ଲାଗୁ କରାଯାଉଥିବାରୁ ଆପତ୍ତି ଉଠାଇଛନ୍ତି ସେବାୟତ । ନୂଆବର୍ଷରୁ ନୂଆ ପ୍ରଣାଳୀ । ସାତ ପାହାଚ ପାଖରୁ ଭକ୍ତ ବ୍ୟାରିକେଡରେ ପଶିବେ ।

ନାଟମଣ୍ଡପରେ ରାଂପରେ ଚଢ଼ି ଜଗା ଦର୍ଶନ କରିବେ । ଜାନୁଆରୀ ପହିଲାରୁ ଜଗନ୍ନାଥ ମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥାର ଶୁଭାରମ୍ଭ ନେଇ ସ୍ପଷ୍ଟ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି- ଭକ୍ତ ସାତ ପାହାଚ ପାଖରେ ହିଁ ଲାଇନ୍ ଲଗାଇବେ । ନାଟ ମଣ୍ଡପରେ ଧାଡ଼ିରେ ଦର୍ଶନ ସାରି ଘଣ୍ଟି ଓ ଗାରଦ ଦ୍ୱାର ଦେଇ ପ୍ରସ୍ଥାନ କରିବେ ।

ଅଧିକ ପଢ଼ନ୍ତୁ:ଆଉ ନାହାନ୍ତି ପୂର୍ବତନ ବିଧାୟକ ବିଜୟ ମହାନ୍ତି, ୬୦ ବର୍ଷ ବୟସରେ ପରଲୋକ

ଘଣ୍ଟି ଦ୍ୱାରରେ ମହିଳା ଓ ବରିଷ୍ଠ ନାଗରିକ ଏବଂ ଗାରଦ ଦ୍ୱାର ଦେଇ ପୁରୁଷ ଭକ୍ତ ବାହାରକୁ ବାହାରିବେ । ନୂଆ ଦର୍ଶନ ବ୍ୟବସ୍ଥା ଲାଗୁ ନେଇ ମୁଖ୍ୟ ପ୍ରଶାସକଙ୍କ ସହ ସେ ଆଲୋଚନା କରିଛନ୍ତି- ଏ ଦିଗରେ ଚାଲିଥିବା ଆନୁସଙ୍ଗିକ କାର୍ଯ୍ୟ ସନ୍ତୋଷଜନକ ରହିଛି । ନୂଆବର୍ଷରେ ନିୟମିତ ନୂଆ ଧାଡ଼ି ଦର୍ଶନ ଆରମ୍ଭ ପୂର୍ବରୁ ୨୭ ଓ ୨୮ ତାରିଖରେ ବ୍ୟାରିକେଡ୍ ଲଗାଯିବ ।

୩୦ ଏବଂ ୩୧ ତାରିଖ ଦୁଇଦିନ ଧରି ପରୀକ୍ଷାମୂଳକ ଭାବେ ଏହାକୁ ଅନୁଧ୍ୟାନ କରାଯିବ । ତେଣେ ନୂଆ ଦର୍ଶନ ବ୍ୟବସ୍ଥାରୁ ସୁଫଳ ମିଳିବା ନେଇ ଶଙ୍କା ପ୍ରକାଶ କଲେଣି ସେବାୟତ । ସେମାନଙ୍କ ଅଭିଯୋଗ- ଯେହେତୁ ଏଯାଏଁ ଶ୍ରୀମନ୍ଦିରର ନୂଆ ପରିଚାଳନା କମିଟି ଗଢ଼ା ହୋଇନି ତେଣୁ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ସେଠି ବିସ୍ତୃତ ବିଚାର ବିମର୍ଶ ହୋଇନି ।

ତାସହ ଏ ନେଇ ବରିଷ୍ଠ ସେବାୟତ କିମ୍ବା ଛତିଶା ନିଯୋଗର ମଧ୍ୟ ମତ ନିଆଯାଇନି । ନାଟ ମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେଲେ ସାହାଣ ମେଲା ଦର୍ଶନରୁ ଭକ୍ତ ବଞ୍ଚିତ ହେବେ । ଭିତର କାଠ ଦର୍ଶନ ଉପରେ ଅଙ୍କୁଶ ଲାଗିଯିବ । ଭକ୍ତ ଆଉ ପାଖରୁ ଠାକୁରଙ୍କୁ ଦେଖିବାର ସୁଯୋଗ ପାଇବେନି । ନାଟ ମଣ୍ଡପରେ ଧାଡ଼ି ଲାଗିଲେ ଘଣ୍ଟା ଘଣ୍ଟା ଧରି ଶ୍ରଦ୍ଧାଳୁ ଅପେକ୍ଷା କରିବେ ।

ତେଣୁ ପ୍ରଶାସନ ଏସବୁ ଦିଗରେ ମଧ୍ୟ ଧ୍ୟାନ ଦେବା ଦରକାର । ସେପଟେ ଭକ୍ତ କହିଛନ୍ତି- ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରାଯାଉ, ହେଲେ ଭକ୍ତଙ୍କୁ ଭିତରକାଠ ଦର୍ଶନରୁ ବଞ୍ଚିତ କରାନଯାଉ । ବୃଦ୍ଧ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସୁବିଧା ହେଉ । ସୂଚନା ଅନୁସାରେ ନୂଆବର୍ଷରୁ ଧାଡ଼ି ଦର୍ଶନ ପାଇଁ ନାଟ ମଣ୍ଡପରେ ୬ ଲାଇନ୍ ଅସ୍ଥାୟୀ ବ୍ୟାରିକେଡ୍ ତିଆରି ହେବ । ସେଥିରୁ ୩ଟିରେ ପୁରୁଷ ଓ ବାକି ତିନିଟି ମହିଳା, ଶିଶୁ ଓ ବୟସ୍କ ଦର୍ଶନାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ରହିବ ।

ଅଧିକ ପଢ଼ନ୍ତୁ:ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁଏତର ସର୍ବଶ୍ରେଷ୍ଠ ପୁରସ୍କାର