Puri's Swetaganga Pond: ଅବହେଳିତ ଅବସ୍ଥାରେ ଶ୍ରୀକ୍ଷେତ୍ର ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀ 

ଶ୍ବେତଗଙ୍ଗା ପୁଷ୍କରିଣୀର ସଫେଇ ପାଇଁ ମାତ୍ର ୨ ଜଣ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିବା ବେଳେ ତାହା ବି ଅନିୟମିତ ଥିବା ଅଭିଯୋଗ ହୋଇଛି । ଏଭଳି ଚରମ ଅବହେଳା କାରଣରୁ ପବିତ୍ର ପୁଷ୍କରିଣୀର ପରିମଳ ବ୍ୟବସ୍ଥା ବିଗୁଡ଼ୁଥିବା ଅଭିଯୋଗ ହୋଇଛି ।

ଅବ୍ୟବସ୍ଥିତ ଶ୍ବେତଗଙ୍ଗା ପୁଷ୍କରିଣୀ ।

ଶ୍ରୀକ୍ଷେତ୍ର ତଥା ପୁରୀରେ ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ତୀର୍ଥ ହେଉଛି ଶ୍ବେତଗଙ୍ଗା ତୀର୍ଥ ପୁଷ୍କରିଣୀ । ଦୈନିକ ହଜାର ହଜାର ତୀର୍ଥଯାତ୍ରୀ ବୁଡ଼ ପକାଇବା, ଅସ୍ଥି ବିସର୍ଜନ, ପିଣ୍ଡ ଦାନ ସହ ଦଶାହ କାର୍ଯ୍ୟ ପାଇଁ ଏଠିକି ଧାଇଁ ଆସନ୍ତି । କିନ୍ତୁ ଏହି ପବିତ୍ର ପୁଷ୍କରିଣୀ ଏବେ ଅବହେଳିତ ଅବସ୍ଥାରେ ପଡ଼ି ରହିଛି ।

ପାଣି ପ୍ରଦୂଷିତ ହେବା ସହ ମୌଳିକ ସୁବିଧା ନଥିବା କାରଣରୁ ତୀର୍ଥଯାତ୍ରୀ ହଇରାଣ ହେଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏହାର ଦାୟିତ୍ବ ନେଇଥିବା ଓବିସିସି କୌଣସି କାମ କରୁନଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲାପାଳ କହିଛନ୍ତି, ସମସ୍ତ ବିଭାଗ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ । ହେଲେ ଏଠିକୁ ଆସୁଥିବା ଶ୍ରଦ୍ଧାଳୁ ପାଉନାହାନ୍ତି ସାମାନ୍ୟତମ ମୌଳିକ ସୁବିଧା ।

ଏଠି ସବୁ କିଛି ନାହିଁ ନାହିଁରେ ଚାଲିଥିବା ଦେଖିବାକୁ ମିଳିଛି । ଶ୍ବେତଗଙ୍ଗା ପୁଷ୍କରିଣୀ ନିକଟରେ ଶୌଚାଳୟ,ପୋଷାକ ବଦଳାଇବା ଗୃହ ଏବଂ ପାନୀୟ ଜଳ ବ୍ୟବସ୍ଥା ନାହିଁ । ଯାହାଫଳରେ ଦୂରଦୁରାନ୍ତରୁ ଆସୁଥିବା ଲୋକ ହଇରାଣ ହେଉଛନ୍ତି । ଏହାସହ ସବୁଠୁ ଗୁରୁତ୍ବପୂର୍ଣ୍ଣ, ପବିତ୍ର ପୁଷ୍କରିଣୀର ପରିମଳ ବ୍ୟବସ୍ଥା ବି ବିଗିଡ଼ିବାରେ ଲାଗିଛି । ଯୁଆଡେ ଦେଖିଲେ ନଜର ଆସୁଛି ଆବର୍ଜନା । ଏଣେ ତେଣେ ଭାସୁଛି ଜରି ଠୋଲା, କାଗଜ ସହ ଅନ୍ୟ ଅଳିଆ ।

ଅନ୍ୟପଟେ ଶ୍ବେତଗଙ୍ଗା ପୁଷ୍କରିଣୀର ସଫେଇ ଦାୟିତ୍ବ ନେଇଥିବା ଓବିସିସି ହାତ ବାନ୍ଧି ବସିଛି । ଏପରିକି ସଫେଇ ପାଇଁ ମାତ୍ର ୨ ଜଣ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିବାବେଳେ ତାହା ବି ଅନିୟମିତ ଥିବା ଅଭିଯୋଗ ହୋଇଛି । ଏଭଳି ଚରମ ଅବହେଳା କାରଣରୁ ପବିତ୍ର ପୁଷ୍କରିଣୀର ପରିମଳ ବ୍ୟବସ୍ଥା ବିଗୁଡ଼ୁଥିବା ଅଭିଯୋଗ ହୋଇଛି ।

ଅପରପକ୍ଷେ ସମସ୍ତ ବିଭାଗ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ ଶ୍ବେତଗଙ୍ଗାର ପରିମଳ ବ୍ୟବସ୍ଥା ସହ ଉନ୍ନତିକରଣ କାର୍ଯ୍ୟ ଶୀଘ୍ର କରାଯିବାକୁ ଦାବି ହୋଇଛି ।

ଅଧିକ ପଢ଼ନ୍ତୁ : ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ‘ବାଜ୍‌ବଲ୍‌’ ଦୃଷ୍ଟିକୋଣର ଘଟିବ କି ଅନ୍ତ ?