/odishatv-khabar/media/post_attachments/uploadimage/library/16_9/16_9_0/IMAGE_1720541029.jpg)
Ratna Bhandar
ଆସନ୍ତା ୧୪ରେ ଖୋଲିପାରେ ଶ୍ରୀମନ୍ଦିରର ଦୁର୍ଭେଦ୍ୟ ରତ୍ନଭଣ୍ଡାର। ରତ୍ନଭଣ୍ଡାର ତଦାରଖ କମିଟି ଆଜି ତାରିଖ ସ୍ଥିର କରି ସାରିଥିବାବେଳେ, ଏବେ ରାଜ୍ୟ ସରକାରଙ୍କ କୋର୍ଟରେ ବଲ୍। ସେପଟେ ସେଇଦିନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କମିଟିକୁ ଚାବି ଦେବେ ଓ ସେ ଚାବିରେ ନଖୋଲିଲେ ତାଲା ଭାଙ୍ଗି ଭଣ୍ଡାର ଖୋଲିବା ନିଶ୍ଚିତ ବୋଲି ସ୍ପଷ୍ଟ କରିଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ। ତେବେ ରତ୍ନଭଣ୍ଡାର ମରାମତି ସହ ଅଳଙ୍କାର ସବୁର ସଠିକ୍ ପଦ୍ଧତିରେ ଗଣତି ଓ ତାର ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ଆଗରେ ଏବେ ଅନେକ ଚ୍ୟାଲେଞ୍ଜ।
ରତ୍ନଭଣ୍ଡାର ଉତ୍କଣ୍ଠାର ଘଟିବ ଅବସାନ। ଏଇ ୧୪ ତାରିଖ, ବାହୁଡ଼ା ଯାତ୍ରାର ଠିକ୍ ପୂର୍ବଦିନ। ଖୋଲିପାରେ ମହାପ୍ରଭୁ ଜଗନ୍ନାଥଙ୍କ ଅଳଙ୍କାର ଘର। ଆଜି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି- ୧୪ରେ ଭଣ୍ଡାର ଘର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଆଶା କରୁଛୁ ଶୀଘ୍ର ଅନୁମତି ମିଳିବ। ସେଇ ୧୪ ତାରିଖ ଦିନ ହିଁ କମିଟି ଆଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରତ୍ନଭଣ୍ଡାର ଚାବି ଉପସ୍ଥାପନ କରିବେ। ତେବେ ସେ ଚାବି କାମ କରୁ କି ନକରୁ, ରତ୍ନଭଣ୍ଡାର କିନ୍ତୁ ନିଶ୍ଚିତ ଖୋଲାଯିବ। ଜଷ୍ଟିସ୍ ରଥ ଆହୁରି ମଧ୍ୟ କହିଛନ୍ତି- ରତ୍ନଭଣ୍ଡାରରୁ ଗହଣା ଅନ୍ୟତ୍ର ରଖିବା ପାଇଁ ପରିଚାଳନା କମିଟି ମନ୍ଦିର ଭିତରେ ଅସ୍ଥାୟୀ ରତ୍ନଭଣ୍ଡାର ସ୍ଥାନ ଚିହ୍ନଟ କରିଛନ୍ତି। ସେଠି ଠାକୁରଙ୍କ ଗହଣା ସିଡ୍ୟୁଲ ଅନୁସାରେ ରଖାଯିବ। ଆଉ ଏକ ବଡ଼ ସୂଚନା ଦେଇ ଜଷ୍ଟିସ୍ ରଥ କହିଛନ୍ତି- ରତ୍ନଭଣ୍ଡାର ଖୋଲିବା ବେଳେ କିନ୍ତୁ ଭକ୍ତଙ୍କ ଦର୍ଶନ ବନ୍ଦ ହେବନି। ହୁଏତ ଭକ୍ତମାନଙ୍କୁ ସାମାନ୍ୟ ଦୂରରୁ ଦର୍ଶନ କରିବାକୁ ପଡ଼ିପାରେ, ତେଣୁ ସେଥିପାଇଁ ଶ୍ରଦ୍ଧାଳୁଙ୍କ ସହଯୋଗ ଲୋଡ଼ାଯାଇଛି।
ରତ୍ନଭଣ୍ଡାର ଖୋଲିବାକୁ ତଦାରଖ କମିଟି ସେମାନଙ୍କ ନିଷ୍ପତ୍ତି ଶୁଣାଇବା ପରେ ଏବେ ରାଜ୍ୟ ସରକାରଙ୍କ କୋର୍ଟରେ ବଲ୍। ଯଦି କମିଟିର ପ୍ରସ୍ତାବ ମୁତାବକ ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯାଏ, ତାହାଲେ ରାଜ୍ୟ ସରକାରଙ୍କ ଆଗରେ ରହିବ ଅନେକ ଚ୍ୟାଲେଞ୍ଜ। ଯେମିତିକି ଅଳଙ୍କାର ସ୍ଥାନାନ୍ତର କିଭଳି ହେବ ? ଚିହ୍ନଟ ଅସ୍ଥାୟୀ ରତ୍ନଭଣ୍ଡାରକୁ କେଉଁ ଭଳି ସୁରକ୍ଷା ଦିଆଯିବ ? ସୁନା ଓ ରୁପା ଅଳଙ୍କାର ଗଣତି ଓ ମଣତି ବେଳେ କେଉଁ ପ୍ରକାର ଅତ୍ୟାଧୁନିକ ପ୍ରାଣାଳୀ ଗ୍ରହଣ କରାଯିବ ? ଅଭିଜ୍ଞ ବଣିଆ କେଉଁଠୁ ଆସିବେ ? ଦୁର୍ମୁଲ୍ୟ ହୀରା, ନୀଳା, ମୋତି ଓ ମାଣିକ୍ୟ ସବୁର ହିସାବ କେଉଁ ପ୍ରଣାଳୀରେ ହେବ ? ନିଳାଦ୍ରୀ ବିଜେ ପୂର୍ବରୁ ଦୁର୍ବଳ ରତ୍ନଭଣ୍ଡାର ଭିତର ମରାମତି ସରିପାରିବ ନା ନାହିଁ ? ଅଳଙ୍କାର ଗଣତି ଓ ଦର୍ଶନ ଦୁଇଟି ଯାକ ଏକାସାଙ୍ଗେ କିଭଳି ଚାଲିବ ? ଏମିତି ନାନାଦି ପ୍ରଶ୍ନ ଉଠିଥିବାବେଳେ ତଦାରଖ କମିଟିର ପ୍ରମୁଖ ସଦସ୍ୟ ରାଜୀବ ସାହୁ କହିଛନ୍ତି- ଭଣ୍ଡାର ଘର ଖୋଲିଲାବେଳେ ରେକର୍ଡ ଅଫ୍ ରାଇଟସ୍ ଅନୁସାରେ କେଉଁମାନେ ଉପସ୍ଥିତ ରହିବେ ? ଓ କମିଟି ତରଫରୁ କେଉଁମାନେ ଯିବେ, ତାହା ମଧ୍ୟ ଶୀଘ୍ର ସ୍ଥିର ହୋଇଯିବ।
ଗତ ନିର୍ବାଚନ ପ୍ରଚାରବେଳେ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହା ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗକୁ ବଡ଼ ମୁଦ୍ଦା କରିଥିଲେ। ଏମିତିକି ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ, ଦେଢ଼ ମାସ ଭିତରେ ରତ୍ନଭଣ୍ଡାର ଖୋଲିବାକୁ ପ୍ରତିଶ୍ରୁତି ବି ଦେଇଥିଲେ। ଆଉ ତାହାକୁ ଏବେକାର ମୋହନ ସରକାର ସର୍ବାଗ୍ରେ ପ୍ରାଧାନ୍ୟ ଦେଇଛନ୍ତି। ନିର୍ଦ୍ଧାରିତ ସମୟର ଢେର ଆଗରୁ ରତ୍ନଭଣ୍ଡାର ତଦାରଖ କମିଟି ଗଢ଼ାଯିବା ସହ ଏବେ ଭଣ୍ଡାର ଗୃହ ଖୋଲିବା ତାରିଖ ମଧ୍ୟ ସ୍ଥିର ହୋଇ ସାରିଲାଣି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)