ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି, OUAT ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୩ ତାରିଖ ସକାଳେ ସେ ବାଙ୍ଗିରିପୋଷି ହେଲିପ୍ୟାଡରେ ଅବତରଣ କରିବେ ।

President Droupadi Murmu

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୩ ତାରିଖ ସକାଳେ ସେ ବାଙ୍ଗିରିପୋଷି ହେଲିପ୍ୟାଡରେ ଅବତରଣ କରିବେ । ଦିନ ପ୍ରାୟ ୧୦ଟାରୁ ସାଢେ ୧୧ଟା ଭିତରେ ବାଙ୍ଗିରିପୋଷି ଷ୍ଟେସନରେ ତିନିଟି ରେଳ ଲାଇନ୍‌ର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି । ଏଥିସହ ଭର୍ଚୁଆଲରେ ଆଦିବାସୀ ଗବେଷଣା କେନ୍ଦ୍ର, ଦାଣ୍ଡବୋଷ ଏୟାରଷ୍ଟ୍ରିପ୍ ଏବଂ ଉପଖଣ୍ଡ ଚିକିତ୍ସାଳୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପରେ ରଙ୍ଗମାଟିଆ ହେଲିପ୍ୟାଡରେ ଓହ୍ଲାଇ ଉପରବେଡା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବେ । ୨୪ ତାରିଖ ସକାଳେ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ ରାଷ୍ଟ୍ରପତି । ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ । ସେଦିନ ଅପରାହ୍ଣରେ ଭୁବନେଶ୍ୱର ଆସି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୪୦ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ।

ଅଧିକ ପଢ଼ନ୍ତୁ: ପିଲାଙ୍କୁ ପାଠ ପଢ଼ାଇଲେ ରାଷ୍ଟ୍ରପତି; ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଦେଲେ ମାର୍ଗଦର୍ଶନ...

ସନ୍ଧ୍ୟା ପ୍ରାୟ ୬ଟାରେ ନବନିର୍ମିତ ବିଚାରବିଭାଗୀୟ କୋର୍ଟ କଂପ୍ଲେକ୍ସର ଶୁଭ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜଭବନରେ ରାତ୍ରିଯାପନ ପରେ ପରଦିନ ଅର୍ଥାତ୍ ୨୫ ତାରିଖ ସକାଳେ ନୀଳାଦ୍ରୀବିହାର ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନୂତନ ପ୍ରତିମୂର୍ତ୍ତିର ଅନାବରଣ କରିବେ । ପରେ ଦିନ ପ୍ରାୟ ସାଢେ ୧୦ଟାରେ ରାଷ୍ଟ୍ରପତି ଭୁବନେଶ୍ୱରରୁ ରାୟପୁର ଅଭିମୁଖେ ଯାତ୍ରା କରିବା କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ସଚିବ ଏବଂ ଜିଲ୍ଲାପାଳ ଯୋଗ ଦେଇଥିଲେ ।