ରାଜ୍ୟରେ ମିଶନ ଶକ୍ତି ପୁନର୍ଗଠନ ସମ୍ପର୍କିତ ବିଜ୍ଞପ୍ତି ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି । ଏହି ମାମଲାରେ ପକ୍ଷ ରଖିବାକୁ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିବା ସହ ରହିତାଦେଶ ଜାରି କରିଛନ୍ତି । ହାଇକୋର୍ଟଙ୍କ ଏହି ରହିତାଦେଶ ନେଇ ଏବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରତିକ୍ରିୟା ରଖିଛନ୍ତି । ପ୍ରଭାତୀ କହିଛନ୍ତି, ମିଶନ ଶକ୍ତି ପୁନର୍ଗଠନ ନିଶ୍ଚିତ ହେବ । କିଛି ସମୟ ବିଳମ୍ବ ହୋଇପାରେ, କିନ୍ତୁ ଗାଁରେ ମହିଳାମାନେ ଭାବି ନିଅନ୍ତୁ ଯେ SHG ପୁନର୍ଗଠନ ସୁନିଶ୍ଚିତ ହେବ । ନେତୃତ୍ୱ ପରିବର୍ତ୍ତନ ହେଲେ ହିଁ ମହିଳାଙ୍କ ବିକାଶ ସୁନିଶ୍ଚିତ ହୋଇପାରିବ ।
ଅଧିକ ପଢ଼ନ୍ତୁ: ରାଜ୍ୟରେ ହେବନି ପାୱାର କଟ୍, ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ
ଏଠାରେ ଉଲ୍ଲେଖଯୋଗ୍ୟ, ରାଜ୍ୟ ମିଶନ ଶକ୍ତି ବିଭାଗ ପକ୍ଷରୁ ଗତ ଜାନୁଆରୀ ୨୨ ତାରିଖରେ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ଯେଉଁଥିରେ ଜିଲ୍ଲାଠାରୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ମିଶନ ଶକ୍ତିର ବିଭିନ୍ନ କମିଟିର ପୁନର୍ଗଠନ ନିମନ୍ତେ କୁହାଯାଇଥିଲା । ଏଥିରେ ସ୍ପଷ୍ଟ କରାଯାଇଥିଲା ଯେ, ମିଶନ ଶକ୍ତିର ବିଭିନ୍ନ କମିଟିରେ ଯେଉଁମାନେ ଦୁଇ ଥରରୁ ଅଧିକ ସମୟ ଧରି କାର୍ଯ୍ୟକାରୀ ସଦସ୍ୟ ରହିଛନ୍ତି ସେମାନେ ଆଉ ଉକ୍ତ ପଦରେ ରହିପାରିବେ ନାହିଁ । ସେହିପରି ଗୋଟେ ପରିବାରର ଦୁଇ ଜଣ ସଦସ୍ୟ ମଧ୍ୟ ମିଶନ ଶକ୍ତି କମିଟିରେ ରହିପାରିବେ ନାହିଁ । ଏହି ବିଜ୍ଞପ୍ତିକୁ ଚାଲେଞ୍ଜ କରି ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସର୍ବଶକ୍ତିମୟୀ ମିଶନ ଶକ୍ତି ଫେଡେରେସନ୍, କେନ୍ଦୁଝର ଏବଂ ଅନ୍ୟ ମିଶନ ଶକ୍ତିଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଜଷ୍ଟିସ୍ ଶଶିକାନ୍ତ ମିଶ୍ର ମିଶନ ଶକ୍ତି ପୁନର୍ଗଠନ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିଥିଲେ । ଆସନ୍ତା ମେ' ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।