Prakash Mishra
ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ। ସେ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ନୂଆ ଦାୟିତ୍ୱ ମିଳିବା ପରେ ପ୍ରକାଶ ମିଶ୍ର ଓଟିଭିକୁ କହିଛନ୍ତି, ଗୁରୁଦାୟିତ୍ୱ ମିଳିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାକୁ ମୁଁ ସୁଚାରୁ ରୂପେ ତୁଲାଇବି। ଜନହିତରେ ଯାହା ହୋଇପାରିବ, ତାହା ମିଳିମିଶି କରିବୁ। ଲୋକଙ୍କ ସମସ୍ୟା କିପରି ଦୂର ହେବ, ସେଥିପ୍ରତି ଧ୍ୟାନ ଦେବୁ ବୋଲି ପ୍ରକାଶ ମିଶ୍ର କହିଛନ୍ତି।
୧୯୭୭ ବ୍ୟାଚର ଆଇପିଏସ୍ ଅଫିସର ଶ୍ରୀ ମିଶ୍ର ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଓଡ଼ିଶା ପୋଲିସ୍ ଡିଜି ହୋଇଥିଲେ। ପରବର୍ତ୍ତୀ ସମୟରେ ସେ କେନ୍ଦ୍ରକୁ ଯାଇଥିଲେ। ଆଉ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ(CRPF)ର ଡିଜି ହୋଇଥିଲେ। ସେ ୨୦୧୪ରୁ ୨୦୧୬ ମସିହା ପର୍ଯ୍ୟନ୍ତ ରହିଥିଲେ। ତା’ପରେ ଚାକିରିରୁ ଅବସର ନେଇଥିଲେ।
ଚାକିରିରୁ ଅବସର ନେବା ପରେ ଶ୍ରୀ ମିଶ୍ର ବିଜେପିରେ ଯୋଗଦେଇଥିଲେ। ଆଉ ୨୦୧୯ ସାଧାରଣ ନିର୍ବାଚନରେ କଟକ ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ମାତ୍ର ନିର୍ବାଚନରେ ପରାଜୟ ବରଣ କରିଥିଲେ। ହେଲେ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ମଝିରେ ମଝିରେ ବିଜେଡି ସରକାରଙ୍କ ଉପରେ ବର୍ଷୁଥିଲେ।
କିଛି ଦିନ ତଳେ ପ୍ରକାଶ ମିଶ୍ରଙ୍କ ବହି ‘କମେଡି ଇନ୍ ଖାକି’ ଓଡ଼ିଶାରେ ରିଲିଜ୍ ହୋଇଥିଲା। ଯେଉଁଥିରେ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ନନେଇ ଅନେକ ଅକୁହା କଥା ଲେଖିଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିକୁ ଚର୍ଚ୍ଚାର ଖୋରାକ ଯୋଗାଇଥିଲା।
ଅଧିକ ପଢ଼ନ୍ତୁ : ଯୁଗାନ୍ତକାରୀ ଓ ଐତିହାସିକ ହେବ ଉତ୍କର୍ଷ ଓଡ଼ିଶା, ଗଙ୍ଗାର ସ୍ରୋତ ଭଳି ଓଡ଼ିଶା ଆସିବେ ନିବେଶକ
ଠିକ୍ ସେମିତି ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମଧୁସୂଦନ ପାଢ଼ୀଙ୍କୁ ମିଳିଛି ବଡ଼ ଦାୟିତ୍ୱ। ସେ ରାଜ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଥିବା ବିଜ୍ଞପ୍ତି ପ୍ରକାଶ ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737979302.jpg)