• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବାତ୍ୟା ନହେଉଣୁ ପରିବା ବଜାରରେ ପଡ଼ିଛି ଚଡ଼କ । ଦୁଇ ଦିନ ଭିତରେ ବଢିଗଲାଣି ପନିପରିବା ଦର । ଲୋକେ ଆତଙ୍କିତ ହୋଇ ଅଧିକ କିଣାକିଣି କରୁଛନ୍ତି । ଆଉ, ଅସାଧୁ ବେପାରୀ ଏହାର ଫାଇଦା ଉଠାଇ ବଢାଇ ଦେଉଛନ୍ତି ଦର । ବିଶେଷ କରି ଆଳୁ-ପିଆଜ ଦର ଦୁଇ ଦିନ ଭିତରେ କିଲୋ ପିଛା ୨୦ ଟଙ୍କା ବଢିଲାଣି । ବଜାରରେ ୬୦ ତଳକୁ ତ ଆଉ ପରିବା ହିଁ ନାହିଁ । ସେପଟେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ବ୍ୟବସାୟୀ, କଳାବଜାରୀ ନ କରି ସହଯୋଗ କରିବାକୁ ନିବେଦନ କରିଛନ୍ତି ଯୋଗାଣ ମନ୍ତ୍ରୀ ।

ବାତ୍ୟା ନଆସୁଣୁ ପରିବା ବଜାରରେ ବାତ୍ୟା । ଗ୍ରାହକ ଆତଙ୍କିତ, ଫାଇଦା ଉଠାଇଲେଣି ଲାଭଖୋର୍ ବ୍ୟବସାୟୀ । କଟକ ଛତ୍ର ବଜାରରେ ଗତକାଲି ଆଳୁ ୩ କିଲୋକୁ ୮୦ରୁ ୮୫ ଟଙ୍କା ଥିଲା, ଆଜି ଶହେ । ରାତାରାତି ୨୦ ଟଙ୍କା ବଢିଯାଇଛି ଦର । ୪୫ରେ ମିଳୁଥିବା ପିଆଜ କିଲୋ ୬୦ରେ ପହଁଚିଲାଣି । ସବୁ ପନିପରିବାର ଦର ପାଖାପାଖି ୨୦ ଟଙ୍କା ବଢିଛି ।

କିଛି ପରିବା ତ ଦୁଇ ଗୁଣା ହେଲାଣି । ବଜାରରେ ୬୦ ତଳକୁ ଆଉ ପରିବା ନାହିଁ । ବାତ୍ୟା ଯେଭଳି କିଛି ଅସାଧୁ ବେପାରୀଙ୍କୁ ସୁଯୋଗ ଦେଉଛି, ଗ୍ରାହକଙ୍କୁ ଲୁଟିବାକୁ । ରାଜଧାନୀର ୧ ନମ୍ବର ହାଟରେ ବି ଗ୍ରାହକ ହାଉଜାଉ । କିଏ ବ୍ୟାଗ ଭର୍ତ୍ତି ପରିବା କିଣିନେଲାଣି ତ କିଏ ଆଳୁ ପିଆଜ । ରାସନ ଦୋକାନରେ ବି ଭିଡ ଜମିଛି ।

ଚୂଡା, ଚାଉଳ, ଡାଲି, ତେଲ ସମେତ ଅନ୍ୟ ରୋଷେଇ ସାମଗ୍ରୀ କିଣି ନେଉଛନ୍ତି ଲୋକେ । ତାହା ବି ଆବଶ୍ୟକତା ଠାରୁ ଅଧିକ । ସେହିପରି ବ୍ରହ୍ମପୁରରେ ଏଇ ଦୁଇ ଦିନ ଭିତରେ ବଢିଛି ଆଳୁ, ପିଆଜ କିଣା । ବାତ୍ୟା ହେଲେ କାଳେ ନ ମିଳିବ ସେଥିପାଇଁ ଆଗୁଆ କିଣିନେଉଛନ୍ତି ଗ୍ରାହକ । ସାଧାରଣତଃ କିଲେ-ଦୁଇ କିଲୋ ନେଉଥିବା ଗ୍ରାହକ ୫ କିଲୋ ଆଳୁ ନେଉଛନ୍ତି ।

ତେବେ ହୋଲସେଲ୍ ବେପାରୀ କହିଛନ୍ତି, ବଜାରକୁ ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରୁ ପର୍ଯ୍ୟାପ୍ତ ଆଳୁ ଆସୁଛି, ଗ୍ରାହକ ଅଯଥାରେ ଅଧିକ କିଣିବା ଆବଶ୍ୟକତା ନାହିଁ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କଳାବଜାରୀଙ୍କୁ ତାଗିଦ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସଫା ସଫା କହିଛନ୍ତି, ଅସାଧୁ ବ୍ୟବସାୟୀ କଳାବଜାରୀ କଲେ କଡା କାର୍ଯ୍ୟାନୁଷ୍ଠାନ ହେବ ।

ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଯେପରି କଳାବଜାରୀ ନହେବ ସେ ନେଇ କଡା ନଜର ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ପୂର୍ବରୁ ଯେତେଥର ବି ବାତ୍ୟା ଆସିଛି, ଲୋକେ ଆତଙ୍କିତ ହୋଇ ଆବଶ୍ୟକତାଠାରୁ ଅଧିକ ପରିମାଣର ସାମଗ୍ରୀ କିଣି ଘରେ ମହଜୁଦ ରଖୁଛନ୍ତି, ଆଉ ଅସାଧୁ ବ୍ୟବସାୟୀ ଏହାର ଫାଇଦା ଉଠାଇ ବଢାଇ ଦେଇଥାନ୍ତି ଅତ୍ୟାବଶ୍ୟକ ସାମଗ୍ରୀର ଦର ।

ବଜାରରେ କୃତ୍ରିମ ଅଭାବ ପରିସ୍ଥିତି ବି ସୃଷ୍ଟି ହୋଇଥାଏ । ତେଣୁ ଆତଙ୍କିତ ହୋଇ ଅଯଥାରେ ଏସବୁ କିଣାକିଣି ନକରି ବରଂ ଶୁଖିଲା ପଦାର୍ଥ ଯେପରିକି ଚୂଡା, ବିସ୍କୁଟ ଭଳି ଜିନିଷ କିଣିବାକୁ ପରାମର୍ଶ ଦିଆଯାଇଛି । ତାଠୁ ଗୁରୁତ୍ୱପୂର୍ଣ୍ଣ ଅଧିକ ମାତ୍ରାରେ ପିଇବା ପାଣି, ମହମବତୀ, ଟର୍ଚ୍ଚ ଲାଇଟ୍, ଚାର୍ଜେବଲ୍ ଲାଇଟ୍, ଜରୁରୀ ଔଷଧ ଏସବୁକୁ ପ୍ରସ୍ତୁତ କରି ରଖିବା ଅବଶ୍ୟକ ।

OTV is now on Whatsapp

Join and get latest news update delivered to you via whatsapp

Join Now