/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724651162.jpg)
Postage Stamp
ବୌଦ୍ଧ ସହରର ବିଶ୍ଵନାଥ ମିଶ୍ର । ଡାକ ଟିକଟ ସଂଗ୍ରହ ତାଙ୍କର ନିଶା । ଆଉ ଏହି ନିଶା ଆଜି ତାଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ଛିଡ଼ା କରିଛି । ବ୍ରୋଞ୍ଜ ମେଡାଲ ସହ ଦେଇଛି ଆଉ ଏକ ନୂଆ ପରିଚୟ । ବୌଦ୍ଧ ସହରର ୬ନଂ ୱାର୍ଡ ବାବୁସାହିର ଅବସରପ୍ରାପ୍ତ ବନ ବିଭାଗ କର୍ମଚାରୀ ହେଉଛନ୍ତି ବିଶ୍ୱନାଥ ମିଶ୍ର । ସେ ୧୯୭୭ ମସିହାରୁ ଡାକ ଟିକଟ ସଂଗ୍ରହ କରିଆସୁଛନ୍ତି । ସ୍ୱର୍ଗତ ନଟବର ପ୍ରଧାନ ୧୯୭୭ରେ ଓଡ଼ିଶାର କ୍ୟାବିନେଟ ମନ୍ତ୍ରୀ ଥିବାବେଳେ ସେ ତାଙ୍କ ପାଖରେ ଡ଼ାଇରିଷ୍ଟ ଭାବେ ଚାକିରି କରୁଥିଲେ ।
ସେତେବେଳେ ମନ୍ତ୍ରୀଙ୍କ ନିକଟକୁ ଆସୁଥିବା ଚିଠିପତ୍ରରୁ ଡାକ ଟିକଟ ସଂଗ୍ରହ କରିବା ଆରମ୍ଭ କରିଥିଲେ ବିଶ୍ୱନାଥ । ଧୀରେ ଧୀରେ ତାଙ୍କର ସେହି ନିଶା ଏବେ ତାଙ୍କୁ ଜଣେ ପେସାଦାର ଡାକ ଟିକଟ ସଂଗ୍ରହକାରୀ ଭାବେ ପରିଚୟ ଦେଇଛି । ଦୁବାଇରେ ଅନୁଷ୍ଠିତ ଏମିରେଟସ୍- ୨୦୨୨ ଆନ୍ତର୍ଜାତୀୟ ଡାକଟିକଟ ପ୍ରଦର୍ଶନୀରେ ବିଶ୍ୱନାଥଙ୍କ ସଂଗ୍ରହ ଭାଗ ନେଇଥିଲା । ତାଙ୍କ ଦ୍ୱାରା ସଂଗୃହିତ ୮୦ ପୃଷ୍ଠା ସମ୍ୱଳିତ ଆଲବମରେ ବିଭିନ୍ନ ଦେଶର ବହୁ ପ୍ରକାରର ଡାକଟିକଟ, ଲଫାପା, ପୋଷ୍ଟକାର୍ଡ ସହିତ ଅନେକ ଶତାଧିକ ବର୍ଷ ପୁରୁଣା ଡାକ ଜିନିଷ ପ୍ରଦର୍ଶିତ ହୋଇଥିଲା ।
ଯେଉଁଥିପାଇଁ ବିଶ୍ୱନାଥ ମିଶ୍ର ଡାକଟିକଟ ସଂଗ୍ରହରେ ବ୍ରୋଞ୍ଜ ମେଡାଲ ପାଇବାରେ ସକ୍ଷମ ହୋଇଥିଲେ । ସେହିପରି ଆହୁରି ଅନେକ ଡାକଟିକଟ ପ୍ରଦର୍ଶନୀରେ ବିଶ୍ୱନାଥ ମେଡାଲ ପାଇଛନ୍ତି । ବିଶ୍ୱନାଥ ମିଶ୍ର ବିଭିନ୍ନ ଜାତୀୟ, ରାଜ୍ୟସ୍ତରୀୟ ପ୍ରଦର୍ଶନୀରେ ଭାଗ ନେଇ ସାରିଥିବାବେଳେ, ଅନେକ ପ୍ରଶଂସା ପତ୍ର ଓ ସମ୍ୱର୍ଦ୍ଧନା ସାଉଁଟି ପାରିଛନ୍ତି । ଏଯାବତ ତାଙ୍କୁ ୨୭ଟି ପୁରସ୍କାର ମିଳିସାରିଛି । ଦେଶ ବିଦେଶର ପ୍ରାୟ ୫ ହଜାର ଡାକଟିକଟ ତାଙ୍କ ପାଖରେ ରହିଛି । ଡାକଟିକଟ ସଂଗ୍ରହ ବ୍ୟତୀତ ପୁରାତନ ଏବଂ ଆଧୁନିକ ଧାତବ ମୁଦ୍ରା, ଦେଶ ବିଦେଶର କାଗଜ ଏବଂ ପ୍ଲାଷ୍ଟିକ ନୋଟ ମଧ୍ୟ ସେ ସଂଗ୍ରହ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)