କେନ୍ଦୁଝରରେ JSW ସହ ମିଶି ପୋସ୍କୋ ପ୍ରତିଷ୍ଠା କରିବ ଷ୍ଟିଲ ପ୍ଲାଣ୍ଟ । ସମ୍ଭାବ୍ୟ ନିବେଶକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମୋହର ପରେ ୟାକୁ ନେଇ ଏବେ ନାନା ଚର୍ଚ୍ଚା । ୭ ବର୍ଷ ତଳେ ବିଫଳ ହୋଇ ଓଡ଼ିଶାରୁ ଫେରି ଯାଇଥିବା ପୋସ୍କୋ, କାହିଁକି JSWକୁ ସାଥୀ କରି କେନ୍ଦୁଝରକୁ ବାଛିଲା, ତାହା ଏବେ ବଡ଼ ପ୍ରଶ୍ନ ।
ଓଡ଼ିଶା ଆଉ ପୋସ୍କୋ । ଏ ସମ୍ପର୍କ କିଛି ନୂଆ ନୁହେଁ । ୨୦୦୫ରେ ଓଡ଼ିଶା ଆସିଥିଲା ଦକ୍ଷିଣ କୋରିଆର ଏହି ଷ୍ଟିଲ୍ କଂପାନୀ । ଜଗତସିଂହପୁର ଜିଲ୍ଲାରେ ସେ ସମୟର ଦେଶର ସର୍ବବୃହତ ବିଦେଶୀ ପୁଞ୍ଜିନିବେଶ ପାଇଁ ଘୋଷଣା କରିଥିଲା । ସବୁ କିଛି ଠିକ୍ ହୋଇଥିଲେ ବସାଇଥାନ୍ତା ୧୨ ନିୟୁତ ଟନ୍ କ୍ଷମତାର ମେଗା ଷ୍ଟିଲ ପ୍ଲାଣ୍ଟ ।
କିନ୍ତୁ ୧୨ ବର୍ଷ ଚେଷ୍ଟା କରି ଫେଲ୍ ମାରିବା ପରେ ୨୦୧୭ରେ ଓଡ଼ିଶାରୁ ମୁହଁ ଫେରାଇ ନେଇଥିଲା । ସେଇ ପୋସ୍କୋ, ଏବେ ପୁଣି ଫେରୁଛି । ଏଥର କିନ୍ତୁ ଜଗତସିଂହପୁର ନୁହେଁ, କେନ୍ଦୁଝର ଜିଲ୍ଲାକୁ । ଏକା ନୁହେଁ, JSW ହାତ ଧରି । ଏକଦା ଏକାକୀ ରାଜ୍ୟରେ ପୁଞ୍ଜି ଖଟାଇବାକୁ ଆଗ୍ରହୀ ଥିବା ପୋସ୍କୋ ଏଥର JSWକୁ ସାଥୀ କାହିଁକି କଲା, ତାକୁ ନେଇ ନାନା ଚର୍ଚ୍ଚା ।
Also Read
ଶିଳ୍ପସଂଘର କହିବା କଥା, ପୂର୍ବଥର ଧାନ-ପାନ-ମୀନ ପ୍ରସଙ୍ଗ ଉଠାଇ ସ୍ଥାନୀୟ ଲୋକେ ପୋସ୍କୋ ଜମି ଅଧିଗ୍ରହଣକୁ ବିରୋଧ କରିଥିଲେ । ପୋସ୍କୋ ପାଖରେ ଷ୍ଟିଲ ପ୍ଲାଣ୍ଟ ଚଲାଇବାକୁ ଖଣି ବି ନ ଥିଲା । ଏବେ କିନ୍ତୁ ସ୍ଥିତି ବଦଳିଯାଇଛି । କେନ୍ଦୁଝରରେ ରାଜ୍ୟ ସରକାର ଦୁଇ ଦୁଇଟି ଜମି ଚିହ୍ନଟ କରି ରଖିଛନ୍ତି । ଏମିତିକି ପ୍ଲାଣ୍ଟ ସ୍ଥାପନ ହେଲେ, ତତ୍କାଳ କଞ୍ଚାମାଲ ଚାହିଦା ପୂରଣ ଲାଗି JSW ପାଖରେ ରାଜ୍ୟର ୪ ଲୁହାପଥର ଖଣି ବି ରହିଛି ।
ଏଣୁ JSW ସହ ମିଶି ଯୌଥ ଉଦ୍ୟୋଗ ପାଇଁ ଯୋଜନା କରିଥାଇପାରେ ପୋସ୍କୋ । ଏବେ ପ୍ରଶ୍ନ, ଏଥର କେନ୍ଦୁଝରକୁ କାହିଁକି ବାଛିଲା ପୋସ୍କୋ? ଶିଳ୍ପ ଓ ଅଥର୍ନୀତି ବିଶାରଦଙ୍କ ମତ, କେନ୍ଦୁଝରରେ ରାଜ୍ୟର ସର୍ବାଧିକ ଲୁହାପଥର ମହଜୁଦ ଅଛି । ବର୍ତ୍ତମାନ ସମୟରେ କେନ୍ଦୁଝର ଜିଲ୍ଲାରେ ୩୬ଟି ଲୁହାପଥର ଓ ମାଙ୍ଗାନିଜ ଖଣି ଚାଲୁରହିଛି ।
ତା ଭିତରୁ JSWର ଯୋଡ଼ାସ୍ଥିତ ଜଜାଙ୍ଗ ଲୁହାପଥର ଖଣି ହାତପାହାନ୍ତାରେ ରହିଛି । ଅନ୍ୟପକ୍ଷରେ କେନ୍ଦୁଝରରେ ଗୋଟିଏ ବି ବଡ଼ ଶିଳ୍ପ ନାହିଁ । ତେଣୁ ସେଠାରେ ଇସ୍ପାତ କାରଖାନା ପାଇଁ ବଡ଼ ସୁଯୋଗ ରହିଛି । ସେହିପରି କେନ୍ଦୁଝରରୁ ପାରାଦୀପ ବନ୍ଦରକୁ ୪ ଲେନ ରାସ୍ତା ଥିବା ବେଳେ ୮ ଲେନ୍ କରିବାକୁ ଘୋଷଣା ହୋଇଛି । ଏହା ମାଲ୍ ପରିବହନରେ ବେଶ ସହାୟକ ହେବ ।
ପ୍ଲାଣ୍ଟ ବସିଲେ, ଜିଲ୍ଲା ଶିଳ୍ପ ସମୃଦ୍ଧ ହେବ, ସ୍ଥାନୀୟ ଲୋକଙ୍କୁ ରୋଜଗାର ମିଳିବ ବୋଲି ବିଚାର ରଖି ନିଜ ଜନ୍ମମାଟିରେ ଷ୍ଟିଲ ପ୍ଲାଣ୍ଟ ହେଉ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ବି ଚାହୁଁଛନ୍ତି । ଏଭଳି ସ୍ଥିତିରେ ପୂର୍ବ ଭଳି ବିଫଳ ହେବାର ଚାନ୍ସ କମ୍ ଥିବାରୁ ପୋସ୍କୋ କେନ୍ଦୁଝରକୁ ବାଛିଥିବା କୁହାଯାଉଛି ।