Advertisment

Bolangir Child Trafficking Case: ଗରିବୀର ବିକଳ ଚିତ୍ର; ଦାଦନ ଯିବେ ବୋଲି କଅଁଳା ଛୁଆକୁ ସରକାରଙ୍କ ହାତରେ ଟେକିଦେଲେ

ଦାଦନ କଳଙ୍କର ଟିକା ପିନ୍ଧିଥିବା ବଲାଙ୍ଗିର ଜିଲ୍ଲାରେ ନିଇତି ନୂଆ କାହାଣୀ। ଛୁଆ ବିକ୍ରି ଅଭିଯୋଗରେ କିଛିଦିନ ତଳେ ଯେଉଁ ବାପା, ମା’ ବିବାଦୀୟ ହୋଇପଡ଼ିଥିଲେ, ଦାଦନ ଯିବେ ବୋଲି ସେହି ବାପା, ମା’ ଏବେ ପିଲାକୁ ସରକାର ହାତରେ ଟେକି ଦେଇଛନ୍ତି। ପାଖରେ ୫ଟି ଛୁଆର ବୋଝ। ତେଣୁ ଲାଳନ ପାଳନ ଚିନ୍ତାରେ ଟେକିଦେଲେ ୬ ନମ୍ବର ଛୁଆକୁ।

ଅଦ୍ୟତନ ହୋଇଛି
undefined

Dadan

Advertisment

ଚାଖଣ୍ଡେ ପେଟକୁ ଦି’ ମୁଠା ଦାନା ଦେବାକୁ ସାମର୍ଥ୍ୟ ନାହିଁ...ଦାଦନ ଗଲେ ପେଟ ପୂରେ... ୫ ପ୍ରାଣୀ କୁଟୁମ୍ବଙ୍କୁ ନେଇ ଚାଲେ ସଂସାର...ହେଲେ ପାଖରେ ଏବେ ୨ ମାସର ଶିଶୁକନ୍ୟା... କେମିତି ପାଳିବେ ତାକୁ, କେମିତି ଯତ୍ନ ନେବେ...କେମିତି କରିବେ ଭରଣପୋଷଣ...ବୁଦ୍ଧିଶୂନ୍ୟ ବାପା, ମାଙ୍କ ଦାରିଦ୍ର୍ୟର ଦାଉ, ଶେଷରେ କଅଁଳା ଶିଶୁଟିକୁ ସରକାର ହାତରେ ଟେକିଦେବା ପାଇଁ ବାଟ କଢ଼ାଇ ନେଲା । ୨ ଏକର ଜମି ଅଛି ସତ କିନ୍ତୁ ବହୁ କୁଟୁମ୍ବ ଥିବାରୁ ପର୍ଯ୍ୟାପ୍ତ ନୁହଁ। ଜନ୍ମଦାତ୍ରୀ ହେଇ କହୁଛନ୍ତି, ଆମେ ଛୁଆକୁ ଦେଇଦେବୁ, ଆଉ ଦାଦନ ଯିବୁ। ଏଭଳି କହି ଶେଷରେ ହାତକାଟି ଦସ୍ତାବିଜରେ ଦସ୍ତଖତ କରିବା ସହ ବଲାଙ୍ଗିର ସଦର ମହକୁମାରେ ଥିବା ଶିଶୁ ମଙ୍ଗଳ ସମିତିକୁ ମା’ ବାପା ହସ୍ତାନ୍ତର କରିଦେଲେ ୨ ମାସର ଛୁଆକୁ।

Advertisment

ବଲାଙ୍ଗିର ସାନଗୁର୍ଜିଭଟାର ଦଂପତି ଅରୁଣାବତୀ ଏବଂ ଅମୃତ ନାଗ। ଗରିବୀ ଯୋଗୁ ନବଜନ୍ମିତ ଶିଶୁକନ୍ୟାକୁ ଅନ୍ୟ ହାତରେ ଟେକିଦେଇଥିଲେ କିଛିଦିନ ତଳେ। ଲକ୍ଷାଧିକ ଟଙ୍କାର କାରବାର ଚର୍ଚ୍ଚା ପରେ ହଟଚମଟ ସୃଷ୍ଟି ହୋଇଥିଲା ସାରା ଜିଲ୍ଲାରେ। ଖୋଦ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଗ୍ରାଉଣ୍ଡ ଜିରୋକୁ ଯାଇ ତଦନ୍ତ ନିର୍ଦ୍ଦେଶ ସହ କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ।ଏହି ଘଟଣାରେ ତତ୍ପରତା ପ୍ରକାଶ କରି ପୋଲିସ ୩ ଜଣଙ୍କୁ ଗିରଫ କରିଥିବାବେଳେ ଶିଶୁକନ୍ୟାକୁ ରାୟପୁରର ଘରୋଇ ହସପିଟାଲରୁ ଉଦ୍ଧାର ବି କରିଥିଲା ପ୍ରଶାସନ।

ତା’ସହ ବାପା ଅମୃତ ନାଗଙ୍କୁ ତଦନ୍ତବେଳେ ପୋଲିସ ଅଟକ ବି ରଖିଥିଲା। ସେଥିପାଇଁ ଜେଲ୍ ଯାଇଥିବା ଭାବି ଜାତି ଭାଇ ଜାତିରୁ ବାସନ୍ଦ ବି କରିଛନ୍ତି ଅମୃତଙ୍କୁ। ତେଣୁ ଅମୃତଙ୍କ ନିବେଦନ, ଜେଲ୍ ଯାଇନାହିଁ ବୋଲି ପୋଲିସ ଲେଖି ଦେଲେ, ଜାତି ଭାଇଙ୍କଠୁ ଶୁଦ୍ଧି ହୋଇ ଦାଦନ ଯିବେ। ଦାଦନ ଦହନରେ ଜର୍ଜରିତ ବଲାଙ୍ଗିରରେ ଗରିବୀର ଏଭଳି ସାଂଘାତିକ ଚିତ୍ର ପରେ ବି କାହିଁକି ନିରବ ସରକାର? ବାରମ୍ବାର ବିକାଶର ମାନଚିତ୍ର ଆଙ୍କୁଥିବା ଜିଲ୍ଲା ପ୍ରଶାସନ କାହିଁକି ଯୋଗାଇପାରୁନି କର୍ମ ସଂସ୍ଥାନ?

Advertisment
Couple Balangir Child Trafficking
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ