• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

କମିଶନରେଟ୍ ପୋଲିସର ଭରତପୁର କାଣ୍ଡକୁ ନେଇ ହୁଲସ୍ତୁଲ ରାଜ୍ୟ। ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କ ପ୍ରତି ବର୍ବର ଆଚରଣକୁ ନେଇ ତେଜିଲା ରାଜନୀତି। ଜାତୀୟ ସ୍ତରରେ ଓଡ଼ିଶା ପୋଲିସର ଛବିକୁ ଧୂମିଳ କରିଥିବା ଏ ଘଟଣାକୁ ବିରୋଧୀ ମୁଖ୍ୟ ମୁଦ୍ଦା କରି ସରକାରଙ୍କୁ ଘେରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଏ ସରକାର କାର୍ଯ୍ୟାନୁଷ୍ଠାନ ନେବାରେ କେବେ ପଛଘୁଞ୍ଚା ଦିଅନ୍ତିନି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। 

ଭରତପୁର ଥାନା କଳଙ୍କରେ ଲାଗିଲା ରାଜନୀତିର ଛିଟା । ସରକାରଙ୍କୁ ଘେରିଲେ ବିରୋଧୀ ବିଜେଡି ଓ କଂଗ୍ରେସ । ବିଚାର ବିଭାଗୀୟ ତଦନ୍ତ ଦାବି କଲେ ନବୀନ । କଂଗ୍ରେସ କହିଲା ଭରତପୁର କାଣ୍ଡ ପାଇଁ ବିଶ୍ବ ଦରବାରରେ ଲଜ୍ଜିତ ହୋଇଛି ରାଜ୍ୟ । ଭରତପୁର ଥାନାରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କ ପ୍ରତି ପୋଲିସର ବର୍ବର ଆଚରଣର ୫ ଦିନ ପରେ ମୋହନ ସରକାର ଉପରେ ହମଲାକୁ ତୀବ୍ର କରିଛି ବିରୋଧୀ ବିଜେଡି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ, ଯୌନ ଉତ୍ପୀଡନ ଅଭିଯୋଗ ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଲୋମହର୍ଷକ। ସରକାର ତୁରନ୍ତ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ।

ସେହିପରି କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି। କହିଛି ଗୃହ ବିଭାଗ ଦାୟିତ୍ବ ମୁଖ୍ୟମନ୍ତ୍ରୀଙ୍କ ପାଖେ ଅଛି। କିନ୍ତୁ ଘଟଣାରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଏଯାଏ ନିଆଯାଇନାହିଁ। ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ନିଲମ୍ବନ ନୁହେଁ, ସଂପୃକ୍ତ ଅଧିକାରୀଙ୍କ ବହିଷ୍କାର ଦାବି କରିଛନ୍ତି। 

ସେପଟେ ଘଟଣାରେ ମୁହଁ ଖୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଏ ସରକାର କାର୍ଯ୍ୟାନୁଷ୍ଠାନ ନହେବାରେ କେବେ ପଛଘୁଞ୍ଚା ଦିଅନ୍ତିନି। ଘଟଣା ସରକାରଙ୍କ ଦୃଷ୍ଟିକୁ ଆସିବା ମାତ୍ରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହିତ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ କ୍ରାଇମବ୍ରାଞ୍ଚକୁ ଏହାର ଯାଞ୍ଚ କରି ତୁରନ୍ତ ନିର୍ଦ୍ଦିଷ୍ଟ ସମୀୟ ସୀମା ଭିତରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଆବା ମାତ୍ରେ ଆଇନ୍ ଅନୁଯାୟୀ ଦୋଷୀଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡବିଧାନ କରାଯିବ। ମହିଳା ହିଂସା ବିରୁଦ୍ଧରେ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି ଏବଂ ମହିଳା ନିର୍ଯାତନାକୁ କୌଣସି ପ୍ରକାର ବରଦାସ୍ତ କରାଯିବ ନାହିଁ ବୋଲି ସିଏମଓ ପକ୍ଷରୁ କୁହାଯାଇଛି।

ପ୍ରସଙ୍ଗ ଜାତୀୟ ସ୍ତରରେ ବି ଉଠିଛି। ଜାତୀୟ ଗଣମାଧ୍ୟମ ଗୁଡ଼ିକ ଏ ଖବରକୁ ନେଇ ଘନ ଘନ ପ୍ରସାରଣ କରୁଥିବା ବେଲେ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେଟ୍ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ନିନ୍ଦା କରିଛନ୍ତି। ଅନ୍ୟପଟେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ମଧ୍ୟ ଆଜି ଭୁବନେଶ୍ବର ଏମ୍ସ ଯାଇ ପୀଡିତାଙ୍କୁ ଭେଟିବା ସହ ଭରତପୁର ଥାନାର ତତ୍କାଳୀନ ଆଇଆଇସିଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି। ଘଟଣାକୁ ଗୁରୁତ୍ବର ସହ ନେଇ ଜାତୀୟ ମହିଳା କମିଶନ୍ ନିଜ ଆଡୁ ମାମଲା ରୁଜୁ କରିବା ପରେ ଆଜି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଭରତପୁର ଥାନାକୁ 
ଯାଇ ତଦନ୍ତ ଆରମ୍ଭ କରିଛନ୍ତି।

ସେହିପରି ପ୍ରସଙ୍ଗ ହାଇକୋର୍ଟରେ ବି ପହଞ୍ଚିଛି। ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍. ଶେଖାୱତ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ମାମାଲରେ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଏପଟେ ଭରତପୁର କାଣ୍ଡ ପ୍ରତିବାଦରେ ବିଜେଡି ମହିଳା ଶାଖା ଆସନ୍ତାକାଲି ରାଜଭବନ ଆଗରେ ପ୍ରତିବାଦ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବ ବୋଲି କହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now