ଦୁଇ ମାସରେ ସରିବ ଆବାସ ସର୍ଭେ । ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଛି । ଗ୍ରାମ ସଭା ମାଧ୍ୟମରେ ପ୍ରତି ଗାଁରେ ସଚେତନତା କରାଯାଉଛି । ଲୋକଙ୍କୁ ସର୍ଭେରେ ସାମିଲ କରାଯାଉଛି । ଆବାସ ପାଇବାରୁ କାହାକୁ ବାଦ ଦିଆଯିବ ନାହିଁ । ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।
ବିଭାଗୀୟ ଟ୍ରେନରମାନେ ଗାଁ ଗାଁରେ ଲୋକଙ୍କୁ ଡାକି ସଚେତନ କରୁଛନ୍ତି । ଯିଏ ବଞ୍ଚିତ ହୋଇଛନ୍ତି, ଗରିବ ଅଛନ୍ତି । ସେମାନଙ୍କୁ ସାମିଲ କରାଯାଉଛି । ପୂର୍ବ ସରକାରରେ ଆକ୍ରୋଶ ମୂଳକ ଭାବେ ରାଜନୈତିକ ଅଭିସନ୍ଧି ରଖି ଗରିବମାନଙ୍କୁ ଆବାସ ତାଲିକାରୁ କାଟି ଦିଆଯାଉଥିଲା । ସର୍ଭେକୁ ବିଭାଗ ଅଧିକ ଗୁରୁତ୍ୱ ଦେଉଛି ।
ମନ୍ତ୍ରୀମାନେ ଜିଲ୍ଲା ଗସ୍ତ ସମୟରେ ଆବାସ ସର୍ଭେର ସମୀକ୍ଷା କରୁଛନ୍ତି । ଦିଲ୍ଲୀ ଗସ୍ତ ସମୟରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ ଆବାସ ବାବଦରେ ଆଲୋଚନା କରିବେ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ସେପଟେ କୋହଳ ହୋଇଛି ଆବାସ ଯୋଜନା ଯୋଗ୍ୟତା ମାନଦଣ୍ଡ । ଏଣିକି ବାଇକ୍, ଫ୍ରିଜ୍ କିମ୍ବା ଲ୍ୟାଣ୍ଡଫୋନ୍ ଥିଲେ ବି ମିଳିବ ଆବାସ ।
Also Read
ଅଧିକ ପଢ଼ନ୍ତୁ:୩ ଦିନ ଧରି ଦିଲ୍ଲୀର ଏକ ତାରକା ହୋଟେଲରେ ଥିଲେ IAS ବିଷ୍ଣୁପଦ ସେଠୀ
ନୂଆ ଗାଇଡଲାଇନ୍ ଜିଲ୍ଲାପାଳମାନଙ୍କୁ ପଠାଯାଇଛି । ବଡ଼ କଥା ହେଲା ଏଣିକି ଅନଲାଇନରେ ଆବେଦନ କରି, ନିଜେ ନିଜର ସର୍ଭେ କରି ପାରିବେ ଆଶାୟୀ । ଜାଣି ପାରିବେ କାହିଁକି ପଡିଲେ ବାଦ୍ । ଫ୍ରିଜ୍ ଓ ବାଇକ୍ ଥିଲେ ବି ମିଳିବ ଆବାସ । ନୂଆବର୍ଷରୁ ହେବ ନୂଆ ଆବାସ ସର୍ଭେ । ଜିଲ୍ଲାପାଳମାନଙ୍କୁ ନୂଆ ଗାଇଡ୍ ଲାଇନ୍ ପଠାଇଲା ବିଭାଗ ।
ହିତାଧିକାରୀ କରିପାରିବେ ନିଜର ସର୍ଭେ । ପ୍ରତି ପଞ୍ଚାୟତରେ କର୍ମଶାଳା କରି ସଚେତନ କରିବେ ସରକାର । ନୂଆ ଗାଇଡ୍ ଲାଇନରେ କଣ କୋହଳ ହୋଇଛି ନିୟମ? ଯୋଗ୍ୟତା ମାନଦଣ୍ଡରେ କୋହଳ କରାଯାଇ, ଏଣିକି ଦୁଇ ଚକିଆ ଯାନ, ଫ୍ରିଜ୍ ଅଥବା ଲ୍ୟାଣ୍ଡଲାଇନ୍ ଫୋନ ଥିଲେ ବି ଅଯୋଗ୍ୟ କରାଯିବ ନାହିଁ । ସବୁଠୁ ବଡ଼ କଥା ହେଲା ହିତାଧିକାରୀ ନିଜେ ନିଜର ଯୋଗ୍ୟତାକୁ ନେଇ ସର୍ଭେ କରିପାରିବେ ।
ଅନଲାଇନରେ ଆବାସ ପ୍ଲସ୍-୨୦୨୪ ୱେବସାଇଟରେ ଲଗ ଅନ କରି ଆଇଡି ତିଆରି କରିବେ । ବ୍ଲକ୍, ପଞ୍ଚାୟତ, ଗାଁର ନାଁ ଲେଖି, ପରେ ପରିବାର ମୁଖ୍ୟ ଏବଂ ସଦସ୍ୟଙ୍କ ବିବରଣୀ ଦେବାକୁ ହେବ। ହିତାଧିକାରୀ E-KYC, ଜମା ଖାତା ବିବରଣୀ ଦେବେ। ଗୃହ ସମ୍ବନ୍ଧୀୟ ତଥ୍ୟ ଦେଇ ଫଟୋ ଦେବାକୁ ପଡ଼ିବ ।
ସରକାରୀ ସର୍ଭେକୁ ହିତାଧିକାରୀ ସମ୍ମତି ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନେବେ ବ୍ଲକ୍ କର୍ତ୍ତୃପକ୍ଷ । ରାଜ୍ୟରେ ୨୮ ଲକ୍ଷ ୨୫ ହଜାର ପରିବାରକୁ ଗୃହ ମଞ୍ଜୁର କରାଯାଇଥିବା ସ୍ଥଳେ ୨୩ ଲକ୍ଷରୁ ଅଧିକ ଗୃହର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି । ଚଳିତ ବର୍ଷ ୧ ଲକ୍ଷ ୧୧ ହଜାର ୮୧୮ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି । ଅନ୍ୟପଟେ ବାଦ୍ ପଡ଼ିଥିବା ୫୦ ହଜାର ୯୬୩ ଆଶାୟୀଙ୍କ ଦରଖାସ୍ତକୁ ନୂଆ ସର୍ଭେ ସମୟରେ ବିଚାର କରିବେ ବୋଲି ବିଧାନସଭାରେ ଗତ କିଛିଦିନ ତଳେ ସ୍ପଷ୍ଟ କରିଛନ୍ତି ପଂଚାୟତିରାଜ ମନ୍ତ୍ରୀ ।