ପରିବର୍ତ୍ତନ ହେଉଛି ବଣ୍ଡା ଜନଜାତିଙ୍କ ଭାଗ୍ୟ । ବଦଳୁଛି ଜୀବନ ସହ ସେମାନଙ୍କ ବାସସ୍ଥାନ । ଦିନେ ଯେଉଁ ବଣ୍ଡାଘାଟି ସରକାରଙ୍କ ପାଇଁ ଥିଲା ଅମଡ଼ା, ଅପହଞ୍ଚ ଆଉ ଅନ୍ଧାରୀ ଇଲାକା, ଆଜି ସେଇଠି ଉଇଁଛି ବିକାଶର ସୂର୍ଯ୍ୟ । ଆବାସ ଖଣ୍ଡିକ ପାଇଁ ସ୍ବପ୍ନ ଦେଖୁଥିବା ବଣ ଜଙ୍ଗଲର ଏହି ମଣିଷଙ୍କ ଚାଳ ଛପର ଓ କୁଡ଼ିଆ ଜାଗାରେ ଏବେ କଂକ୍ରିଟ୍ ପଡ଼ି ମୁଣ୍ଡ ଟେକୁଛି ପିଏମ୍ ଆବାସ । ଯେଉଁ ଯୋଜନାରେ ଘର ନିର୍ମାଣ ପାଇଁ ବଣ୍ଡା ଜନଜାତି ଅଧିକ ଖର୍ଚ୍ଚାନ୍ତ ହେଉଥିବା ନେଇ ଖବର ପ୍ରସାରଣ କରିଥିଲା ଓଟିଭି । ତା ପରେ ରାଜ୍ୟ ସରକାର ମଧ୍ୟ ଦେଖାଇଥିଲେ ତତ୍ପରତା। ଏହାପରଠୁ ବଦଳିବା ଆରମ୍ଭ କରିଛି ବଣ୍ଡାଘାଟିର ଚିତ୍ର ।
Also Read
ସିମେଣ୍ଟ...ବାଲି...ଗୋଡ଼ି...ଲୁହା ଛଡ଼ ସହ ନିଅଁ ପଡୁଛି... ବଣ ପାହାଡ଼ ଇଲାକାର ମଣିଷଙ୍କ ପାଇଁ ଆଉ ଚାଳ ଛପର କି କୁଡ଼ିଆ ନୁହେଁ, ତିଆରି ହେଉଛି ପକ୍କା ଘର । ନା ଆଉ ଝଡ଼ବତାସର ଡର ଥିବ ନା ଖରା-ଶୀତର ପ୍ରକୋପ ରହିବ। ଏବେ ବଣ୍ଡାଘାଟିର ମଣିଷ ରହିବେ ପକ୍କା ଘରେ । ଅତିରିକ୍ତ ସରକାରୀ ଅନୁଦାନ ପହଞ୍ଚିବା ପରେ ଘର ନିର୍ମାଣରେ ଲାଗିପଡ଼ିଛନ୍ତି ଜନଜାତି ।
ଅଧିକ ପଢ଼ନ୍ତୁ: ସ୍ମାର୍ଟ ସିଟିର ସ୍ମାର୍ଟ ଲୁଟେରା, ଟାର୍ଗେଟରେ ହୋଟେଲରେ ହେଉଥିବା ବିବାହ
ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ମୁଦୁଲିପଡ଼ା । କାର୍ଯ୍ୟାଦେଶ ପରଠୁ ନିର୍ମାଣ ହେଉଛି ପ୍ରଧାନମନ୍ତ୍ରୀ ଆବାସ । କାହାର ନିଅଁ ପଡ଼ିଗଲାଣି ତ ଆଉ କାହାର ପିଲାର୍ ଉଠିଲାଣି । ଆଉ କେଇଟା ଦିନ ପରେ ଛାତପଡ଼ିବ । ସେଥିପାଇଁ ଖୁସ୍ ଅଛନ୍ତି ବଣ୍ଡାଘାଟିର ପିଏମ୍ ଆବାସ ହିତାଧିକାରୀ ।
ବିକାଶଠୁ ବହୁ ଦୂରରେ ଥିବା ବଣ୍ଡାଘାଟିର ଜନଜାତିଙ୍କ ଉନ୍ନତି ନାଁରେ ତିଆରି ହେଉଥିଲା ମାଳ ମାଳ ସରକାରୀ ଯୋଜନା । କିନ୍ତୁ ଯୋଜନା ଥିଲା ଯୋଜନ ଦୂରରେ । ମୁଦୁଲିପଡ଼ା ଏବଂ ଅଣ୍ଡ୍ରାହାଲକୁ ମିଶାଇ ୨ଟି ପଞ୍ଚାୟତର ୩୧ ଗାଁରେ ଯାହା ବି ପହଞ୍ଚୁଥିଲା ସମୁଦ୍ରକୁ ଶଙ୍ଖେ । ତା’ମଧ୍ୟରୁ ପିଏମ୍ ଆବାସ ପାଇଁ ଅନୁଦାନ ଆସୁଥିଲେ ବି ନିର୍ମାଣ ବାବଦକୁ ମାତ୍ରାଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିଲା ଏହି ଗରିବ ଜନଜାତିଙ୍କୁ ।
ଓଟିଭିରେ ଏହି ଖବର ପ୍ରସାରଣ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଣ୍ଡାଘାଟିକୁ ଯାଇ ସ୍ଥିତି ଦେଖିଥିଲେ । ମୋହନ ସରକାର ମଧ୍ୟ ପ୍ରତି ହିତାଧିକାରୀଙ୍କୁ ଅତିରିକ୍ତ ୫୦ ହଜାର ଟଙ୍କା ମଞ୍ଜୁରୀ କରି ବଣ୍ଡାଘାଟିରେ ପିଏମ୍ ଆବାସ ଯୋଜନାକୁ ତ୍ବରାନ୍ବିତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏବେ ମୁଦୁଲିପଡ଼ା ପଞ୍ଚାୟତରେ ୧୩୭ ଏବଂ ଅଣ୍ଡ୍ରାହାଲ୍ ପଞ୍ଚାୟତରେ ୨୫୮ ଆବାସ ନିର୍ମାଣ ଜାରି ରହିଛି । ପ୍ରତି ହିତାଧିକାରୀ ୨ ଲକ୍ଷ ୩୦ ହଜାର ଟଙ୍କାରେ ନିର୍ମାଣ କରୁଛନ୍ତି ପକ୍କା ଘର ।