ସମସ୍ୟା ଘେରରେ ପାରାଦୀପ ନୂଆବଜାର ମାର୍କେଟ ବିଭନ୍ନ ଅବ୍ୟବସ୍ଥା କାରଣରୁ ଏହି ମାର୍କେଟକୁ ଗ୍ରାହକ ଆସୁନଥିବା ଦେଖିବାକୁ ମିଳୁଛି । ଜରାଜୀର୍ଣ୍ଣ ଏବଂ ବିପଦସଙ୍କୁଳ ମାର୍କେଟ କମ୍ପ୍ଲେକ୍ସରେ ବେପାର ନହେବାରୁ ଦୋକାନ ଗୁଡିକରେ ତାଲା ଝୁଲୁଛି । ଏହାକୁ ନେଇ ବ୍ୟବସାୟୀ ଚିନ୍ତାରେ ରହିଛନ୍ତି ।
ଅପରପକ୍ଷେ ପାରାଦୀପ ପୋର୍ଟ ଏବଂ ପୌର ପ୍ରଶାସନଙ୍କୁ ଅଭିଯୋଗ ପରେବି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଦୋକାନୀ । ତେବେ ଏନେଇ ବନ୍ଦର କର୍ତ୍ତୃପକ୍ଷଙ୍କ ସହ କଥା ହେବେ ବୋଲି ପୌରାଧ୍ୟକ୍ଷ କହିଛନ୍ତି । ପାରାଦୀପ ପୋର୍ଟ ପାଖରୁ ଘର ଭଡା ନେଇ ଛୋଟ ଛୋଟ ଦୋକାନ କରିଛନ୍ତି ୧୨୩ ଜଣ ଦୋକାନୀ । ପରିବାର ଚଳାଇବା ପାଇଁ ପାନ ଦୋକାନରୁ ନେଇ ଷ୍ଟେସନାରୀ, ଟେଲର୍ ଏବଂ ଜଳଖିଆ ଦୋକାନ କରିଛନ୍ତି ।
Also Read
ମାତ୍ର ଅବ୍ୟବସ୍ଥା ଯୋଗୁ ଏଠି ମାଟି ମାଡ଼ୁନାହାନ୍ତି ଗ୍ରାହକ । ଫଳରେ କିଛି ଦୋକାନୀ ବାହାରେ ଠେଲା ପକାଇଛନ୍ତି ତ ଆଉ କିଛି ହାତ ବାନ୍ଧି ବସିଛନ୍ତି । ଜରାଜୀର୍ଣ୍ଣ ବିପଦସଙ୍କୁଳ ଅବସ୍ଥାରେ ରହିଛି ମାର୍କେଟ କମ୍ପ୍ଲେକ୍ସ । ଡ୍ରେନ୍ ପୋତି ହୋଇ ଜଳ ନିଷ୍କାସନ ହୋଇପାରୁ ନଥିବା ବେଳେ, କାନ୍ଥ ଛାତରୁ ପ୍ଲାଷ୍ଟର ଖସୁଛି । ଭଙ୍ଗା ବିଲ୍ଡିଂରେ ବରଗଛ ଉଠିଲାଣି ।
ଏହି ସମସ୍ୟା ନେଇ ପାରାଦୀପ ପୋର୍ଟ ଏବଂ ପୌର ପ୍ରଶାସନର ଦୃଷ୍ଟି ଆକର୍ଷଣ ସତ୍ତ୍ବେ କିଛି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ନେଇ ବନ୍ଦର କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ପୌରାଧ୍ୟକ୍ଷ କହିଛନ୍ତି, ସଫେଇ କାର୍ଯ୍ୟ ବ୍ୟତୀତ ଅନ୍ୟ କାର୍ଯ୍ୟ ଆମ ହାତରେ ନାହିଁ । ଲୋକଙ୍କ ଜବରଦଖଲ ଯୋଗୁଁ ଡ୍ରେନେଜ ସମସ୍ୟା ହେଉଛି । ଅନ୍ୟପଟେ ଏନେଇ ପୋର୍ଟ କର୍ତ୍ତୃପକ୍ଷଙ୍କ ସହ କଥା ହେବେ ବୋଲି ଆଶ୍ବାସନା ଦେଇଛନ୍ତି ପୌରାଧ୍ୟକ୍ଷ । କେବେ ମାର୍କେଟର ଚିତ୍ର, ବଦଳିବ ଏବଂ କେବେ ଦୋକାନୀଙ୍କ ଅବସ୍ଥା ସୁଧୁରିବ ତାହା ଦେଖିବା ବାକି ରହିଲା ।