• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ସପ୍ତାହକ ଭିତରେ ଭିଜିଲାନ୍ସ ଜାଲରେ ପଡିଲେଣି ୧୦ରୁ ଅଧିକ ସରକାରୀ ବାବୁ । ତା ଭିତରେ ଅଛନ୍ତି ବରିଷ୍ଠ ଯନ୍ତ୍ରୀ ଏବଂ ଯୁଗ୍ମ କମିଶନର । କାହାର ସଂପତ୍ତି ଆୟର ୪୫୦ ପ୍ରତିଶତ ତ କିଏ ଅର୍ଜିଛି ଆୟ ତୁଳନାରେ ଅଢେଇ ଶହ ପ୍ରତିଶତ ଅଧିକ । ରୋଚକ କଥା ହେଉଛି, ଭିଜିଲାନ୍ସ ଜାଲରେ ପଡିଥିବା ଏହି ବଡ଼ ମାଛମାନେ ଲାଂଚ ଟଙ୍କାରେ କିଣିଛନ୍ତି ମାଳ ମାଳ ପ୍ଲଟ୍ ଓ ଫ୍ଲାଟ୍ । ତେବେ କାହିଁକି ? ଜମିଜମାକୁ ସୁରକ୍ଷିତ ନିବେଶ ଭାବୁଛନ୍ତି କି ଏସବୁ ସରକାରୀ ବାବୁ ?

ଆନନ୍ଦପୁର ବ୍ୟାରେଜ୍ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ବାବୁଙ୍କ ଠାରୁ ମିଳିଛି ୮୫ଟି ପ୍ଲଟ୍ ତାଭିତରୁ କେବଳ ଜଳେଶ୍ୱରରେ ରହିଛି ୮୦ଟି ପ୍ଲଟ୍ । ଅବକାରୀ ବିଭାଗ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର ଏ ବାବୁ କିଣିଥିଲେ ୫୨ ଟି ପ୍ଲଟ୍ ଭୁବନେଶ୍ୱର ଓ ବରଗଡ଼ରେ ୨ଟି ଫ୍ଲାଟ୍ ସହ ୬ଟି ବହୁତଳ କୋଠା ଫାର୍ମ ହାଉସ ବି ରହିଛି ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀ ସୁନୀଲ ରାଉତ ଇଞ୍ଜିନିୟର ବାବୁଙ୍କ ରହିଛି ୩୬ ଟି ପ୍ଲଟ୍ । ୟୁପି ମଥୁରାରେ ୨ଟି ପ୍ଲଟ୍ ସହ ଫାର୍ମ ହାଉସ୍ ।

ଭିଜିଲାନ୍ସ ଜାଲରେ ପଡ଼ି ଗିରଫ ହୋଇଥିବା ଏହି ସରକାରୀ ବାବୁମାନେ ବାବୁ ଠୁଳ କରିଛନ୍ତି, କୋଟି କୋଟି ଟଙ୍କାର ସଂପତ୍ତି। ଆଉ,ସଂପତ୍ତିର ମୂଳରେ ରହିଛି ଜମି । କାହାର ୮୦ରୁ ଅଧିକ ତ କିଏ କିଣିଛି ୫୦ରୁ ଅଧିକ ପ୍ଲଟ୍। କଳା ଟଙ୍କାରେ କିଣିଛନ୍ତି ମାଳ ମାଳ ଜମି। ଆଉ ସେସବୁକୁ ପତ୍ନୀ, ପୁଅ-ଝିଅ ଓ ସଂପର୍କୀୟଙ୍କ ନାଁରେ କରିଛନ୍ତି । ବଜାରରେ ଜମିର ଚାହିଦା ଏବଂ ସୁରକ୍ଷିତ ନିବେଶ ଭାବି କିଣି ଚାଲିଛନ୍ତି ଗୋଟିକ ପରେ ଗୋଟିଏ ପ୍ଲଟ୍ ଆଉ ଫ୍ଲାଟ୍ । 

ଏମାନଙ୍କ ଭଳି ପ୍ରତିଦିନ ବଡ ବଡ ମାଛ ପଡୁଛନ୍ତି ଭିଜିଲାନ୍ସ ଜାଲରେ । ପ୍ରଶ୍ନ ଉଠୁଛି, କାହା ଛତ୍ରଛାୟାରେ ଓ କେଉଁ ପ୍ରଭାବଶାଳୀଙ୍କ ଆଶୀର୍ବାଦରେ ଏମାନେ ଠିଆ କରିଥିଲେ କଳାଧନର ସାମ୍ରାଜ୍ୟ ? ବର୍ଷ ବର୍ଷ ଧରି ଅସାଧୁ ଉପାୟରେ କଳାଧନ କମାଉଥିଲେ ବି ଭିଜିଲାନ୍ସ କିଛି ଜାଣିପାରୁନଥିଲା ନା ସବୁ ଜାଣି ସାଜିଥିଲା ନିରବଦ୍ରଷ୍ଟା ? ଜଣେ ୫୦-୬୦ଟି ପ୍ଲଟ୍ କିଣିବା ଯାଏଁ କେମିତି ଟେର୍ ପାଇପାରୁନଥିଲା ଭିଜିଲାନ୍ସ ? ସେହିପରି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରୁଥିବା ବେଳେ କାହିଁକି ସରକାରୀ ଅଧିକାରୀଙ୍କ ମନରେ ସୃଷ୍ଟି ହେଉନି ଭୟ ? ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା ନା ଦୋଷୀ ସାବ୍ୟସ୍ତର କମ୍ ପରିମାଣ,ଏହାର କାରଣ ?

  • Reported by:
  • DEBASHISH MOHANTY , ATULYA BOUT , Niranjan Behera

OTV is now on Whatsapp

Join and get latest news update delivered to you via whatsapp

Join Now