• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସ୍ମାର୍ଟ ସିଟି ଭୁବନେଶ୍ୱରରେ ଆଉ କେତେ ମୁଣ୍ଡ ଗଡ଼ିବା ପରେ ଚେତିବ BMC ? ଆଉ କେତେ ଘର ଉଜୁଡ଼ିବା ପରେ ସଜଡ଼ା ଯିବ ମୁକୁଳା ଡ୍ରେନ୍ ? ଗତକାଲି ୟୁନିଟ୍-୩ ମସଜିଦ ବସ୍ତିରେ ମୁକୁଳା ଡ୍ରେନରେ ପଡ଼ି ପୁଣି ଜଣେ ବାଳକର ମୃତ୍ୟୁ ଏବଂ ଗଲା ୭ ବର୍ଷ ଭିତରେ ୬ଟି ଅମୂଲ୍ୟ ଜୀବନ ଯିବା ପରେ ଏ ପ୍ରଶ୍ନ ଉଠିଛି। ଏପଟେ ଗତକାଲି ଘଟଣା ପରେ ଆଜି ନଗର ଉନ୍ନୟନ ମନ୍ତ୍ରୀ ଗ୍ରାଉଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ ସହ ଆସନ୍ତା ୩ ଦିନ ଭିତରେ ସମସ୍ତ ମୁକୁଳା ଡ୍ରେନରେ ଘୋଡ଼ଣୀ ଓ ବ୍ୟାରିକେଡିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜଧାନୀରେ ଆଉ କେତେ ମୁଣ୍ଡ ନେବ ମୁକୁଳା ଡ୍ରେନ୍ ? ଟିକିଏ ବର୍ଷା ହେଲେ, ଆଉ କେତେଦିନ ଯାଏଁ ବିପଦଶଙ୍କୁଳ ହୋଇ ଉଠୁଥିବ ଭୁବନେଶ୍ୱର ମହାନଗରୀ ? ଗତକାଲି ୟୁନିଟ୍ ୩ ମସଜିଦ୍ କଲୋନୀରେ ଜଣେ ୧୦ ବର୍ଷୀୟ ବାଳକର ଅଭାବନୀୟ ମୃତ୍ୟୁ ପରେ ରାଜଧାନୀ ବାସିନ୍ଦାଙ୍କୁ ଘାରିଛି ଏ ଚିନ୍ତା। ଭୁବନେଶ୍ୱରକୁ ସ୍ମାର୍ଟ ସିଟିର ମାନ୍ୟତା ପରେ ସହରର କଳେବର ବଦଳୁଥିଲେ ବି ଏପର୍ଯ୍ୟନ୍ତ କିନ୍ତୁ, ମୁକଳା ଡ୍ରେନର ଡର ମନରୁ ଦୂର ହୋଇପାରୁନି।

ଗଲା ପ୍ରାୟ ୭ ବର୍ଷ ଭିତରେ ମୁକୁଳା ଡ୍ରେନ ୬ରୁ ଅଧିକ ଜୀବନ ନେବା ପରେ ବି ସୁଧୁରି ପାରୁନି ମଣିଷ ମରା ଡ୍ରେନର ଦୁରବସ୍ଥା। ଗତକାଲି ଦୁର୍ଘଟଣା ପରେ ମୃତ ବାଳକ ଉଦ୍ଧାର ହୋଇଥିବା ଲକ୍ଷ୍ମୀସାଗର ନୀଳକଣ୍ଠନଗର ଅଞ୍ଚଳର ଚିତ୍ର ହିଁ ବୟାନ କରୁଛି ସେହି ସ୍ଥାନର ଭୟାବହତା। ଏଠି ବି ବହୁ ଦିନ ଧରି ଅଧାରେ ଅଟକି ରହିଛି ୱାଲ କାମ। ଫଳରେ ଟିକିଏ ଅଧିକ ବର୍ଷା ହେଲେ କିମ୍ବା ଉପର ମୁଣ୍ଡରୁ ଅଧିକ ପାଣି ଆସିଲେ ପ୍ରାଣଘାତୀ ହୋଇପାରେ। ସେହିଭଳି ଅବସ୍ଥା ରସୁଲଗଡ଼ ଜିଜିପି କଲୋନୀର ଶବର ସାହି ଅଞ୍ଚଳର। ଏଠି ବି ଦୀର୍ଘ ଦିନ ହେବ ଏମିତି ଖୋଲାମେଲା ଅବସ୍ଥାରେ ପଡ଼ି ରହିଛି ଡ୍ରେନ୍। ସେହିଭଳି ପୁରୁଣା ଭୁବନେଶ୍ୱରର ଚିନ୍ତାମଣିଶ୍ୱର ଅଞ୍ଚଳରେ ବି ଅନୁରୂପ ଅବସ୍ଥା। ବର୍ଷାଦିନ ଆସିବାକୁ ବସିଥିବା ବେଳେ ଏପଟେ ସହରରେ ଡ୍ରେନଗୁଡ଼ିକର ବିପର୍ଯସ୍ତ ଚିତ୍ର, ସ୍ଥାନୀୟ ଅଧିବାସୀଙ୍କୁ ଛାନିଆ କରିଛି।

ଏପଟେ ଗତକାଲିର ଘଟଣା ପରେ ରାଜଧାନୀର ମୁକୁଳା ଡ୍ରେନ୍‌କୁ ନେଇ ଆକ୍ସନ ମୋଡରେ ମନ୍ତ୍ରୀ। କାଲିର ଘଟଣା ପାଇଁ ଦାୟୀ କିଏ, ଡ୍ରେନ୍ ବ୍ୟାରିକେଡିଂ କାହିଁକି ହୋଇନଥିଲା ଏବଂ କେଉଁ ପରିସ୍ଥିତିରେ ଅଧାରୁ କାମ ବନ୍ଦ ହୋଇଥିଲା, ଆଜି ସୁଦ୍ଧା ଉତ୍ତର ରଖିବାକୁ ବିଏମସି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଆଜି ମନ୍ତ୍ରୀ, ସ୍ଥାନୀୟ ବିଧାୟକ ଏବଂ ବିଭାଗୀୟ ଅଧିକାରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ମୃତ ବାଳକ ଆବୁ ବକର ସାହଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ ମନ୍ତ୍ରୀ।

ରାଜଧାନୀରେ କେତେ ଡ୍ରେନ୍ ମୁକୁଳା ପଡ଼ିଛି, କେଉଁଠି ବ୍ୟାରିକେଡିଂ ହୋଇନି ଏବଂ କେଉଁ ଡ୍ରେନର କାମ ଅଧାରେ ଅଟକିଛି ସେ ସମ୍ପର୍କରେ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି ମନ୍ତ୍ରୀ। ତା ସହ ଏ କାମକୁ ଆସନ୍ତା ୩ ଦିନ ଭିତରେ ସାରିବାକୁ ନିର୍ଦ୍ଦେଶ ବି ଦେଇଛନ୍ତି। କାଲିର ଘଟଣା ପାଇଁ ଯିଏ ଦାୟୀ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶକ୍ତ ଚେତାବନୀ ବି ଦେଇଛନ୍ତି ମନ୍ତ୍ରୀ।

ସୂଚନା ଅନୁସାରେ ବିଏମସି ଅଞ୍ଚଳରେ ରହିଛି ମୋଟ ୮୦୦ କିଲୋମିଟର ଲମ୍ବର ସେକେଣ୍ଡାରୀ ଓ ଟରସିଆରି ବା ସବ୍ ଡ୍ରେନ୍। ସେହିଭଳି ଦୀର୍ଘ ୭୭ କିଲୋମିଟିର ବିଶିଷ୍ଟ ମୁଖ୍ୟ ଡ୍ରେନ ମଧ୍ୟ ରହିଛି। ସେକେଣ୍ଡାରୀ ଓ ସବ୍ ଡ୍ରେନ୍ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ମୁଖ୍ୟ ଡ୍ରେନ୍ କାର୍ଯ୍ୟ ଏଇ ମାସ ୨୦ ତାରିଖ ସୁଦ୍ଧା ଶେଷ କରିବାକୁ ସୂଚନା ଦେଇଥିଲେ ବିଏମସି କମିଶନର।

OTV is now on Whatsapp

Join and get latest news update delivered to you via whatsapp

Join Now