/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730106966.jpg)
Inspiring Story
ଏ ଘଟଣା କୌଣସି ଫିଲ୍ମଠୁ କମ୍ ନୁହେଁ । ଦ୍ୱାଦଶ ଶ୍ରେଣୀରେ ଫେଲ୍ ହେବା ପରେ ଅଧାରେ ପାଠ ଛାଡ଼ିଥିବା ପିଲା ଯେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ପାସ୍ କରିପାରିବ ତାହା ଭାବିବା ବି ଆଶ୍ଚର୍ଯ୍ୟର କଥା । IPS ମନୋଜ ଶର୍ମାଙ୍କ ଜୀବନକୁ ନେଇ ହିନ୍ଦୀ ଫିଲ୍ମ 12TH FAIL ନିର୍ମାଣ କରାଗଲା । ଆଉ ଏବେ ଓଡ଼ିଶାରେ ବି ସେମିତି କିଛି ଘଟିଛି ।
12th Fail ସିନେମାରେ IPS ମନୋଜ ଶର୍ମାଙ୍କ କାହାଣୀକୁ ସାରା ଭାରତ ଦେଖିଲା । ଦ୍ୱାଦଶରେ ଫେଲ୍ ହୋଇ ବି ଜୀବନରେ, ନିଜ ଲକ୍ଷ୍ୟରେ ସଫଳ ହେଇପାରିଲେ ମନୋଜ । ମଧ୍ୟପ୍ରଦେଶର ଡକାୟତଗଡ଼ ଚମ୍ବଲରୁ IPS ହେବାର ଏହି ଯାତ୍ରା କୋଟି କୋଟି ଆଶାୟୀଙ୍କ ମନରେ ନୂଆ ସାହସ ଦେଇଥିଲା ।
ହେଲେ ଏମିତି ଜଣେ ଓଡ଼ିଆ ଯାହାଙ୍କ କାହାଣୀ ବି 12th Fail ସିନେମା ଭଳି । ଗଞ୍ଜାମ ବେଲଗୁଣ୍ଠା ବ୍ଲକ ସିରିକୋଇ ଗାଁର ବିଷ୍ଣୁ ଚରଣ ନାୟକ । ଆର୍ଥିକ ଅନଟନରେ ପେଷି ହେଉଥିବା ବିଷ୍ଣୁଙ୍କ ଜୀବନ ଏବେ ଯେମିତି ଥିଲା, ୨୦୧୦ ମସିହାରେ ସେମିତି ନଥିଲା । ଦ୍ୱାଦଶ ଶ୍ରେଣୀରେ ଫେଲ୍ ହେବା ପରେ ପାଠ ପଢ଼ା ଛାଡ଼ି ଦେଇଥିଲେ ବିଷ୍ଣୁ ।
ଗାଁରେ କାମ ମିଳିନଥିଲା, ଜୀବନର ଦିଶା ବି କିଛି ଦେଖା ଯାଇନଥିଲା । ବାଧ୍ୟ ହୋଇ କିଛି ରାସ୍ତା ନପାଇ ବିଷ୍ଣୁ ବାହାରିଥିଲେ ସୁରତ । ସେଠି ଗାଁର କିଛି ଲୋକଙ୍କ ସହ ମିଶି ଦିନ ମଜୁରିଆ ଭାବେ ସୁତା କଳରେ କାମ କରୁଥିଲେ । ମାସକୁ ଦରମା ଥିଲା ୮ ହଜାର, ହେଲେ ସେତିକିରେ ହାର ମାନିନଥିଲେ ।
ଯୁକ୍ତ ଦୁଇ ପଢ଼ିଲେ, ଯୁକ୍ତ ତିନି ବି ସାରିଲେ ଆଉ ଲାଗିପଡ଼ିଲେ ଉଚ୍ଚ ଶିକ୍ଷା ପାଇଁ । ଦିନରେ କାମ, ରାତିରେ ପାଠ ପଢ଼ିବା । କୁହାଯାଏ ନା, ଦୃଢ଼ ଇଚ୍ଛା ଶକ୍ତି ଆଗରେ ସବୁ ପ୍ରତିବନ୍ଧକ ହାର ମାନେ, ଏଠି ବି ସେମିତି କିଛି ଘଟିଥିଲା । ବିଷ୍ଣୁ NET କ୍ଲିୟର୍ କଲେ, ଗୁଜରାଟର ଏକ ବିଶ୍ୱ ବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର୍ ଭାବେ ନିଜ ଜୀବନରେ ନୂଆ ଯାତ୍ରା ଆରମ୍ଭ କଲେ ।
ହେଲେ ଏତିକିରେ କାହାଣୀ ସରିନି କି ଏତିକିରେ ବିଷ୍ଣୁଙ୍କ ସ୍ୱପ୍ନ ପୂରଣ ହୋଇନଥିଲା । ପ୍ରଶାସନିକ ଅଧିକାରୀ ହେବାକୁ ଲାଗିପଡ଼ିଲେ ଆଉ ପ୍ରଥମ ପ୍ରୟାସ ପ୍ରଥମ ପରୀକ୍ଷାରେ ୪୨୬ ରାଙ୍କ ହାସଲ କଲେ । ଦିନେ ଯିଏ ଦାଦନ ଖଟି ଯାଇଥିଲା ଆଜି ସେ ଦାଦନ ମୁକ୍ତ କରିବାକୁ ସଂକଳ୍ପ ନେଇଛନ୍ତି । ଦିନେ ଯିଏ ୧୨th Fail ହେଇଥିଲେ ଆଜି ସେ ପାଲଟିଛନ୍ତି ଅଫିସର୍ ।
ଜୀବନରେ ସ୍ୱପ୍ନ ଦେଖିବା ଜରୁରୀ, ସ୍ୱପ୍ନ ପୂରଣ ପାଇଁ ପ୍ରୟାସ କରିବା ବି ଜରୁରୀ ।12th Fail ଚମ୍ବଲର IPS ମନୋଜ ଶର୍ମା ହୁଅନ୍ତୁ ଅବା ଗଞ୍ଜାମର ବିଷ୍ଣୁ ନାୟକ ଏହାର ବଡ଼ ଉଦାହରଣ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)