Advertisment

OMFED Price Hike: ଚାଷୀଙ୍କୁ ଫାଇଦା, ଖାଉଟିଙ୍କୁ ବୋଝ : ୩ ବର୍ଷ ପରେ ମହଙ୍ଗା ଓମଫେଡ୍ କ୍ଷୀର

୩ ବର୍ଷ ପରେ ମହଙ୍ଗା ହେଲା ଓମଫେଡ୍ କ୍ଷୀର । ଆଜିଠୁ ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୩ ଟଙ୍କା ଅଧିକ ଦାମ ଦିଆଯିବ। ସେପଟେ ଖାଉଟିଙ୍କ ପାଇଁ ଓମଫେଡ୍ ଲିଟର ପିଛା ୨ ଟଙ୍କା ମହଙ୍ଗା ହୋଇଛି।

ଅଦ୍ୟତନ ହୋଇଛି
OMFED Price Hike

OMFED Price Hike

Advertisment

ତିନି ବର୍ଷ ପରେ ମହଙ୍ଗା ହେଲା ଓମଫେଡ୍ କ୍ଷୀର ଦର। ବିଶ୍ବଦୁଗ୍ଧ ଦିବସ ଅବସରରେ ଓମଫେଡ୍ ଦୁଗ୍ଧଚାଷୀଙ୍କୁ ଲିଟର ପିଛା ଅଧିକ 3 ଟଙ୍କା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଖାଉଟିଙ୍କ ପାଇଁ ଲିଟର ପିଛା ଦୁଇ ଟଙ୍କା ବଢ଼ିଛି। ଆସନ୍ତା 13 ତାରିଖରୁ ଏହି ନୂଆ ଦର ଲାଗୁ ହେବାକୁ ଥିବାବେଳେ ଚାଷୀଙ୍କ ପାଇଁ କିନ୍ତୁ ଆଜିଠୁ ବର୍ଦ୍ଧିତ ଦର ଲାଗୁ ହୋଇଛି। ନୂଆ ଦର ଲାଗୁ ହେଲେ ଓମଫେଡ୍ ଅଧଲିଟର ପ୍ୟାକେଟର ଦର 26 ଟଙ୍କାରୁ ବଢ଼ି 27 ଟଙ୍କା ହେବ। ବିଶ୍ବ ଦୁଗ୍ଧ ଦିବସ ପାଳନ ଅବସରରେ ରାଜ୍ୟର ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ ଭେଟି ସ୍ବରୂପ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି, "ଆଜିଠୁ ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା 3 ଟଙ୍କା ଅଧିକ ଦାମ ଦିଆଯିବ। ଖାଉଟିମାନଙ୍କ ପାଇଁ ବୃଦ୍ଧି ହେବାକୁ ଥିବା ଲିଟର ପ୍ରତି 4 ଟଙ୍କାରୁ 2 ଟଙ୍କା ସରକାର ବହନ କରିବେ। ଏହାଦ୍ବାରା ରାଜ୍ୟର ପ୍ରାୟ ଅଢ଼େଇ ଲକ୍ଷ ଗୋପାଳକ ସିଧାସଳଖ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଶେଷଥର ପାଇଁ 2022 ଏପ୍ରିଲରେ ଓମଫେଡ କ୍ଷୀର ଲିଟର ପିଛା 2 ଟଙ୍କା ବଢ଼ିଥିଲା। କିନ୍ତୁ ଏହାପରଠୁ ବଜାର ଦର ଓ ଉତ୍ପାଦନ ଖର୍ଚ୍ଚକୁ ଦେଖି ଦର ବୃଦ୍ଧି ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ପୂର୍ବ ସରକାର ଏହାକୁ ଅଣଦେଖା କରି ଆସୁଥିଲେ।" ମୋହନ ସରକାରର ପ୍ରଥମ ବର୍ଷରେ କ୍ଷୀର ଦର ବୃଦ୍ଧି ନେଇ ଏ ଘୋଷଣାକୁ ସ୍ବାଗତ କରିଛି ଦୁଗ୍ଧଚାଷୀ ମହାସଂଘ।

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଖାଉଟିଙ୍କ ପାଇଁ ଓମଫେଡ୍ ଲିଟର ପିଛା 2 ଟଙ୍କା ମହଙ୍ଗା ହୋଇଛି। ଅର୍ଥାତ୍ ପ୍ରତି ଅଧଲିଟିର ପ୍ୟାକେଟରେ ଟଙ୍କାଏ ମହଙ୍ଗା। ଖାଉଟିଙ୍କ ପାଇଁ ଏଇ ବର୍ଦ୍ଧିତ ଦର ଆସନ୍ତା 13 ତାରିଖରୁ ଲାଗୁ ହେବ ବୋଲି ସୂଚନା ମିଳିଛି। ନୂଆ ଦର ଲାଗୁ ହେଲେ ଅଧଲିଟର ଓମଫେଡ୍ ପ୍ରିମିୟମ୍ ଓ ଗୋଲ୍ଡ ପ୍ୟାକେଟର ଦର 26ରୁ 27 ଟଙ୍କା ଏବଂ  ଟୋନ୍ଡ ମିଲକ୍ ପ୍ୟାକେଟ୍ ଦର 23 ଟଙ୍କାରୁ ବଢ଼ି 24 ଟଙ୍କା ହେବ। ଦୁଗ୍ଧ ଦର ବୃଦ୍ଧିକୁ ନେଇ ଚାଷୀ ଖୁସି ଥିଲା ବେଳେ ଚିନ୍ତାରେ ଖାଉଟି। କାରଣ କ୍ଷୀର ଦର ବଢୁ ବଢୁ ଦହି, ପନିର, ଛେନା, ଘିଅ ଭଳି ସବୁ ଦୁଗ୍ଧଜାତ ସାମଗ୍ରୀ ସହ ଚା ଓ ମିଠା ଦର ଉପରେ ବି ପ୍ରଭାବ ପଡ଼ିବ।

 ବିଶ୍ବ ଦୁଗ୍ଧ ଦିବସ ପାଳନ ଅବସରରେ ଓମଫେଡ ଚାଷୀଙ୍କ ପାଇଁ ଦୁର୍ଘଟଣା ବୀମା ସହାୟତା ରାଶି ବି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଦୁର୍ଘଟଣା ଜନିତ ମୃତ୍ୟୁ କ୍ଷେତ୍ରରେ ଚାଷୀଙ୍କୁ 1 ଲକ୍ଷ ଟଙ୍କାର ସହାୟତା ଦିଆଯିବ। ଏହି ଅବସରରେ ଓମଫେଡର ତିନିଟି ନୂଆ ଉତ୍ପାଦର ବଜାର ପ୍ରବେଶ ହୋଇଛି। ଏଇ ତିନୋଟି ଉତ୍ପାଦ ହେଲା ଓମଫେଡ୍ ବାଲ୍ଟି ଦହି, ବିଞ୍ଝାରପୁରୀ ଗାଈ ପ୍ରଜାତିର A-2 କ୍ଷୀର ଏବଂ ଏହି ବିଞ୍ଝାରପୁରୀ ଗାଈ କ୍ଷୀରରୁ ପ୍ରସ୍ତୁତ A-2 ଘିଅ। ଏଇ ଅବସରରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ପ୍ରାୟ 3 ଲକ୍ଷ ଗୋପାଳକଙ୍କୁ 71 କୋଟି ଟଙ୍କା ଏବଂ ରାଜ୍ୟର 67ଟି ପଞ୍ଜୀକୃତ ଗୋଶାଳାରେ ଅସହାୟ ଗାଈ ଗୋରୁଙ୍କ ରକ୍ଷଣାବେକ୍ଷଣ ପାଇଁ ପ୍ରାଣୀ କଲ୍ୟାଣ ସଂଗଠକଙ୍କୁ 10 କୋଟି 50 ଲକ୍ଷ ଟଙ୍କାର ସହାୟତା ବଣ୍ଟନ କରାଯାଇଛି। 

Advertisment

ଅଧିକ ପଢନ୍ତୁ : ଦୁଗ୍ଧ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି, ଏତିକି ଟଙ୍କା ଅଧିକ ଦାମ୍ ଦେବେ ସରକାର...

Omfed Milk Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ