Advertisment

କିଏ ଗାଡ଼ିରୁ ଟାଙ୍କି ଖୋଲି ଆଣୁଛି, ତ କିଏ ଗାଡ଼ି ଉପରେ ଗାଡ଼ି ଥୋଇ ଟାଙ୍କିରେ ହାଜର

ପେଟ୍ରୋଲ ପାଇଁ ଭାରି ହଇରାଣ। କିଏ ଡାଲା ଗାଡ଼ିରେ ନିଜ ବାଇକକୁ ବୋହି ବୋହି ଆଣୁଛି ତ ଆଉ କିଏ ନିଜ ଗାଡିରୁ ଟାଙ୍କି ଖୋଲିନେଇ ସିଧା ପେଟ୍ରୋଲ ପମ୍ପରେ ହାଜର।

author-image
Debadatta Aryashrestha
No petrol in Plastic Bottles

No petrol in Plastic Bottles

ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ଡିଜେଲ୍ ମିଳିବନି ବୋଲି ସରକାର ମନା କରିଦେଲା ପରେ, ଏବେ ଅଜବ ଅଜବ ଚିତ୍ର ସବୁ ଦେଖିବାକୁ ମିଳୁଛି। କିଏ ଡାଲା ଗାଡ଼ିରେ ନିଜ ବାଇକକୁ ବୋହି ବୋହି ଆଣୁଛି ତ ଆଉ କିଏ ନିଜ ଗାଡିରୁ ଟାଙ୍କି ଖୋଲିନେଇ ସିଧା ପେଟ୍ରୋଲ ପମ୍ପରେ ହାଜର। ଆଉ ଅନ୍ୟପଟେ ଗ୍ରାମାଞ୍ଚଳରେ ଛତୁଫୁଟିଲା ଭଳି ଖୁଚୁରା ପେଟ୍ରୋଲ୍ ଦୋକାନ ଖୋଲିଥିବା ବେଳେ ସରକାରଙ୍କ ଏ ନିୟମ କେତେ ବାସ୍ତବ ରୂପ ନେବ, ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରୁ ଏମିତି ଏକାଧିକ ଅଜବ ଚିତ୍ର ଦେଖିବାକୁ ମିଳିଛି। ଅଧାବାଟରେ ଗାଡିରୁ ତେଲ ସରିଯିବାରୁ ଜଣେ ବାବୁ ଡାଲା ଗାଡ଼ିରେ ନିଜ ଗାଡ଼ି ଲଦି ପୋଟ୍ରୋଲ ଟାଙ୍କିରେ ପହଞ୍ଚିଥିଲେ। ପୂରା ଝାଳନାଳ ପରିସ୍ଥିତି। ଆଉ ଗୋଟିଏ ଘଟଣା ତ ପୂରା ଅଜବ୍। ବାବୁ ଜଣକ ପେଟ୍ରୋଲ ପମ୍ପ ଆଗରେ ସିଧା ମୋଟରସାଇକେଲ ଟାଙ୍କି ଖୋଲି ଆଣି ଦେଖାଇ ଦେଲେ। ପେଟ୍ରୋଲ୍ ପମ୍ପରେ କାମ କରୁଥିବା କର୍ମଚାରୀ ଜଣକ ସେଇ ଉଠା ଟାଙ୍କିରେ ପେଟ୍ରୋଲ ବି ଭରିଲେ। ସରକାର ଯେବେଠାରୁ ନିୟମ କଲେଣି ତା ପରକୁ ପର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଭଳି ଅନେକ ଦୃଶ୍ୟ ସାମ୍ନାକୁ ଆସିଛି।

ସରକାର ଖୁଚୁରାରେ ପେଟ୍ରୋଲ ଡିଜେଲ ବିକ୍ରିକୁ ନେଇ ନିୟମ କଡ଼ାକଡ଼ି କରିଥିବା ବେଳେ ସିଧା ସିଧା ଶୁଣାଇ ଦେଇଛନ୍ତି, ଏଣିକି ଆଉ ପ୍ଲାଷ୍ଟିକ୍ ବୋତଲରେ ଏ ସବୁ ଦହନଶୀଳ ପଦାର୍ଥ ଗ୍ରାହକଙ୍କୁ ଦିଆଯିବ ନାହିଁ। ଫଳରେ ଯେଉଁମାନଙ୍କର ଅଧାବାଟରେ ତେଲ ସରି ଯାଉଛି ଅବା କୌଣସି ବି କାରଣରୁ ଖୁଚୁରା ତେଲ ଦରକାର ପଡୁଛି ସେମାନଙ୍କୁ ଏମିତି ହଇରାଣ ହରକତ ହେବାକୁ ପଡ଼ୁଛି।

Advertisment

ବାଲେଶ୍ବର ଓ ପୁରୀ ବଳଙ୍ଗା ଘଟଣା ପରେ ସରକାର ଖୁଚୁରାରେ ପେଟ୍ରୋଲ୍ ବିକ୍ରିକୁ ନେଇ କଟକଣା ସିନା ଲଗାଇଛନ୍ତି, କିନ୍ତୁ ବାସ୍ତବରେ ଗ୍ରାମାଞ୍ଚଳରେ ସବୁଠି ଏମିତି ଛତୁଫୁଟିଲା ଭଳି ଖୁଚୁରା ପେଟ୍ରୋଲ୍ ଡିଜେଲ୍ ଦୋକାନ ରହିଛି। ଏବେବି ଗ୍ରାମାଞ୍ଚଳର ଲୋକଙ୍କୁ ଗାଡ଼ିରେ ତେଲ ଭରିବା ପାଇଁ ପାଖ ସହରକୁ ଆସିବାକୁ ପଡ଼ୁଛି ନଚେତ୍ ଏମିତି ଖୁଚୁରା ଦୋକାନରୁ ତେଲ ନେବାକୁ ପଡୁଛି। ଏଭଳି ସ୍ଥଳେ ସରକାରଙ୍କ ଏ ନିୟମ ଲୋକଙ୍କୁ ଏକପ୍ରକାରର ଅଡ଼ୁଆରେ ପକାଇଛି। ସେପଟେ ସୋମବାର ପେଟ୍ରୋଲ ପମ୍ପ ମାଲିକ ସଂଘ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀ ସ୍ପଷ୍ଟ ଭାବେ କହିଥିଲେ, ନିୟମ ଅନୁଯାୟୀ, କେବଳ ଚାଷବାସ ପାଇଁ, ମ୍ୟୁନିସିପାଲଟି, ଗ୍ରାସ୍ କଟର୍, ଜେନେରେଟର୍ ଭଳି ନାନା ମେସିନ୍ ପାଇଁ କାଚ ବୋତଲ ଏବଂ ଟିଣ ବୋତଲରେ ତେଲ ବିକ୍ରି ହେବ। ତେବେ ପେଟ୍ରୋଲ କଟକଣା ନିୟମ ଲୋକେ ବାସ୍ତବରେ କେତେ ପାଳି ପାରୁଛନ୍ତି, ନା ସରକାର ପୁଣିଥରେ ଏଥିରେ କିଛି ପରିବର୍ତ୍ତନ କରିବେ ତାକୁ ଅପେକ୍ଷା।

Odisha News No To Plastic Petrol Pump OTV News
Advertisment
Advertisment