Advertisment

Legendary Poet Ramakanta Rath: କିମ୍ବଦନ୍ତୀ କବି ରମାକାନ୍ତ ରଥଙ୍କ ଦେହାନ୍ତରେ ସ୍ତବ୍ଧ ସାହିତ୍ୟଜଗତ

୯୨ ବର୍ଷ ବୟସରେ ରମାକାନ୍ତଙ୍କ ବିୟୋଗ ସହ ଆଧୁନିକ ଓଡ଼ିଆ ସାହିତ୍ୟରେ ଏକ ଯୁଗର ଅବସାନ ଘଟିଛି । ବିଦେଶରେ ଥିବା ଏକମାତ୍ର ପୁଅ ଆସି ପହଞ୍ଚିବା ପରେ ଆସନ୍ତାକାଲି ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ । ରମାକାନ୍ତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରିବା ସହ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଦ୍ୟତନ ହୋଇଛି
ସ୍ବଦେହରେ ନାହାନ୍ତି ଶ୍ରୀରାଧାର ସ୍ରଷ୍ଟା ।

ସ୍ବଦେହରେ ନାହାନ୍ତି ଶ୍ରୀରାଧାର ସ୍ରଷ୍ଟା ।

Advertisment

ଆଉ ସ୍ବଦେହରେ ନାହାନ୍ତି ଶ୍ରୀରାଧାର ସ୍ରଷ୍ଟା । ଭୋର ସମୟରେ କିମ୍ବଦନ୍ତୀ କବି, ପ୍ରଥିତଯଶା ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟୁ ସଂପନ୍ନ ହେବ ।

Advertisment

ସମ୍ମାନଜନକ ସରସ୍ବତୀ ପୁରସ୍କାରଠୁ ନେଇ କେନ୍ଦ୍ର ସାହିତ୍ୟ ଏକାଡେମୀ ଭଳି ଅଜସ୍ର ସମ୍ମାନର ଅଧିକାରୀ ରମାକାନ୍ତଙ୍କ ବିୟୋଗ ଖବର ସାରା ସାହିତ୍ୟ ଜଗତକୁ ସ୍ତବ୍ଧ କରିଦେଇଛି ।'ତମେ ଆଉ ନାହଁ ବୋଲି ଖବର ଆସିଛି ।' ବିଶ୍ବ ସାହିତ୍ୟରେ ଚର୍ଚ୍ଚିତ 'ଶ୍ରୀରାଧା'ର ଏ ଧାଡ଼ିଟି ଏହାର ସ୍ରଷ୍ଟାଙ୍କ ପାଇଁ ଆଜି ଯେମିତି ସତ ହୋଇଯାଇଛି ।

କାନ୍ଦୁଛନ୍ତି ବନ୍ଧୁ, ଝୁରୁଛନ୍ତି ବାନ୍ଧବ , ଶୋକରେ ବୁଡ଼ିଛି ସାହିତ୍ୟ ଜଗତ । ପାର୍ଥିବ ଶରୀର ପାଖେ ଥାଇ, ସେ ଯେ ଇହଜଗତରେ ନାହାଁନ୍ତି ଜାଣି ବି, ଯେମିତି ତାଙ୍କ 'ବନ୍ଧୁ ଦର୍ଶନ' କବିତାରୁ ବନ୍ଧୁ ଗୁଣୁଗୁଣୋଉଛି,'ଏ ରୋଗଶଯ୍ୟାରୁ ତମେ ଉଠିବନି, ଆଉ ଦିନ କେଇଟାରେ ଚାଲିଯିବ ବୋଲି ଜାଣେ, ଜାଣେ ଯେ ତମକୁ ଆଗପରି ଜାକି ଧରି ଦୋହଲାଇ ହେବନାହିଁ ।'

Advertisment

ହଁ ସତରେ ଆଜି ସେ ନିରବ-ନିଶ୍ଚଳ, ଚିର ନିଦରେ ଶବ୍ଦଶୂନ୍ୟ ଶବ୍ଦର ସାଗର । ଏ ମାଟିର କାବ୍ୟପୁରୁଷ ରମାକାନ୍ତ ରଥ ଯେ ଆଉ ନାହାନ୍ତି, ତାହା ପ୍ରଚାର ହେବାକ୍ଷଣି ଆଜି ସକାଳୁ ସକାଳୁ ରମାକାନ୍ତଙ୍କ ଭୁବନେଶ୍ବର ଖାରବେଳନଗର ସ୍ଥିତ ବାସଭବନକୁ ଛୁଟିଥିଲା ଶୁଭେଚ୍ଛୁ, ସାହିତ୍ୟିକ, ପ୍ରଶାସକ, ରାଜନେତାଠୁ ନେଇ ବିଭିନ୍ନ ବର୍ଗଙ୍କ ସୁଅ । ଶ୍ରଦ୍ଧାସୁମନ ଅର୍ପଣ ସାଙ୍ଗକୁ କିଏ ରମାକାନ୍ତଙ୍କ କବିପଣକୁ ଝୁରୁଥିଲେ, ତ କିଏ ତାଙ୍କ ମଣିଷପଣିଆର ଗାଥା ବଖାଣୁଥିଲେ ।

ଅଧିକ ପଢନ୍ତୁ: ‘ରମାକାନ୍ତ ରଥ ଥିଲେ ଜଣେ ବିଶାଳ ହୃଦୟର କବି, କବିତ୍ୱ ହିଁ ଥିଲା ତାଙ୍କ ପରିଚୟ’

Advertisment

କଟକରେ ୧୯୩୪ରେ ଜନ୍ମିତ ରମାକାନ୍ତ ରେଭେନ୍ସାରୁ ଇଂରାଜୀ ସାହିତ୍ୟରେ ଏମ୍ଏ କରିବା ପରେ ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ଚାକିରି ଜୀବନରେ ଜଣେ ଦକ୍ଷ ଏବଂ ସଚ୍ଚୋଟ ପ୍ରଶାସକ ଭାବେ ଖ୍ୟାତ ରମାକାନ୍ତ ଅବସର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ମୁଖ୍ୟ ସଚିବ ବି ଥିଲେ । ପ୍ରଶାସକର ଗୁରୁଦାୟିତ୍ବ ଭିତରେ କାଳଜୟୀ ଉଚ୍ଚାଙ୍ଗ ସାହିତ୍ୟ ସର୍ଜନାର ଅଦ୍ଭୁତ ସମନ୍ବୟ ତାଙ୍କୁ ଦେଇଥିଲା ଭିନ୍ନ ପରିଚୟ ।

ଚାକିରି କାଳ ଭିତରେ କେତେ ଦିନର(୧୯୬୨) ଠୁ ନେଇ ସଚିତ୍ର ଅନ୍ଧାର(୧୯୮୨), ଶ୍ରୀରାଧା(୧୯୮୫), ଶ୍ରେଷ୍ଠ କବିତା(୧୯୯୨ ) । ଓଡ଼ିଆ ସାହିତ୍ୟ ଜଗତକୁ ଦେଇଥିଲେ ଏଭଳି ୭ଟି ଅନବଦ୍ୟ କବିତା ସଂକଳନ । ଏହା ବ୍ୟତୀତ ସୀମାନ୍ତ ବାସ, ଫେରି ଚାହିଁଲେ, ଜାହାଜ ଆସିବ ଓ ଆଉ କେତୋଟି, ଧର୍ମପଦର ଆତ୍ମହତ୍ୟା ଭଳି ଆହୁରି ଅନେକ ସୃଷ୍ଟିର ସେ ଥିଲେ ସ୍ରଷ୍ଟା ।

ଯେଉଁଥିପାଇଁ ଅକୁଣ୍ଠ ପାଠକୀୟ ଶ୍ରଦ୍ଧା ସାଙ୍ଗକୁ ସାଉଁଟିଥିଲେ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର, ବିଷୁବ ସମ୍ମାନ ଭଳି ଅଜସ୍ର ପୁରସ୍କାର ଓ ସମ୍ମାନ । ଯାହା ଭିତରୁ ଚର୍ଚ୍ଚିତ କାବ୍ୟଗ୍ରନ୍ଥ 'ଶ୍ରୀରାଧା' ପାଇଁ ୧୯୯୨ରେ ସେ ପାଇଥିବା ସରସ୍ବତୀ ସମ୍ମାନ ଅନ୍ୟତମ ।

ସବୁଠୁ ବଡ଼ କଥା ହେଉଛି ଏହି କାବ୍ୟଗ୍ରନ୍ଥଠି ଇଂରାଜୀ ଓ ୮ଟି ଭାରତୀୟ ଭାଷାରେ ଅନୁବାଦିତ ହୋଇ ବହୁଳ ପାଠକ ସୃଷ୍ଟି କରିଥିଲା । ଯାହାକି ଆମ ସାହିତ୍ୟ ପାଇଁ ଏକ ବଡ଼ ଗୌରବ । କେବଳ ସେତିକି ନୁହେଁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୦୬ରେ ପଦ୍ମଭୂଷଣ ସମ୍ମାନରେ ବି ସମ୍ମାନିତ ହୋଇଥିଲେ ଏହି କାଳଜୟୀ ସ୍ରଷ୍ଟା ।

୯୨ ବର୍ଷ ବୟସରେ ରମାକାନ୍ତଙ୍କ ବିୟୋଗ ସହ ଆଧୁନିକ ଓଡ଼ିଆ ସାହିତ୍ୟରେ ଏକ ଯୁଗର ଅବସାନ ଘଟିଛି । ପରିବାରର ସୂଚନା ଅନୁଯାୟୀ, ବିଦେଶରେ ଥିବା ଏକମାତ୍ର ପୁଅ ଆସି ପହଞ୍ଚିବା ପରେ ଆସନ୍ତାକାଲି ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ । ରମାକାନ୍ତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକବ୍ୟକ୍ତ କରିବା ସହ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରେମର ରୋମାଞ୍ଚରୁ, ପୁଲକ ପୁଣି ଜୀବନରୁ ମୃତ୍ୟୁ ଯାଏଁ ଦହନ ଓ ଜ୍ବଳନ...ନିଜ ପ୍ରତିଟି ସୃଷ୍ଟିରେ ମାନବୀୟ ଅସ୍ତିତ୍ବର ଦାର୍ଶନିକ ଚେତନାକୁ ସାମ୍ନାକୁ ଆଣୁଥିବା କବି ରମାକାନ୍ତ ଅନେକ ବର୍ଷ ତଳେ ଓଟିଭି ସହ ଶ୍ରୀରାଧା ଲେଖିବା ବେଳର ଅନୁଭୂତି ବାଣ୍ଟିବା ବେଳେ କହିଥିଲେ 'ଦିନଟେ ଏମିତି ଆସିବ, ଯେତେବେଳେ ଏ ତାରାମାନେ ଥିବେ, ଚନ୍ଦ୍ର ଥିବେ, ଦେଖିବାକୁ ମୁଁ ନଥିବି ।' ଆଜି ଏହି କଥା ସତ ହୋଇଛି ।

   ଅଧିକ ପଢନ୍ତୁ: ସାଙ୍ଘାତିକ ଅଭିଯୋଗ ଆଣିଲେ ଯୋଗାଣ ମନ୍ତ୍ରୀ,ସ୍ୱାସ୍ଥ୍ୟ କାର୍ଡ ହାତେଇବା ପାଇଁ ରାସନ କାର୍ଡ ନେଇଥିଲେ ଅଯୋଗ୍ୟ ହିତାଧିକାରୀ

Odisha Odia Language Odia Writers Legendary Odia Poet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ