Puri Shankaracharya: ନକଲରେ ଲାଗିଛନ୍ତି ପାଞ୍ଜିକାର, ଆମେରିକା- ବ୍ରିଟେନ୍ ତଥ୍ୟରେ ତିଆରି କରୁଛନ୍ତି ପାଞ୍ଜି !

ପାଞ୍ଜିକାରକୁ ନେଇ କାହିଁକି ପ୍ରତିକ୍ରିୟାଶୀଳ ହେଲେ ଶ୍ରୀମନ୍ଦିର ମୁକ୍ତିମଣ୍ଡପର ସ୍ଥାୟୀ ସଭାପତି ତଥା ଜଗଦଗୁରୁ ଶଙ୍କରାଚାର୍ଯ୍ୟ ? ତାଙ୍କ ଅସନ୍ତୋଷ ପଛରେ ରହିଛି କି ସତ୍ୟତା ?

ଆମେରିକା- ବ୍ରିଟେନ୍ ତଥ୍ୟରେ ତିଆରି କରୁଛନ୍ତି ପାଞ୍ଜି !

ଇଂରାଜୀ ନୂଆ ବର୍ଷକୁ ଆହୁରି ପ୍ରାୟ ୨ ମାସ ବାକି, ହେଲେ ବଜାରକୁ ଆସିଲାଣି ନୂଆ କ୍ୟାଲେଣ୍ଡର । ତେବେ ଗତ ବର୍ଷ ଭଳି ଆସନ୍ତାବର୍ଷ ବିଭିନ୍ନ ପର୍ବପର୍ବାଣୀକୁ ନେଇ ଦ୍ବନ୍ଦ୍ବ ରହିବ ନା ନିର୍ଭୁଲ ହେବ ତାକୁ ନେଇ ସଂଶୟ ଭିତରେ- ପାଞ୍ଜିକାର ପରିଶ୍ରମ ନକରି ନକଲରେ ମାତୁଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ନେଇ ଶଙ୍କାରାଚାର୍ଯ୍ୟଙ୍କ ମନ୍ତବ୍ୟ ସୃଷ୍ଟି କରିଛି ହଲଚଲ୍ ।

ନକଲରେ ଲାଗିଛନ୍ତି ପାଞ୍ଜିକାର, ଆମେରିକା- ବ୍ରିଟେନ୍ ତଥ୍ୟରେ ତିଆରି କରୁଛନ୍ତି ପାଞ୍ଜି । ଯାହାଫଳରେ ପାଞ୍ଜିରେ ଦେଖା ଦେଉଛି ବ୍ୟତିକ୍ରମ ଓ ମେଳଖାଉନି ତିଥି- ନକ୍ଷତ୍ର । ଏମିତି କି ପର୍ବବର୍ବାଣୀ ଭୁଲଭାଲ୍ ମଧ୍ୟ ଆସୁଛି । ଖୋଦ୍ ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଝାଡ଼ିଛନ୍ତି ଏଭଳି ଅସନ୍ତୋଷ ।

ତେଣୁ ଏଠି ପ୍ରଶ୍ନ- ପାଞ୍ଜିକାରକୁ ନେଇ କାହିଁକି ପ୍ରତିକ୍ରିୟାଶୀଳ ହେଲେ ଶ୍ରୀମନ୍ଦିର ମୁକ୍ତିମଣ୍ଡପର ସ୍ଥାୟୀ ସଭାପତି ତଥା ଜଗଦଗୁରୁ ଶଙ୍କରାଚାର୍ଯ୍ୟ ? ତାଙ୍କ ଅସନ୍ତୋଷ ପଛରେ ରହିଛି କି ସତ୍ୟତା ? ଯଦି କେବଳ ଚଳିତବର୍ଷର ତଥ୍ୟକୁ ପ୍ରମାଣ ଭାବେ ନିଆଯାଏ, ତାହାଲେ ଚଳିତବର୍ଷ ଏପ୍ରିଲ ମାସରୁ ନଭେମ୍ବର ଯାଏଁ ଲାଗି ରହିଥିଲା ଓଡ଼ିଆ କ୍ୟାଲେଣ୍ଡର ମାନଙ୍କରେ ତାରିଖ ଦ୍ବନ୍ଦ୍ବ । ଏମିତିକି ଗତ ଏପ୍ରିଲ୍ ମାସରେ ପଣା ସଂକ୍ରାନ୍ତି ୧୩ ନା ୧୪ ତାରିଖରେ ପଡ଼ିବ, ତାକୁ ନେଇ ସେତେବେଳେ ଦ୍ବନ୍ଦ୍ବ ଉପୁଜିଥିବାବେଳେ ଗତ ଅକ୍ଟୋବରରେ ଦିପାବଳୀ, କାଳୀପୂଜା ଓ ପୟାଶ୍ରାଦ୍ଧ ତାରିଖକୁ ନେଇ ବାଉଳା ହୋଇଥିଲେ ରାଜ୍ୟବାସୀ । ଏମିତିକି କିଛି କ୍ୟାଲେଣ୍ଡର ୧ ତାରିଖକୁ କାଳୀପୂଜା ଛୁଟି ବୋଲି ବି ଲେଖି ଦେଇଥିଲେ। ଯେହେତୁ ଓଡ଼ିଆ ଲୋକେ ଶ୍ରୀମନ୍ଦିର ତିଥିକୁ ବିଶ୍ବାସ ରଖି ଘରେ ଘରେ ପର୍ବପର୍ବାଣୀ ପାଳନ କରନ୍ତି, ତେଣୁ ପାଞ୍ଜିକାରଙ୍କ ମଧ୍ୟରେ ଅସଙ୍ଗତିକୁ ନେଇ ଶଙ୍କରାଚାର୍ଯ୍ୟ ଉଦବେଗ ପ୍ରକାଶ କରିବା ସହ ଏ ନେଇ ତାଙ୍କର କୌଣସି ପରାମର୍ଶ ନିଆଯାଉନଥିବା କହିଛନ୍ତି ।

ସେପଟେ ପାଞ୍ଜିରେ ନୁହେଁ ବରଂ ବିଭିନ୍ନ କ୍ୟାଲେଣ୍ଡରରେ ପର୍ବପର୍ବାଣୀ ତାରିଖରେ ଅସଂଗତି ରହୁଥିବା ମାନିଛନ୍ତି ପାଞ୍ଜିକାର । ଏମିତିକି ମୁକ୍ତିମଣ୍ଡପର ପାଣ୍ଡୁଲିପି ଚୟନ ଉପରେ ପ୍ରଶ୍ନ ଉଠାଇ ପଠାଣି ସାମନ୍ତଙ୍କ ସୂକ୍ଷ୍ମ ରାଷ୍ଟ୍ରୀୟ ପଞ୍ଚାଙ୍ଗ ଆଧାରରେ ଗଣନା ଦାବି କରିଛନ୍ତି ରାଜ୍ୟର ଅନ୍ୟତମ ପୁରାତନ ଓ ଭରସାଯୋଗ୍ୟ ପାଞ୍ଜି ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ଗଣନାକାର । ସେ କହିଛନ୍ତି- ଏପ୍ରିଲ ୧୪ ପଣା ସଂକ୍ରାନ୍ତିରୁ ଓଡ଼ିଶାରେ ନୂଆବର୍ଷ ଆରମ୍ଭ ହୁଏ । ହେଲେ ଜାନୁଆରୀ ୧ ଇଂରାଜୀ ନବବର୍ଷରୁ କ୍ୟାଲେଣ୍ଡର ଛପା ଯାଉଥିବାରୁ ତିଥି-ବାର ଓ ତାରିଖକୁ ନେଇ ବ୍ୟତିକ୍ରମ ସୃଷ୍ଟି ହେଉଛି। ପୂର୍ବରୁ ରାଜ୍ୟର ବିଭିନ୍ନ ପାଞ୍ଜିକାରମାନେ ଶ୍ରୀମନ୍ଦିର ମୁକ୍ତିମଣ୍ଡପକୁ ସେମାନଙ୍କ ପାଣ୍ଡୁଲିପି ପ୍ରଦାନ କରୁଥିଲେ । ହେଲେ କିଛି ବର୍ଷ ତଳେ ମୁକ୍ତିମଣ୍ଡପ କର୍ତ୍ତୃପକ୍ଷ ଶ୍ରୀମନ୍ଦିର ଗଣନା ସହ ସେମାନଙ୍କୁ ସମାନ ଢଙ୍ଗରେ ପାଣ୍ଡୁଲିପି ପ୍ରସ୍ତୁତ କରିବାକୁ କହିବା ପରଠାରୁ ଏଥିରେ ବ୍ୟତିକ୍ରମ ସୃଷ୍ଟି ହୋଇଛି । ରାଜ୍ୟ ସରକାର ମଧ୍ୟ ଏଦିଗରେ ତତ୍ପରତା ଦେଖାଇବାକୁ କିଛି ଗଣନାକାର ଦାବି କରିଛନ୍ତି ।

ସେପଟେ ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି- ଶ୍ରୀମନ୍ଦିର ବର୍ଷ ସାରା ପାଳିତ ହେବାକୁ ଥିବା ବିଭିନ୍ନ ପର୍ବପର୍ବାଣୀ ଯେପରି ସବୁ କ୍ୟାଲେଣ୍ଡରରେ ସମାନ ଦିନରେ ପଡ଼ିବ, ସେଥିପାଇଁ ସବୁ ପାଞ୍ଜିକାରମାନଙ୍କୁ ପାଣ୍ଡୁଲିପି ଦେବାକୁ କୁହାଯାଇଛି । ଇଂରାଜୀ ନୂଆବର୍ଷକୁ ଆହୁରି ୨ମାସ ବାକି ଅଛି, ହେଲେ ଏବେଠୁ ବଜାରକୁ ଆସିଗଲାଣି ୨୦୨୫ ମସିହାର ବିଭିନ୍ନ ଓଡ଼ିଆ କ୍ୟାଲେଣ୍ଡର, ତେଣୁ ଆସନ୍ତାବର୍ଷ ସବୁ ପର୍ବପର୍ବାଣୀ ନିର୍ଭୁଲ୍ ହେବ ତ ବୋଲି ଉଠିଛି ପ୍ରଶ୍ନ ।