/odishatv-khabar/media/post_attachments/uploadimage/library/16_9/16_9_0/Job_Scam_1719564433.jpg)
Job Scam
ଖୋଲିବାରେ ଲାଗିଛି ‘କମ୍ପ ଭାଇ’ର ସ୍କାମ୍ । କେମିତି ପିଲାଙ୍କଠୁ ଟଙ୍କା ଆଦାୟ କରୁଥିଲା, ଆଉ ତାକୁ ଚଳୁ କରୁଥିଲା । ମୁଣ୍ଡରେ ଥିଲା ବଡ଼ବଡ଼ିଆଙ୍କ ହାତ, ତେଣୁ ନା କାହାକୁ ଡର ଥିଲା ନା କାହାକୁ ଖାତିର କରୁଥିଲା । ବଲାଙ୍ଗିରରେ ଚାକିରୀ ସ୍କାମର ଆଉ ଏକ ସତ ସାମ୍ନାକୁ ଆସିଛି ।
ଯେଉଁ ମାନେ ଜପବନ୍ଧୁ କମ୍ପର ମାୟାଜାଲରେ ଫସିଛନ୍ତି ଓ ଯେଉଁମାନେ ଫସାଇଛନ୍ତି ସେମାନେ ଏବେ ଗଣମାଧ୍ୟମରେ ସବୁ ସତ ଗୋଟି ଗୋଟି କରି ବଖାଣିଛନ୍ତି । କାହାକୁ ହଜାର ହଜାର ଟଙ୍କା ତ ପୁଣି କାହାକୁ ଲକ୍ଷାଧିକ । ଲୋକ ଦେଖି ଆଦାୟ ହେଉଥିଲା ଟଙ୍କା ଆଉ ବଡ଼ ବଡ଼ ଚାକିରିର ଲୋଭ ଦେଖାଯାଉଥିଲା ।
କମ୍ପ ଭାଇ ଇନିଷ୍ଟିଚ୍ୟୁଟ୍ ଆଳରେ ଜପବନ୍ଧୁ ଅନେକଙ୍କୁ ଠକିଥିବା ପ୍ରମାଣ ଏବେ ଓଟିଭି ହାତରେ ଲାଗିଛି । ପୂର୍ଣ୍ଣଚନ୍ଦ୍ର ରାଉତ ନାମକ ଜଣେ ଯୁବକ ବଲାଙ୍ଗିର ଜିଲ୍ଲା ପ୍ରଶାସନରେ ସରକାରୀ ଚାକିରି ପାଇଁ ସାଢ଼େ ୪ ଲକ୍ଷ ଟଙ୍କା ଜପବନ୍ଧୁଙ୍କୁ ଦେଇଥିଲେ । ଯେତେବେଳେ ଚାକିରି ହେଲାନି ସେତେବେଳେ ଟଙ୍କା ଫେରାଇବ କଣ ଓଲଟା ତାଙ୍କୁ ଧମକଚମକ ଦେଇଥିଲା ।
କେମିତି ଲୋକଙ୍କଠୁ ଟଙ୍କା ଆଦାୟ କରୁଥିଲା ଜପବନ୍ଧୁ କମ୍ପ? କାହା ବଳରେ ବଳିୟାନ ହେଉଥିଲା? ଏସବୁ ପ୍ରଶ୍ନର ଜବାବ ରଖିଛନ୍ତି ଜପବନ୍ଧୁଙ୍କ ପାଇଁ ମିଡିଲ୍ ମ୍ୟାନ୍ ସାଜିଥିବା ଦିବ୍ୟଲୋଚନ ବେହେରା । ଜପବନ୍ଧୁଙ୍କ ଠକେଇ ଜାଲରେ ଆଦିବାସୀ ପିଲା ମାନେ ବି ଫସିଥିଲେ । ଆଉ ଏକଥାକୁ ନେଇ ଦିବ୍ୟଲୋଚନ ତାଙ୍କୁ ସତର୍କ କରାଉଥିଲେ ମଧ୍ୟ ସେ କାହା କଥା ଶୁଣୁନଥିଲେ।
ଏନେଇ ନିରଞ୍ଜନ ବିଶିଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିବା ପରେ ବି ଏହା ସମ୍ଭବ ହୋଇନି । ଅନ୍ୟପଟେ ଜପବନ୍ଧୁକୁ ଗିରଫ କରିବା ପରେ ପୂରା ମାମଲାର ତଦନ୍ତ ଚାଲିଛି ବୋଲି କହିଛି ବଲାଙ୍ଗିର ପୋଲିସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)