/odishatv-khabar/media/post_attachments/uploadimage/library/16_9/16_9_0/Bus_Stand_1729436678.jpg)
Bus Stand
କେଉଁଠି ନୂଆ ବସଷ୍ଟାଣ୍ଡର ଅବସ୍ଥା ବେହାଲ ତ କେଉଁଠି ଉଦଘାଟନର ୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରୁନି । ବସଷ୍ଟାଣ୍ଡରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟି ଦିଆ ଯାଉନଥିବା ଅଭିଯୋଗ । ସଫେଇ ହେଉନଥିବା ବେଳେ ପିଇବା ପାଣି ଟୋପେ ବି ମିଳୁନି । କୁକୁର, ମଣିଷ ସବୁ ଗୋଟିଏ ଠି । ଚଟାଣରେ ଗଡୁଛନ୍ତି ଯାତ୍ରୀ । ନା ବସିବା ପାଇଁ ଚେୟାରଟିଏ ଅଛି ନା ପିଇବା ପାଇଁ ପାଣି ।
ପରିଷ୍କାର ପରିଚ୍ଛନତା କଥା ଦୂରେ ଥାଉ, ବସଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ଶୌଚାଳୟ ଟିଏ ବି ନାହିଁ । ବାଲେଶ୍ୱର ମୁଖ୍ୟ ବସଷ୍ଟାଣ୍ଡକୁ ପ୍ରବେଶ ପଥର ରାସ୍ତା ଖାଲଖମାରେ ଭର୍ତ୍ତି ଥିବା ବେଳେ ଭିତରେ ବି ସବୁଠି ଅଳିଆ ଆବର୍ଜ୍ଜନାରେ ପରିପୂର୍ଣ୍ଣ । ଏଭଳି ସ୍ଥିତିରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ । ଅନ୍ୟପଟେ ବାଲେଶ୍ୱର ପୌରାଧ୍ୟକ୍ଷା କହିଛନ୍ତି ବସଷ୍ଟାଣ୍ଡର ତଦାରଖ ପାଇଁ ଟେଣ୍ଡର କରାଯାଉଛି ।
ଏହା ପରେ ସମସ୍ୟାର ସମାଧାନ ହୋଇଯିବ । ଷ୍ଟିଲ୍ ସିଟି ରାଉରକେଲାରେ ମଧ୍ୟ ବସଷ୍ଟାଣ୍ଡର ସମାନ ଅବସ୍ଥା । ନୂଆ ବସଷ୍ଟାଣ୍ଡରେ ପିଇବା ପାଣି ସୁବିଧା କି ପରିସ୍ରାଗାର ନଥିବାରୁ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ସେହିପରି ନୂଆ କରି ନିର୍ମିତ ହୋଇଥିବା ଢଳେଇ ରାସ୍ତା ବି ଖୋଳି ହୋଇଗଲାଣି ।
ଅନ୍ୟପଟେ ଆରଏମସି କମିଶନର କହିଛନ୍ତି ଶୀଘ୍ର ସ୍ଥିତି ସୁଧାରିବାକୁ ଚେଷ୍ଟା ଚାଲିଛି । ଏପଟେ ବ୍ରହ୍ମପୁରରେ ସ୍ଥିତି ଟିକେ ଅଲଗା । ଉଦଘାଟନର ୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରୁନି ହଳଦିଆପଦର ନୂଆ ବସଷ୍ଟାଣ୍ଡ । ବ୍ରହ୍ମପୁରରେ ଜନସଂଖ୍ୟା ବୃଦ୍ଧି ଏବଂ ଟ୍ରାଫିକ ବ୍ୟବସ୍ଥାକୁ ନଜରରେ ରଖି ସହର ଉପକଣ୍ଠ ହଳଦିଆ ପଦରରେ ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା ।
୨୦୧୬ରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବସଷ୍ଟାଣ୍ଡ ଏବେ ଖତ ଖାଉଛି । କେଉଁଠି କାନ୍ଥ ଫାଟିଲାଣି ତ କେଉଁଠି ଆସବାବପତ୍ର ସବୁ ନଷ୍ଟ ହେବାକୁ ବସିଲାଣି । ତେବେ ଏ ନେଇ ବ୍ରହ୍ମପୁର ମହାନଗର ନିଗମ କି ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)