• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଲୋକଙ୍କ ଆସ୍ଥା ହରାଇବା ପରେ ଏବେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ବି ଆସ୍ଥା ହରାଉଛି ବିଜେଡି । ବିଜେଡି ଛାଡି ବିଜେପିକୁ ଯାଉଥିବା ନେତାଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେଥିରୁ ବାଦ୍ ପଡ଼ିଲାନି ଖୋଦ୍ ବିଜେଡି ସୁପ୍ରିମୋ ନବୀନଙ୍କ ଗଡ଼ ହିଞ୍ଜିଳି । ୨୫ ବର୍ଷରୁ ଅଧିକ ସମୟ ଧରି ନବୀନଙ୍କ ଗଡ଼ ଥିବା ହିଞ୍ଜିଳି ଏବଂ ଶେରଗଡ଼ ବ୍ଲକର ୮ ସରପଞ୍ଚ ଏବଂ ସମିତି ସଭ୍ୟ ବିଜେଡିକୁ ବାଏ ବାଏ କରି ବିଜେପିରେ ସାମିଲ ହେବା ନବୀନଙ୍କ ନିଦ ହଜାଇ ଦେଇଛି ।

ଯେଉଁଥି ପାଇଁ ବାକି ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ନବୀନ ନିବାସ ଡାକି ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ । ନବୀନଙ୍କୁ ନିଜ ଗଡ଼ ରକ୍ଷା ଚିନ୍ତା । ହିଞ୍ଜିଳିରେ ଫାଟିଲାଣି ଶଙ୍ଖ! ବିଜେପି କ୍ୟାଂପରେ ବିଜେଡି କର୍ମୀ । ଗତ ଗୁରୁବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଏକାଧିକ ସରପଞ୍ଚ, ସମିତି ସଭ୍ୟଙ୍କ ସହ ଶହ ଶହ ବିଜେଡି କର୍ମୀ ।

ପରଦିନ ନବୀନ ନିବାସରେ ମିଶ୍ରଣ ପରେ ବ୍ଲକର ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ନବୀନ ନିବାସ ଡାକିଥିଲେ ନବୀନ । ନବୀନଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବ୍ଳକର ବିଜେଡି ସମର୍ଥିତ ୩ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଓ ଶେରଗଡ଼ ବ୍ଳକର ୫ ପଂଚାୟତର ସରଂପଚ, ସମିତି ସଭ୍ୟ ବିଜେପିରେ ଯୋଗ ଦେଇଛନ୍ତି । ସେମାନଙ୍କ ଅଭିଯୋଗ ବିଜେଡି ନେତୃତ୍ୱଙ୍କ ମନମୁଖୀ କାର୍ଯ୍ୟ ।

ଗ୍ରାଉଣ୍ଡ ସ୍ତରର ନେତାଙ୍କୁ ଅଣଦେଖା ଯୋଗୁଁ ଦଳ ଧୀରେ ଧୀରେ ଦୁର୍ବଳ ହୋଇଯାଉଛି । ସେହିପରି ଗତ ୧୮ ତାରିଖରେ ହିଞ୍ଜିଳିର କରେଇଶୁଣିଠାରେ ନବୀନଙ୍କ ପ୍ରତିନିଧି ଶରତ ମହାପାତ୍ରଙ୍କ ବିରୋଧରେ ଏକାଠି ହୋଇଥିଲେ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀ । ସେମାନଙ୍କୁ ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ଶରତଙ୍କ ବିରୋଧରେ ବିଷୋଦଗାର କରିଥିଲେ ।

ଏଣେ ଗତ ୨୩ ତାରିଖ ଦିନ ନବୀନ ନିବାସରେ ସରପଞ୍ଚ, ସମିତି ସଭ୍ୟଙ୍କ ବୈଠକ କରି ଏକାଠି ରହିବାକୁ ଆହ୍ୱାନ ଦେଇଛନ୍ତି ନବୀନ । ସରକାର ବଦଳିବା ପରେ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟମାନେ ବିଜେପି ଯିବା ଟ୍ରେଣ୍ଡ ଜାରି ରହିଛି । ଆଉ ଏହାରି ଭିତରେ ବିଜେଡିକୁ ଦୁଇ ଶକ୍ତ ଝଟ୍‌କା ମଧ୍ୟ ଲାଗି ସାରିଛି ।

ବିଜେଡି ହାତରୁ ଖଲ୍ଲିକୋଟ୍ ବ୍ଲକ ଛଡେଇ ବ୍ଲକ୍ ଦଖଲ ଅଭିଯାନ ଆରମ୍ଭ କରିଛି ଦଳ । ଆଉ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ପଦବି ବଜାୟ ରଖିପାରିଛି ବିଜେପି । କିନ୍ତୁ ଆଗକୁ ରାଜ୍ୟର ଏକାଧିକ ବ୍ଲକରେ ଏହି ଷ୍ଟ୍ରାଟେଜିରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବାଜିମାତ କରିବାକୁ ଲକ୍ଷ୍ୟ ରଖିଛି ଦଳ । ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ କେନ୍ଦୁଝର ସଦର ଏବଂ ବାଂଶପାଳ ବ୍ଲକର ବିଜେଡି ସମର୍ଥିତ ସମିତି ସଭ୍ୟ ଓ ସରପଞ୍ଚମାନେ ବିଜେପିରେ ମିଶିଥିଲେ ।

ଖୁବ୍ ଶୀଘ୍ର ବିଜେଡି ଦଖଲରେ ଥିବା ଏ ଦୁଇ ବ୍ଲକରେ ଅନାସ୍ଥା ଆସିବା ନେଇ ସମ୍ଭାବନା ରହିଛି । ସେହିପରି ଯାଜପୁର ଜିଲ୍ଲାର ବରୀ ଏବଂ ଧର୍ମଶାଳାରେ ବି ଦେଖିବାକୁ ମିଳିଥିଲା ସମାନ ଚିତ୍ର । ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ବିଜେଡି ସମର୍ଥିତ ସରପଞ୍ଚ ଆଉ ସମିତି ସଭ୍ୟ । ସେଠି ବି ବିଜେଡି ଅଧ୍ୟକ୍ଷ ବିରୋଧରେ ଅନାସ୍ଥା ଆଶଙ୍କା ରହିଛି ।

ଆଉ ଏବେ ପ୍ରାୟ ସବୁ ବ୍ଲକରେ ଏମିତି ସ୍ଥିତି । ତେବେ ବିଜେଡି କହିଛି, ବିଜେପି ପ୍ରଲୋଭିତ ଏବଂ ବ୍ଲାକେମେଲ୍ କରି ବିଜେଡି କର୍ମୀଙ୍କୁ ନିଜ ଆଡକୁ ଟାଣୁଛି । ବଡ଼ କଥା ହେଲା ନବୀନଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଯଦି ଏମିତି ସ୍ଥିତି, ତାହେଲେ ଅନ୍ୟ ନିର୍ବାଚନ ମଣ୍ଡଳୀରେ ସ୍ଥିତି କଣ ହେଉଥିବ?

 

  • Reported by:
  • SOUMYA RANJAN SAHOO , Manoj Muni

OTV is now on Whatsapp

Join and get latest news update delivered to you via whatsapp

Join Now