• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାଟ୍ରିକ ପରୀକ୍ଷା ପାଇଁ ଆଡମିଟ କାର୍ଡ ଦେବା ବେଳେ ଛାତ୍ରଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ ଅଭିଯୋଗ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ପିଲାମାନେ ଟଙ୍କା ଦେବାର ଭିଜୁଆଲ୍ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସରକାରୀ ପାନାବେଡା ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ଗୁରୁତର ଅଭିଯୋଗ ।

ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଆଡମିଟ କାର୍ଡ ନେଉଥିବା ବେଳେ ସ୍କୁଲର ଶିକ୍ଷକ ପିଲାଙ୍କୁ ଟଙ୍କା ମାଗିବା କଥା ଭିଡିଓରେ କଏଦ ହୋଇଥିବା କୁହାଯାଉଛି । ତେବେ ଟଙ୍କା କଣ ପାଇଁ ମଗା ଯାଇଛି ପିଲାମାନେ ଜାଣିନଥିବା ବେଳେ, ୧୦୦ ଟଙ୍କା ଦେଇ ସେମାନେ ଆଡମିଟ କାର୍ଡ ନେଇଥିବା କହିଛନ୍ତି ।

ଏହି ଘଟଣାକୁ ସ୍ଥାନୀୟ ଲୋକେ ନାପସନ୍ଦ କରିବା ସହିତ ସମ୍ପୃକ୍ତ ଶିକ୍ଷକ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଅନ୍ୟପକ୍ଷରେ ଏସମ୍ପର୍କରେ ପ୍ରଧାନ ଶିକ୍ଷକ ଙ୍କୁ ପଚାରିବାରୁ, ସେ କିଛି ଜାଣି ନଥିବା କହିଛନ୍ତି । ଏକ ଭୋଜିରେ ପିଲାମାନେ ଫଟୋ ଉଠାଇଥିବା ବାବଦରେ ଶିକ୍ଷକ ମାନେ ହୁଏତ ଟଙ୍କା ମାଗିଥିବେ ବୋଲି କହିବା ସହ, ଏହାର ତଦନ୍ତ କରିବେ ବୋଲି କହିଛନ୍ତି।

ଚନ୍ଦାହାଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ଏସମ୍ପର୍କରେ କୌଣସି ଅଭିଯୋଗ ହୋଇନଥିବା କହିଛନ୍ତି । ଏଥିସହ ସ୍ପଷ୍ଟ କରିଛନ୍ତି ଯେ, ଆଡମିଟ କାର୍ଡ ପାଇଁ କୌଣସି ଟଙ୍କା ନିଆଯାଏ ନାହିଁ । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ସ୍କୁଲର ଯେଉଁ ଶିକ୍ଷକ ଟଙ୍କା ନେଇଥିଲେ ବୋଲି ପିଲାମାନେ କହୁଛନ୍ତି ଏବଂ ଭିଡିଓରେ ଦେଖିବାକୁ ମିଳୁଛି, ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।