• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ବୟସ ସାନ, ବୁଦ୍ଧି ବି କମ୍ । ହେଲେ ଦାବି ହାସଲ ଲାଗି ଆନ୍ଦୋଳନର ତରିକା ବୟସ୍କ ଓ ବୁଦ୍ଧିମାନଙ୍କଠୁ ବି ଅଧିକ । ମାତ୍ର କେଇ ଘଣ୍ଟା ଭିତରେ ଅଫିସରଙ୍କୁ ବି ପାଣି ପିଆଇଦେଲେ । ପିଲାଙ୍କ ସହ କାଦୁଅ ପଚ୍ ପଚ୍ ପାଣି ରାସ୍ତାରେ ଚାଲିଲେ ବିଡିଓ ଓ ତହସିଲଦାର ।  କଟକ-ଭୁବନେଶ୍ୱରକୁ ସଂଯୋଗ କରୁଥିବା ତ୍ରିଶୁଳିଆ-ବାରଙ୍ଗ ମୁଖ୍ୟ ରାସ୍ତାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ଫୁଲପୋଖରୀ ଛକରେ ଏମିତି ଆନ୍ଦୋଳନ କରି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଫୁଲପୋଖରୀ ହାଇସ୍କୁଲର ଶତାଧିକ ଛାତ୍ରଛାତ୍ରୀ।

ଦାବି ଥିଲା ସ୍କୁଲକୁ ସ୍ଥାୟୀ ରାସ୍ତା ନିର୍ମାଣ ହେଉ । ଏଇ ଦାବି ନେଇ ପ୍ରଥମେ ସ୍କୁଲ ଗେଟରେ ତାଲା ପକାଇବା ପରେ ମୁଖ୍ୟ ରାସ୍ତାରେ ଧାରଣା ଦେଇ ଜୋରଦାର ନାରାବାଜି କରିଥିଲେ ଛାତ୍ରଛାତ୍ରୀ । ଫଳରେ ବ୍ୟସ୍ତବହୁଳ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲେ । ଗୁରୁତର ଟ୍ରାଫିକ ସମସ୍ୟା ପରେ ନାକେଦମ୍ ହୋଇଥିଲା ପୋଲିସ । ସେପଟେ ପିଲାଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ବାରଙ୍ଗ ବିଡିଓ, ତହସିଲଦାର ଓ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳକୁ ଆସିଥିଲେ ।

ଛାତ୍ରଛାତ୍ରୀଙ୍କ ଦାବି ହାସଲର ପ୍ରକ୍ରିୟା ଏଇଠି ସରିନଥିଲା । ସେମାନେ ଦୈନିକ ସ୍କୁଲ ଗଲାବେଳେ ରାସ୍ତାର ଦୁରବସ୍ଥା ପାଇଁ କିଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତାହା ବିଡିଓ ଓ ତହସିଲଦାରଙ୍କୁ ଆଖିରେ ଦେଖାଇବା ସହ ଜଣାଇ ଦେବାକୁ ବି ଚାହିଁଥିଲେ । ପିଲାଙ୍କ ଦାବି ଆଗରେ ହାର ମାନି ଶେଷରେ ସୁଟ୍ ବୁଟ୍ ପିନ୍ଧା ଅବସ୍ଥାରେ ଦୁଇ ଅଫିସର କାଦୁଅ ପଚପଚ ରାସ୍ତା ଓ ଗୋଳିଆ ପାଣି ଭିତରେ ପିଲାଙ୍କ ସହ ଚାଲିବାକୁ ବାଧ୍ୟ ହୋଇଥିଲେ ।

ପରେ ସ୍ଥାନୀୟ ସରପଞ୍ଚଙ୍କୁ ନେଇ ସ୍କୁଲ ପରିସରରେ ସମସ୍ୟାର ସମାଧାନ ପାଇଁ ବୈଠକ ବସିଥିଲା । ଖରାପ ରାସ୍ତାର କିଛି ଅଂଶ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ସଂପତ୍ତି ହୋଇଥିବାରୁ ତାଙ୍କ ସହ ଆଲୋଚନା ପରେ ସ୍ଥାୟୀ ପ୍ରତିକାର ପାଇଁ ପିଲାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ବିଡିଓ, ତହସିଲଦାର ଓ ସ୍ଥାନୀୟ ସରପଞ୍ଚ । ଏହା ପରେ ଶାନ୍ତ ପଡ଼ିଥିଲେ ଛାତ୍ରଛାତ୍ରୀ ।

ପ୍ରାୟ ୧୦୦ ବର୍ଷର ଏ ପୁରୁଣା ସ୍କୁଲକୁ ଫାଇଭ୍ ଟି ସ୍କୁଲ ଭାବେ ରୂପାନ୍ତରିତ କରିଥିଲେ ତତ୍କାଳୀନ ବିଜେଡି ସରକାର । ହେଲେ ସ୍ଥାୟୀ ରାସ୍ତା ପାଇଁ ପିଲାଙ୍କ ବର୍ଷ ବର୍ଷର ଦାବିକୁ ଅଣଦେଖା କରାଯାଇ ଆସୁଥିଲା । କିନ୍ତୁ ଆଜିର ଏ ସମୁହ ଆନ୍ଦୋଳନ ପରେ ଆଗକୁ ରାସ୍ତାର 
ଚିତ୍ର ବଦଳିବା ନେଇ ଆଶା ରଖିଛନ୍ତି ଛାତ୍ରଛାତ୍ରୀ ।

  • Reported by:
  • PRAVAT BISOI , Biswajit Acharya

OTV is now on Whatsapp

Join and get latest news update delivered to you via whatsapp

Join Now