• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଆଜିର ଯୁଗରେ ପିଲାଠୁ ବୁଢ଼ା, ପୁରୁଷ-ମହିଳା, ସମସ୍ତଙ୍କ ହାତରେ ମୋବାଇଲ । ଏହା ଯେମିତି ଦୈନନ୍ଦିନ ଜୀବନର ଏକ ଅତ୍ୟାବଶ୍ୟକ ଅଙ୍ଗ ପାଲଟିଲାଣି । କେବଳ ସହର ନୁହେଁ, ଗାଁ ଗଣ୍ଡାରେ ବି ସ୍ମାର୍ଟ ଫୋନ୍ ସାଧାରଣ କଥା ପାଲଟିଲାଣି । ହେଲେ ବିଡ଼ମ୍ବନା, ଆଜି ବି ଆମ ରାଜ୍ୟରେ ଏମିତି ଜାଗା ଅଛି, ଯେଉଁଠି ମୋବାଇଲ ନେଟୱର୍କ ପାଇଁ ଲୋକଙ୍କୁ ଗଛ ଚଢ଼ିବାକୁ ପଡ଼ୁଛି, ଦୂର ଗାଁକୁ ଯିବାକୁ ପଡ଼ୁଛି । 

ଏଠି ସେଠି... କେଉଁଠି ବି ନାହିଁ । ଉଚ୍ଚ ଜାଗାରେ ମିଳୁନି, କି ଫାଙ୍କା ସ୍ଥାନରେ ବି ଆସୁନି । ଖୋଜି ଖୋଜି ନୟାନ୍ତ ହେଲେଣି, ହେଲେ ଯେତେ ଖୋଜିଲେ ବି ମିଳୁନି। ଏମାନେ କଣ ଖୋଜୁଛନ୍ତି ଜାଣିଛନ୍ତି ? ମୋବାଇଲ ନେଟୱର୍କ। ହାତରେ ସ୍ମାର୍ଟ ଫୋନ, ହେଲେ ପଞ୍ଚାୟତଟା ଯାକ କେଉଁଠି ଠିକରେ ମୋବାଇଲ୍ ନେଟୱର୍କ ଆସୁନି। ସେଥିପାଇଁ କିଏ ଟିକେ ଫାଙ୍କା ଜାଗା ଦେଖି ନେଟୱର୍କ ଖୋଜୁଛି, ଆଉ କିଏ ଫୋନରେ ଦି'ପଦ କଥା ହେବାକୁ ଗଛ ଉପରେ ଚଢ଼ିଛି । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ । ବ୍ଲକ୍ ସଦର ମହକୁମା ଠାରୁ ୨୦ କିଲୋମିଟର ଦୂରରେ ଥିବା ଏଇ ଜଙ୍ଗଲ ପାହାଡ଼ ଘେରା ପଞ୍ଚାୟତ ପାଇଁ କାଳ କାଳ ଧରି ମୋବାଇଲ୍ ସେବା ସ୍ବପ୍ନ । ବାମ ପଞ୍ଚାୟତର ପାକଟମୁଣ୍ଡା, ଗଣ୍ଡିଖୋଲ, ପଥରଗଡ଼ ଓ ବାମ ଆଦି ଗାଁରେ ୩ହଜାର ଲୋକ ରହୁଛନ୍ତି। ହେଲେ ଘର ଭିତରେ ମୋବାଇଲ ରହିଲେ, ଇଣ୍ଟରନେଟ ତ ଦୂରର କଥା, କଥା ହେବା ପାଇଁ ବି ନେଟୱର୍କ ପାଉନି । 

କେବଳ ପଞ୍ଚାୟତବାସୀ ନୁହଁନ୍ତି, ସ୍କୁଲ କଥା ଦେଖୁନାହାନ୍ତି ।  ସରକାର ଟାବଲେଟ୍ ଯୋଗାଇ ଦେଇଛନ୍ତି । ହେଲେ ନେଟୱର୍କ ଅଭାବରୁ ଏଥିରେ କୌଣସି ସରକାରୀ ସୂଚନା କିମ୍ବା ପ୍ରତିଯୋଗିତା କାର୍ଯ୍ୟକ୍ରମ ସୂଚନା ଆସି ପାରୁନାହିଁ। ଅନଲାଇନ ପାଠପଢ଼ା ତ ସ୍ବପ୍ନ ଭଳି ।     

ବାମ ପଞ୍ଚାୟତରେ କୌଣସି ମୋବାଇଲ ଟାୱାର ନଥିବାରୁ, ୬ ରୁ ୭ କିଲୋମିଟର ଦୂର ଝିଲି ପଞ୍ଚାୟତ ଉପରେ ନିର୍ଭର କରୁଛନ୍ତି ଲୋକେ । ହଠାତ୍ କୌଣସି ସୁବିଧା ଅସୁବିଧା ହେଲେ ପରିଜନଙ୍କୁ ଖବର ଦେବା, ୧୦୮ ଆମ୍ବୁଲାନ୍ସକୁ ଡକାଇବା, ଅଗ୍ନିଶମ ଓ ଥାନାକୁ ସୂଚନା ଦେବା ଆଦି ସମ୍ଭବ ହେଉନାହିଁ। ଦୂର ଜାଗାକୁ ଯାଇ ସେଠାରୁ ମୋବାଇଲ ଡାଏଲ କରିବାକୁ ପଡ଼ୁଛି । ବାହାରୁ କେହି ଏଠାକୁ ଫୋନ କଲେ 'ନଟ୍ ରିଚେବଲ୍' କହୁଛି । 

ଗାଁର ଅଧିକାଂଶ ଲୋକ ଦିନ ମଜୁରିଆ ଭାବେ ପେଟ ପୋଷୁଥିବା ବେଳେ, ବାରମ୍ବାର ପ୍ରଶାସନ ନିକଟରେ ଦାବି ସତ୍ତ୍ବେ ମୋବାଇଲ ନେଟୱର୍କ ସମସ୍ୟାର ସମାଧାନ ହୋଇନଥିବା ସେମାନେ ଅଭିଯୋଗ କରିଛନ୍ତି । ସ୍ମାର୍ଟ ଯୁଗରେ ବାମ ପଞ୍ଚାୟତକୁ କେବେ ସ୍ମାର୍ଟ ବନିବାର ସୁଯୋଗ ମିଳୁଛି, ତାକୁ ହିଁ ଅପେକ୍ଷା ।

OTV is now on Whatsapp

Join and get latest news update delivered to you via whatsapp

Join Now