Men's Commission Necessary: ବାବା ବଳିଆ ରଖିଲେ ପ୍ରସ୍ତାବ, ‘ମହିଳା କମିଶନ ଭଳି ପୁରୁଷ କମିଶନ ବି ଜରୁରୀ’

ନିର୍ଯାତିତ ପୁରୁଷଙ୍କୁ ନ୍ୟାୟ ସପକ୍ଷରେ ପଦ୍ମଶ୍ରୀ ବାବା ବଳିଆ । ମହିଳା କମିଶନ୍‌ର ନାଲି ଆଖି ଦେଖାଇ ପୁରୁଷଙ୍କ ପ୍ରତି ବଢୁଥିବା ନିର୍ଯାତନା ମାମଲାରେ ବ୍ରେକ୍ ଦେବାକୁ ହେଲେ ପୁରୁଷ କମିଶନ ଗଠନ ନିହାତି ଦରକାର ବୋଲି କହିଛନ୍ତି ବାବା ।

Baba Balia

ନିର୍ଯାତିତ ପୁରୁଷଙ୍କୁ ନ୍ୟାୟ ସପକ୍ଷରେ ପଦ୍ମଶ୍ରୀ ବାବା ବଳିଆ । ମହିଳା କମିଶନ୍‌ର ନାଲି ଆଖି ଦେଖାଇ ପୁରୁଷଙ୍କ ପ୍ରତି ବଢୁଥିବା ନିର୍ଯାତନା ମାମଲାରେ ବ୍ରେକ୍ ଦେବାକୁ ହେଲେ ପୁରୁଷ କମିଶନ ଗଠନ ନିହାତି ଦରକାର ବୋଲି କହିଛନ୍ତି ବାବା । ସେହିପରି ଅବହେଳିତ ବୃଦ୍ଧ ବାପା ମା’ ପାଇଁ ବି ପିତୃମାତୃ କମିଶନ ଜରୁରୀ ବୋଲି ମତ ରଖିଛନ୍ତି । ସେପଟେ ବାବା ବଳିଆଙ୍କ ପ୍ରସ୍ତାବକୁ ପୁରୁଷ କମିଶନ ଗଠନ ପାଇଁ ଲଢ଼େଇ କରୁଥିବା ଆଇନଜୀବୀ ସମର୍ଥନ କରିଥିବାବେଳେ ମହିଳା ଅଧିକାର କର୍ମୀ କିନ୍ତୁ ରଖିଛନ୍ତି ଭିନ୍ନ ମତ ।

ସମାଜରେ ବଢ଼ି ଚାଲିଛି ପୁରୁଷ ନିର୍ଯାତନା .. ମହିଳା କମିଶନଙ୍କୁ ଢାଲ କରି ପୁରୁଷଙ୍କୁ ଦିଆଯାଉଛି ଅକଥନୀୟ ଯାତନା । ସାଂପ୍ରତିକ ପରିସ୍ଥିତିରେ ନିହାତି ଗଠନ ହେବା ଦରକାର ପୁରୁଷ କମିଶନ । ଏଥିପାଇଁ ଦରକାର ପଡ଼ିଲେ ସେ ସର୍ବୋଚ୍ଚ କୋର୍ଟଙ୍କ ପାଖରେ ଗୁହାରି କରିବେ ବୋଲି କହିଛନ୍ତି । ଆଧାତ୍ମିକ ଗୁରୁ ପଦ୍ମଶ୍ରୀ ବାବା ବଳିଆ ।

ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବାବା ବଳିଆ ଆହୁରି ମଧ୍ୟ ଆତ୍ମହତ୍ୟା ପଥ ନବାଛିବାକୁ ଅପିଲ୍ କରିଛନ୍ତି । ନିକଟରେ ବେଙ୍ଗଳୁରୁରେ ଅତୁଲ୍ ସୁଭାଷ ନାମକ ଜଣେ AI ଇଞ୍ଜିନିୟର ନିଜ ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ସୁଇସାଇଡ୍ ଭଳି ଚରମ ନିଷ୍ପତ୍ତି ନେବା ଘଟଣାରେ ପ୍ରତିକ୍ରିୟା ରଖି ବାବା କହିଛନ୍ତି- ଯେ କେହି ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ଥରେ ଭାବନ୍ତୁ ଓ ଆମ ଆଶ୍ରମକୁ ଆସନ୍ତୁ କିମ୍ବା ଦେଶର ଅନ୍ୟ କୌଣସି ସନ୍ଥଙ୍କ ଆଶ୍ରମକୁ ଚାଲି ଯାଆନ୍ତୁ । ମନ ପରିବର୍ତ୍ତନ ହୋଇଯିବ ।

ଅଧିକ ପଢନ୍ତୁ: ସୁଭଦ୍ରା ଯୋଜନାରୁ ଡିଜିପି ସମ୍ମିଳନୀ, ମନେରହିବ ଏହି ସବୁ ଘଟଣା

ସେହିପରି ପ୍ରାୟ ପରିବାରମାନଙ୍କରେ ବୃଦ୍ଧ ବାପା-ମାଆଙ୍କୁ ହେଉଥିବା ହତାଦରକୁ ନେଇ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ବାବା ବଳିଆ । କହିଛନ୍ତି ଏଥି ପାଇଁ ପିତୃମାତୃ କମିଶନ ବି ଗଠନ ହେବା ଜରୁରୀ । ସେହିପରି ବିଧବାଙ୍କୁ ମଧ୍ୟ ସମାଜର ମୁଖ୍ୟସ୍ରୋତକୁ ଆଣିବାକୁ ଅପିଲ୍ କରିଛନ୍ତି । କହିଛନ୍ତି ବିଧବା ମହିଳା ଯଜ୍ଞ କରନ୍ତି, କଳସ ବୁଡ଼ାନ୍ତି ଓ ଲକ୍ଷ୍ମୀ ପୂଜା ବି କରନ୍ତି, ତେଣୁ ସେମାନଙ୍କୁ ମାଙ୍ଗଳିକ କାର୍ଯ୍ୟରେ ସାମିଲ୍ କରାଯାଉ ।

ବାସ୍ତବରେ ସମାଜରେ କେତେ ନିର୍ଯାତିତ ପୁରୁଷ ? କେନ୍ଦ୍ରାପଡ଼ାର ପୀଡ଼ିତ ଯୁବକ ହିମାଂଶୁ ରାଉତ ଜଣେ ଉଦାହରଣ । ବୁଲଗାଁ ଅଞ୍ଚଳରେ ବିନା ଯୌତୁକରେ ବିବାହ କରିଥିଲେ । ହେଲେ ପତ୍ନୀ ଓ ପରିବାର ଲୋକେ ଯୌତୁକ ନିର୍ଯାତନାଠୁ ଧରି ହତ୍ୟା ଉଦ୍ୟମ ଭଳି ସଂଗୀନ ଅଭିଯୋଗରେ ତାଙ୍କୁ ଛନ୍ଦିଛନ୍ତି ।

୨ବର୍ଷ ତଳେ ଜେଲ୍ ଯାଇଥିଲେ-ସେବେଠୁ ମାମଲାରେ ଧନ୍ଦି ହୋଇ ନ୍ୟାୟ ପାଇଁ ବୁଲୁଛନ୍ତି । ତେଣେ ଏଭଳି ଘଟଣା ସମାଜରେ ବହୁଳ, ତେଣୁ ପୁରୁଷ କମିଶନ ଗଠନ ନିହାତି ଜରୁରୀ ବୋଲି ଏଦିଗରେ ଲଢ଼େଇ କରୁଥିବା ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ କହିଥିବା ବେଳେ ମହିଳା ଅଧିକାର କର୍ମୀ କହିଛନ୍ତି ପରିବାରରୁ ପୁଅ-ଝିଅ ସଂସ୍କାରୀ ହେଲେ କିଛି କମିଶନ ଲୋଡ଼ା ନାହିଁ । ଏବେ ଦେଖିବାର କଥା ସମାଜ ସଂସ୍କାର ପାଇଁ ଆଧାତ୍ମିକ ଗୁରୁ ବାବା ବଳିଆଙ୍କ ଏସବୁ ପ୍ରସ୍ତାବ କେତେ ଗ୍ରହଣୀୟ ହେଉଛି ।

ଅଧିକ ପଢନ୍ତୁ: ରାତି ପାହିଲେ ନବବର୍ଷ, ପାର୍ଟି ମୁଡ୍‌ରେ ଟୁଇନ୍ ସିଟି