Advertisment

ଡାକ୍ତରଖାନା ଅଛି, ନାହାନ୍ତି ଡାକ୍ତର: ଚିକିତ୍ସା ନ ପାଇ କଲବଲ ରୋଗୀ

ଷ୍ଟାଟିଷ୍ଟିକ୍ କହୁଛି ମାଲକାନଗିରି ଜିଲ୍ଲାରେ ଖାଲି ପଡ଼ିଛି ୨୩୦ ଡାକ୍ତର ପଦବୀ। କେବଳ ଡାକ୍ତର ନୁହଁନ୍ତି ଶତାଧିକ ଷ୍ଟାଫ ନର୍ସ ଏବଂ ସ୍ବାସ୍ଥ୍ୟ କର୍ମୀ ପଦବୀ ବି ଖାଲି। ଜିଲ୍ଲାରେ ନାହାନ୍ତି ପ୍ରାୟ ୯୦ ପ୍ରତିଶତ ବିଶେଷଜ୍ଞ ।

author-image
Sujit kumar Swain
Medical Services

Medical Services

ଡାକ୍ତରଖାନା ଅଛି, ନାହାନ୍ତି ଡାକ୍ତର। ଷ୍ଟାଟିଷ୍ଟିକ୍ କହୁଛି ମାଲକାନଗିରି ଜିଲ୍ଲାରେ ଖାଲି ପଡ଼ିଛି ୨୩୦ ଡାକ୍ତର ପଦବୀ। କେବଳ ଡାକ୍ତର ନୁହଁନ୍ତି ଶତାଧିକ ଷ୍ଟାଫ ନର୍ସ ଏବଂ ସ୍ବାସ୍ଥ୍ୟ କର୍ମୀ ପଦବୀ ବି ଖାଲି। ଜିଲ୍ଲାରେ ନାହାନ୍ତି ପ୍ରାୟ ୯୦ ପ୍ରତିଶତ ବିଶେଷଜ୍ଞ । ୨୦୨୧ରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ବାୟୁ ସେବା ମାତ୍ର ୫ ଥର ସେବା ଯୋଗାଇ ଠପ୍ ହୋଇଗଲା । ଏଭଳି ସ୍ଥିତିରେ କ୍ବାକ୍ ଓ ଗୁଣିଗାରେଡି ଉପରେ ଭରସା କରୁଛନ୍ତି ଲୋକେ। ମାଲକାନଗିରିରେ ସ୍ବାସ୍ଥ୍ୟ ସେବାକୁ ନେଇ ଦେଖିବା ରିପୋର୍ଟ ।

Advertisment

ଉପାନ୍ତ ଅଞ୍ଚଳରେ ପଙ୍ଗୁ ହେଲାଣି ସ୍ବାସ୍ଥ୍ୟ ସେବା ! ଡାକ୍ତରଖାନା ଅଛି, ନାହାନ୍ତି ଡାକ୍ତର । ଚିକିତ୍ସା ନ ପାଇ କଲବଲ ରୋଗୀ । ମାଲାକାନଗିରି ଜିଲ୍ଲାରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର। ଜିଲ୍ଲାର ଯେକୌଣସି ଅଞ୍ଚଳକୁ ସାମ୍ପଲ ଭାବେ ନେଇ ଦେଖିଲେ ସ୍ଥିତି କେମିତି ତାହା ଜଳ ଜଳ । ଏହି କ୍ରମରେ ଆମେ ଜିଲ୍ଲାର ମାଟାପାକା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କେମିତି ଚାଲିଛି ସ୍ବାସ୍ଥ୍ୟ ସେବା ତାହାର ରିଆଲିଟି ଚେକ୍ କରିଥିଲୁ । ଏଠାରେ ଜଣେ ଡାକ୍ତର ଓ ଜଣେ ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ମେଡିକାଲ । କୌଣସି କାରଣରୁ ଡାକ୍ତର ଅନୁପସ୍ଥିତ ରହିଲେ କଥା ସରିଲା । ଫାର୍ମାସିଷ୍ଟଙ୍କ କାନ୍ଧରେ ସବୁ ଭାର ।

ତଥ୍ୟ ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ମୋଟ ୩୮୨ ଡାକ୍ତର ପଦବୀ ଥିବା ବେଳେ ଅଛନ୍ତି ମାତ୍ର ୧୪୪ ଜଣ। ସେହିପରି ଜିଲ୍ଲାରେ ୫୬ ଜଣ ବିଶେଷଜ୍ଞ ପଦବୀ ଅନୁମୋଦିତ ହୋଇଥିବା ବେଳେ ଅଛନ୍ତି ମାତ୍ର ୧୪ ଜଣ। ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ୩ ଶହ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ଏଠାରେ ୮୯ଟି ଡାକ୍ତର ପଦବୀ ଆବଶ୍ୟକ । ହେଲେ ଅଛନ୍ତି ମାତ୍ର ୪୩ ଜଣ। କେବଳ ଡାକ୍ତର ପଦବୀ ନୁହେଁ ଜିଲ୍ଲାରେ ୧୦୧୫ ଷ୍ଟାଫନର୍ସ ଓ ସ୍ବାସ୍ଥ୍ୟ କର୍ମୀ ବଦଳରେ ଅଛନ୍ତି ମାତ୍ର ୬୧୭ ଜଣ। ସ୍ବାସ୍ଥ୍ୟାବସ୍ଥାର ଷ୍ଟାଟିଷ୍ଟିକ୍ ହିଁ ଦର୍ଶାଉଛି ଜିଲ୍ଲାରେ କେମିତି ଭୁଶୁଡ଼ି ପଡ଼ିଛି ସ୍ବାସ୍ଥ୍ୟ ଭିତ୍ତିଭୂମି । ଥିଲା ବାଲା ବାହାରକୁ ଯାଇ ଚିକିତ୍ସିତ ହେଉଥିବା ବେଳେ ଗରିବ ଗୁରୁବାଙ୍କ ଭରସା ଭଗବାନ । 

Advertisment

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ କେବଳ ଯେ ମାଲକାନଗିରି ଜିଲ୍ଲାବାସୀ ନୁହେଁ ବରଂ ପଡୋଶୀ ଛତିଶଗଡ ବାସିନ୍ଦା ବି ନିର୍ଭର କରନ୍ତି। ଉପାନ୍ତ ମାଲକାନଗିରିରେ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ୨୦୨୧ରେ ମୁଖ୍ୟମନ୍ତ୍ରୀ ବାୟୁସେବା ଆରମ୍ଭ ହୋଇଥିଲା । ବିଶେଷଜ୍ଞ ଟିମ ଆସି ଲୋକଙ୍କୁ ସେବା ଯୋଗାଉଥିଲେ। କିନ୍ତୁ ଏହାରି ଭିତରେ ମାତ୍ର ୫ ଥର ଏହି ସେବା ଜିଲ୍ଲାବାସୀ ପାଇଥିବା ବେଳେ ୨୮-୮-୨୦୨୩ ପରେ ଏହା ବନ୍ଦ ହୋଇଯାଇଛି। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଡାକ୍ତର ଓ ବିଶେଷଜ୍ଞଙ୍କ ପାଇଁ ବାରମ୍ବାର ଚିଠି ମାଧ୍ୟମରେ ସରକାରଙ୍କୁ ଅବଗତ କରାଯାଉଛି। ଉପାନ୍ତ ଅଂଚଳରେ ଲୋକଙ୍କୁ ଆମେ ଯଥା ସମ୍ଭବ ଚିକିତ୍ସା ଯୋଗାଇ ଆସୁଛୁ। ଡାକ୍ତର ଅଭାବ ଯୋଗୁ ଜିଲ୍ଲାରେ କ୍ବାକ୍ ଓ ଗୁଣିଗାରେଡ଼ି ଉପରେ ଭରସା କରୁଛନ୍ତି ଲୋକେ ।

Malkangiri Doctors Medical
Advertisment
Advertisment