/odishatv-khabar/media/post_attachments/uploadimage/library/16_9/16_9_0/Mangroves_1730041239.jpg)
Mangroves
ଭିତରକନିକାର ହବାଳିଖଟି ନେଚର୍ କ୍ୟାଂପ୍ ପାଖରେ ସ୍ଥଳଭାଗ ଛୁଇଁବା ସ୍ଥାନରେ ହିଁ ବାତ୍ୟା ‘ଦାନା’କୁ ଦୁର୍ବଳ କରିଦେଲା ଘଂଚ ହେନ୍ତାଳ ବଣ । ପବନର ବେଗକୁ ତତ୍କାଳ ୨୦ରୁ ୩୦ କିଲୋମିଟର କମାଇଦେଲା । ଜୁଆରକୁ ମାତ୍ ଦେଲା । ଆଉ ରାଜନଗର ଓ ଆଖପାଖ ଅଂଚଳବାସୀଙ୍କ ପାଇଁ କବଚ ଭଳି ଯୋଗାଇଥିଲା ସୁରକ୍ଷା । ଖାଲି ଭିତରକନିକାର ହବାଳିଖଟି ନୁହେଁ, ବଗପାଟିଆ ଓ ପାରାଦୀପ ମଧ୍ୟରେ ଥିବା ହେନ୍ତାଳ ବଣ ସେଠାକାର ଲୋକଙ୍କ ପାଇଁ ଆଣିଥିଲା ବଡ଼ ଆଶ୍ବସ୍ତି ।
ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଯଦିଓ ବାତ୍ୟା ଦାନା ଭିତରକନିକାରେ ଲ୍ୟାଣ୍ଡଫଲ କରିଛି, ହେଲେ ହେନ୍ତାଳ ବଣର ୧ ପ୍ରତିଶତ ଗଛ ବି ଉପାଡ଼ି ପାରିଲାନି । ବାତ୍ୟା ସମୟରେ ଉଠିଥିବା ସାମୁଦ୍ରିକ ଜୁଆର ସାମ୍ନାରେ ଅଭେଦ୍ୟ ପ୍ରାଚୀର ଭଳି ଛିଡ଼ା ହୋଇଥିଲା ହେନ୍ତାଳ ବନ । ଅନ୍ୟ ବୃକ୍ଷ ଭଳି ଭାଙ୍ଗି ନ ପଡ଼ି ଝଡ଼ ପବନକୁ ଦୁର୍ବଳ କରିଦେଇଥିଲା ଏ ଲୁଣା ଜଙ୍ଗଲ। ୧୯୯୯ ମହାବାତ୍ୟା ବେଳେ ବି ଏହି ଲୁଣା ଜଙ୍ଗଲ ଯୋଗୁ ଅପେକ୍ଷାକୃତ କମ୍ ପ୍ରଭାବିତ ହୋଇଥିଲା ରାଜନଗର ଓ ରାଜକନିକା । ଯେହେତୁ ଓଡ଼ିଶା ଏକ ବାତ୍ୟା ପ୍ରବଣ ରାଜ୍ୟ, ତେଣୁ ଉପକୂଳରେ ଥିବା ହେନ୍ତାଳ ବଣକୁ ସୁରକ୍ଷା ଦେବା ସହ ନୂଆ ହେନ୍ତାଳ ବଣ ସୃଷ୍ଟି ପାଇଁ ଜନ ସାଧାରଣ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ଆହ୍ବାନ ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ।
ହେନ୍ତାଳ ବନ କିଭଳି ବାତ୍ୟାକୁ ପ୍ରତିହତ କରିପାରୁଛି? ବିଶେଷଜ୍ଞ କହିଛନ୍ତି, ହେନ୍ତାଳ ବନରେ ଥିବା ବୃକ୍ଷର ଚେରଗୁଡ଼ିକ ଜାଲି ଭଳି ଛନ୍ଦି ହୋଇ ନେଟୱର୍କ ଭଳି କାମ କରିଥାଏ । ସମୁଦ୍ରର ପାଣିକୁ ଆଗକୁ ଯିବାକୁ ରୋକିଥାଏ । ଜୁଆରର ପ୍ରଭାବକୁ ୭୦ରୁ ୯୦ ପ୍ରତିଶତ କମାଇ ଦେଇଥାଏ । ଯଦିଓ ହେନ୍ତାଳ ବନ ସବୁ ପରିବେଶରେ ହୋଇ ନଥାଏ, କିନ୍ତୁ ଆମ ରାଜ୍ୟରେ ପ୍ରାୟ ସବୁ ନଦୀ ମୁହାଣରେ ହେନ୍ତାଳ ବଣ ସୃଷ୍ଟି ହେଉଛି । ହେଲେ ସଂରକ୍ଷଣ ଅଭାବରୁ ଧୀରେ ଧିରେ ଏ ସବୁ ଅଞ୍ଚଳର ହେନ୍ତାଳ ବନକୁ ନଷ୍ଟ କରାଯାଇ ବେଆଇନ ଭାବେ ମାଛ ଚାଷ କରାଯାଉଥିବାରୁ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ଓ ହେନ୍ତାଳ ବନ ସଂରକ୍ଷକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)