Fire Breaks Out: ଈର୍ଷାରେ ଜଳି ୫ ଲକ୍ଷର ନଡ଼ାଗଦାରେ ନିଆଁ ଲଗାଇଦେଲେ, ଏଣେ ଚାହୁଁ ଚାହୁଁ ଜଳିଗଲା ଘର

ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ଅଗ୍ନିକାଣ୍ଡ ଘଟି ଘରଦ୍ୱାର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ । ସହି ନପାରି ଜାଳିଦେଲେ ୫ ଲକ୍ଷ ଟଙ୍କାର ନଡ଼ାଗଦା । ପଢନ୍ତୁ ପୁରା ଖବର

ଭୟଙ୍କର ଅଗ୍ନିକାଣ୍ଡ

ଧାର କରଜ କରି ୫ ଲକ୍ଷ ଟଙ୍କାର ନଡ଼ା କିଣିଥିଲେ । ଆଶା ଥିଲା, ଛତୁ ଚାଷ କରିବେ ଦି' ପଇସା ପାଇବେ । ହେଲେ ସହି ପାରିଲେନି ଲୋକ । ରାତି ଅଧରେ ନଡ଼ାଗଦାରେ ନିଆଁ ଲଗାଇଦେଲେ । ଆଖି ସାମ୍ନାରେ ହୁତୁ ହୁତୁ ହୋଇ ଜଳିଗଲା ୫ ଲକ୍ଷର ନଡ଼ାଗଦା । ନିଆଁ ଆଁରେ ନଡ଼ା ସହିତ ଛାରଖାର୍ ହୋଇଗଲା ଦୁଇ ଭାଈଙ୍କ ଛତୁ ଚାଷର ସ୍ବପ୍ନ । ଏବେ କେମିତି ଋଣ ଟଙ୍କା ସୁଝିବେ ସେଇ ଚିନ୍ତାରେ ମୁଣ୍ଡ ପିଟୁଛନ୍ତି ଦୁଇ ଭାଈ । ଘଟଣାଟି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ମହୁଲି ଗାଁର ।

ଅଧିକ ପଢ଼ନ୍ତୁ: ବରକୁ ହତ୍ୟା ପାଇଁ ସୁପାରୀ, ବନ୍ଧୁକ ଓ ଖଣ୍ଡା ଜବତ କଲେ ଗାଁ ଲୋକେ

ସୂଚନା ମୁତାବକ, ଗତ ରାତିରେ ମହୁଲି ଗାଁର ଦୁଇ ଭାଈ ସମୀରକାନ୍ତ ସାହୁ ଓ ନିରଞ୍ଜନ ସାହୁଙ୍କ ନଡ଼ାଗଦାରେ ଏହି ନିଆଁ ଲାଗିଛି । ଦୁହେଁ ଛତୁ ଚାଷ ପାଇଁ ଘର ନିକଟରେ ଥିବା ଏକ ପଡିଆରେ ୮୨ ହଜାର ବିଡ଼ା ନଡ଼ା ରଖିଥିଲେ । ବିଳମ୍ବିତ ରାତିରେ ନଡ଼ାଗଦାରେ ନିଆଁ ଲାଗି ଜଳୁଥିବାର ଦେଖିଥିଲେ । କାଲି ରାତିରୁ ସକାଳ ଯାଏଁ ନିଆଁକୁ ଆୟତ୍ତ କରିବାରେ ଲାଗିଥିଲେ ଅଗ୍ନିଶମ ବାହିନୀ ।

ନିଆଁରେ ପୁରା ଛାରଖାର୍ ହୋଇଯାଇଛି ନଡ଼ାଗଦା । ଋଣ କରି ଛତୁ ଚାଷ କରିଥିବା ଦୁଇ ଭାଈଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି । ତେବେ କେହି ଦୁର୍ବୃତ୍ତ ଜାଣିଶୁଣି ନଡ଼ାଗଦାରେ ନିଆଁ ଲଗାଇଥିବା ଅଭିଯୋଗ କରିଛନ୍ତି ଛତୁଚାଷୀ ।

 

ସେହିପରି ଗତକାଲି ରାତିରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧୂଙ୍ଗିଆମୁଣ୍ଡା ଗାଁରେ ମଧ୍ୟ ଏମିତି ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବିଦ୍ୟୁତ ସର୍ଟ ସର୍କିଟରୁ ଗାଁର ହରି ବେହେରାଙ୍କ ଘରେ ନିଆଁ ଲାଗିଛି । ଅଗ୍ନିଶମ ବାହିନୀ ଓ ଗାଁ ଲୋକେ ମିଶି ନିଆଁକୁ ଆୟତ୍ତ କରିଛନ୍ତି । ହେଲେ ଅଗ୍ନିକାଣ୍ଡରେ ବହୁ ଅସବାବପତ୍ର ସହ ଲକ୍ଷାଧିକ ଟଙ୍କା ସମ୍ପୂର୍ଣ୍ଣ ପୋଡି ଭସ୍ମୀଭୂତ ହୋଇଯାଇଛି । 

ହରି ବେହେରା ଓ ତାଙ୍କ ପରିବାର ଲୋକେ ଘରେ ଥିବା ଅବସ୍ଥାରେ ହଠାତ୍ ସର୍ଟ ସର୍କିଟ ହୋଇ ନିଆଁ ଲାଗିଯାଇଥିଲା । କେହି କିଛି ବୁଝିବା ଆଗରୁ ନିଆଁ ପୁରା ଘରକୁ ନିଜ ଆୟତ୍ତକୁ ନେଇ ଯାଇଥିଲା । ପରିବାର ଲୋକେ ଅଳ୍ପକେ ନିଆଁ ମୁହଁରୁ ବର୍ତ୍ତି ଯାଇଥିଲେ ହେଁ ପୁରା ଘର ଛାରଖାର୍ ହୋଇଯାଇଛି ।
 

ଅଧିକ ପଢ଼ନ୍ତୁ: ଜଳିଗଲା ମହାପ୍ରଭୁ ଜଗନ୍ନାଥଙ୍କ ରଥ