Alcohol Consumption In Odisha: ରାଜ୍ୟରେ ବଢ଼ିଛି ମଦ ବିକ୍ରି, ଏ ବର୍ଷ ପିଇଦେଲେ ୧୫ କୋଟିରୁ ଅଧିକ ବଲକ ଲିଟର ବିୟର

ବିଦେଶୀ ହେଉ କି ଦେଶୀ । ରାଜ୍ୟରେ ପ୍ରତିବର୍ଷ ଢକ ଢକ କରି ପିଇ ଯାଉଛନ୍ତି ଲକ୍ଷ ଲକ୍ଷ ଲିଟର ମଦ । ଏଇ ବର୍ଷ ଲୋକେ ପିଇଛନ୍ତି ୧୫ କୋଟି ୩୫ଲକ୍ଷ ୭୨ ବଲକ୍ ଲିଟର ବିୟର ।

ପିଇଦେଲେ ୧୫ କୋଟି ଲିଟର ବିୟର

ରାଜ୍ୟରେ ମଦ ବିକ୍ରି ବଢିଛି, ଅବକାରୀ ରାଜସ୍ବ ଆୟ ବି ବଢ଼ି ଚାଲିଛି । ଦେଶୀ ହେଉ କି ବିଦେଶୀ, ବର୍ଷକୁ ବର୍ଷ ମଦ ବିକ୍ରି ବଢି ଚାଲିଥିବା ନେଇ ଗୃହରେ ଅବକାରୀ ମନ୍ତ୍ରୀ ତଥ୍ୟ ରଖି କହିଛନ୍ତି ସରକାର ପ୍ରାୟ ୭ ହଜାର ୨୧୭ କୋଟିର ଅବକାରୀ ରାଜସ୍ବ ଆୟ ପାଇଛନ୍ତି । ଏଇ ବର୍ଷ ୧୫ କୋଟିରୁ ଅଧିକ ବଲକ ଲିଟର ବିୟର ଲୋକେ ପିଇଛନ୍ତି । ତେଣେ ଓଡ଼ିଶା ଭଳି ଏକ ଗରିବ ରାଜ୍ୟରେ ୩୨ ପ୍ରତିଶତ ଲୋକ ମଦ୍ୟପାନ କରୁଥିବାକୁ ନେଇ ବଢ଼ିଛି ଚିନ୍ତା ।

ବିଦେଶୀ ହେଉ କି ଦେଶୀ । ରାଜ୍ୟରେ ପ୍ରତିବର୍ଷ ଢକ ଢକ କରି ପିଇ ଯାଉଛନ୍ତି ଲକ୍ଷ ଲକ୍ଷ ଲିଟର ମଦ । ଏଇ ବର୍ଷ ଲୋକେ ପିଇଛନ୍ତି ୧୫ କୋଟି ୩୫ଲକ୍ଷ ୭୨ ବଲକ୍ ଲିଟର ବିୟର । ଆଜି ବିଧାନସଭାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରଶ୍ନର ଉତ୍ତର ରଖି ଏଭଳି ଆଖିତରାଟିଲା ଭଳି ତଥ୍ୟ ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗତ ୧୦ ବର୍ଷର ତଥ୍ୟ ରଖି ଅବକାରୀ ମନ୍ତ୍ରୀ କହିଥିଲେ- ରାଜ୍ୟରେ ଏବେ ୧୦୭୩ଟି ଠିପି ବନ୍ଦ ଓ ୭୬୨ଟି ଠିପିଖୋଲା ମଦ ଦୋକାନ ରହିଛି । ସେହିପରି ୪୮୨ଟି ଦେଶୀ ମଦ ଦୋକାନରେ ମହୁଲି ମଦ ବିକ୍ରି ହେଉଛି । ପ୍ରତିବର୍ଷ ମଦ ବିକ୍ରି ବଢି ବଢି ଚାଲିଛି ଓ ୨୦୨୩-୨୪ ମସିହାରେ ଅବକାରୀ ରାଜସ୍ବ ଆୟ ୭ ହଜାର ୨୧୬ କୋଟି ୯୯ ଲକ୍ଷରେ ପହଞ୍ଚିଛି । 

ଅଧିକ ପଢ଼ନ୍ତୁ: ରାଜଧାନୀରେ ଭଡ଼ା ଘର ଖୋଜୁଥିଲେ ସାବଧାନ୍; ଚୂନା ଲଗାଉଛନ୍ତି ଦଲାଲ୍

ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ- ୨୦୨୨-୨୩ରେ ୫ କୋଟି ୮୩ ଲକ୍ଷ ୪୪ ହଜାର LP ଲିଟର ବିଦେଶୀ ମଦ ବିକ୍ରି ହୋଇଥିବାବେଳେ ୨୦୨୩-୨୪ରେ ୫ କୋଟି ୮୮ ଲକ୍ଷ ୮୫ ହଜାର ଏଲପି ଲିଟର ବିକ୍ରି ହୋଇଛି । ସେହିପରି ୨୦୨୨-୨୩ରେ ୧୨କୋଟି ୯ ଲକ୍ଷ ୬୭ ହଜାର ବଲ୍ କ ଲିଟର ବିୟର ବିକ୍ରି ହୋଇଥିବାବେଳେ ୨୦୨୩-୨୪ରେ ଏହା ବଢ଼ି ୧୫ କୋଟି ୩୫ ଲକ୍ଷ ୭୨ ହଜାର ବଲକ ଲିଟରରେ ପହଞ୍ଚିଛି । ଏଥିସହ ୨୦୨୨-୨୩ରେ ୮୪ ଲକ୍ଷ ୩୭ ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଥିବାବେଳେ ୨୦୨୩-୨୪ରେ ୯୮ ଲକ୍ଷ ୪୩ ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଛି ।

ଗୋଟିଏ ପଟେ ରାଜ୍ୟରେ ମଦ ବ୍ରିକି ବଢିବା ସହ ଅବକାରୀ ରାଜସ୍ବ ଆୟ ବଢୁଥିଲେ ବି ଏହାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ନିଶାମୁକ୍ତି ଅଭିଯାନ ସଂଗଠନ। ସେମାନଙ୍କ ମତରେ- ମଦ ବିକ୍ରି ବଢିବା ସହ ମଦୁଆଙ୍କ ସଂଖ୍ୟା ମଧ୍ୟ ହୁ ହୁ ବଢ଼ି ଚାଲିଛି । ସମାଜ ଉପରେ କୁପ୍ରଭାବ ପଡ଼ିବା ସହ ଅପରାଧ ଗ୍ରାଫ୍ ମଧ୍ୟ ଉପର ମୁହାଁ ହେବାରେ ଲାଗିଛି । ବହୁ ପରିବାର ଉଜୁଡୁଛି ଓ ମଦ୍ୟପାନ ଯୋଗୁଁ ଲୋକେ ରୋଗାକ୍ରାନ୍ତ ବି ହେଉଛନ୍ତି। ତେଣୁ ସରକାର କେବଳ ଆୟ ବୃଦ୍ଧି କଥା ନଭାବି ମଦର କୁପ୍ରଭାବ ଦିଗରେ ବି ଚିନ୍ତା କରିବା ଅତ୍ୟନ୍ତ ଜରୁରୀ। ସେହିପରି ପୂର୍ବତନ ଅବକାରୀ କମିଶନରଙ୍କ ସୂଚନା ଅନୁସାରେ- ଓଡ଼ିଶା ଭଳି ଏକ ଗରିବ ରାଜ୍ୟରେ ୩୨ ପ୍ରତିଶତ ଲୋକ ମଦ୍ୟପାନରେ ଅଭ୍ୟସ୍ତ । ଯାହାଙ୍କ ଭିତରେ ୫ ପ୍ରତିଶତ ମହିଳା ଅଛନ୍ତି। ଏହା ଏକ ଉଦବେଗର ବିଷୟ, ସରକାର ଆଉ ଅଧିକ ମଦ ଦୋକାନ ନ ଖୋଲି ଡିମାଣ୍ଡ ହ୍ରାସ ଦିଗରେ ଦୃଷ୍ଟି ଦେବା ଦରକାର ।

ମଦ ବିକ୍ରି ତଥ୍ୟ ଉପସ୍ଥାପନ ଭିତରେ ବିଧାନସଭାରେ ଆଜି ବିଧାୟକ ସନାତନ ମହାକୁଡ଼ କାଚ ମଦ ବୋତଲର ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ସନାତନ କହିଥିଲେ-କାଚ ବୋତଲରେ ମଦ ବିକ୍ରି ଯୋଗୁଁ ଲୋକେ ବ୍ୟବହାର ପରେ ଏହାକୁ ଏଣେତେଣେ ଫିଙ୍ଗୁଛନ୍ତି, ଯଦ୍ବାରା ପରିବେଶ ନଷ୍ଟ ହେବା ସହ ଅକାରଣରେ ମଣିଷ ଓ ପ୍ରାଣୀ ଆହତ ହେଉଛନ୍ତି ।

ଅଧିକ ପଢ଼ନ୍ତୁ: ଗରିବୀର ବିକଳ ଚିତ୍ର; ଦାଦନ ଯିବେ ବୋଲି କଅଁଳା ଛୁଆକୁ ସରକାରଙ୍କ ହାତରେ ଟେକିଦେଲେ