Advertisment

‘KISS’କୁ ଝଟକା; ୪ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଉପରେ ଲାଗିଲା ରୋକ୍‌

କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସ(କିସ୍)କୁ ଜଙ୍ଗଲ ଜମି ଆବଣ୍ଟନ ମାମଲାରେ ନୂଆମୋଡ଼ ଆସିଛି। ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନନେବାକୁ ଜୁନ୍ ୨୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
KISS

KISS

ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଭୁବନେଶ୍ବରରେ ଥିବା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନସେସ୍- କିସ୍‌କୁ ଜଙ୍ଗଲ ଜମି ଆବଂଟନ ମାମଲାରେ ନୂଆ ମୋଡ଼ । ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେବାକୁ ଗତ ଜୁନ୍ ୨୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଏନେଇ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଜୁନ୍ ୨୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, କିସ୍ ସପକ୍ଷରେ ୪.୦୩୨ ହେକ୍ଟର ରାଜସ୍ୱ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟା ଜିଲ୍ଲାପାଳ ଆରମ୍ଭ କରିଥିଲେ । ତେଣୁ ଆଦିବାସୀ ମନ୍ତ୍ରଣାଳୟକୁ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ନମିଳିବା ଓ ଆନୁଷ୍ଠାନିକ ଅନୁମୋଦନ ଦିଆନଯିବା ପର୍ଯ୍ୟନ୍ତ ସେହି କିସମ ପରିବର୍ତ୍ତନ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ କେନ୍ଦ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟ ସରକାରଙ୍କୁ ସ୍ୱତନ୍ତ୍ର ଭାବେ ସ୍ପଷ୍ଟୀକରଣ ମାଗିଛି। ମୁଖ୍ୟ ସଚିବଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଜୁଏଲ୍ କହିଛନ୍ତି। କିସ୍ ଜଙ୍ଗଲ ଜମି କିସମ ପରିବର୍ତ୍ତନକୁ ନେଇ ମିଳିଥିବା ଅଭିଯୋଗ ଆଧାରରେ କେନ୍ଦ୍ରମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନର କିଛିଦିନ ପୂର୍ବରୁ କିସ୍ ଦଖଲରେ ଥିବା ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ମନ୍ତ୍ରଣାଳୟରୁ ଅନୁମୋଦନ ମିଳିଥିବା ନେଇ କିସ୍ ପକ୍ଷରୁ ଗଣମାଧ୍ୟମରେ ବିଜ୍ଞାପନ ଜାରି ହୋଇଥିଲା । ପୂର୍ବରୁ ମଧ୍ୟ ଅନେକ ସମୟରେ କିଟ୍ ଓ କିସ୍ ଦ୍ବାରା ଜମି ଚଂଚକତା ନେଇ ଅଭିଯୋଗ ହୋଇଆସୁଥିଲା। ଅନ୍ୟପକ୍ଷରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ କହିଛନ୍ତି, ଏକ ଜଙ୍ଗଲ ଜମି ଉପରେ କିସ୍ ଦ୍ବାରା ବେଆଇନ ନିର୍ମାଣକୁ ନେଇ ପୂର୍ବରୁ NGT ରାୟ ଦେଇସାରିଛନ୍ତି । ତା ସହିତ ପ୍ରଶ୍ନ ଉଠାଇଛନ୍ତି, ବ୍ୟବସାୟ କରୁଥିବା ଏକ ଲାଭକାରୀ ଅନୁଷ୍ଠାନକୁ କିଭଳି ଏପରି ବେଆଇନ ନିର୍ମାଣ ପାଇଁ ଅନୁମତି ଦିଆଗଲା। କେନ୍ଦ୍ରରୁ ନିର୍ଦ୍ଦେଶ ଆସିବା ପରେ, ରାଜ୍ୟ ସରକାର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି।

Advertisment

ସେହିପରି ସୂଚନା ଅଧିକାରୀ କର୍ମୀ ପ୍ରଦୀପ ପ୍ରଧାନ ଅଭିଯୋଗ କରିଛନ୍ତି ଜମି ହଡ଼ପ କରିବାରେ ଅଚ୍ୟୁତ ସାମନ୍ତ ମାହିର୍ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଉଛନ୍ତି, ତା ଉପରେ ନଜର ରହିବ ବୋଲି ସେ କହିଛନ୍ତି । ସେପଟେ ଏହି ପ୍ରସଙ୍ଗରେ ଅଚ୍ୟୁତ ସାମନ୍ତଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ କିଟ୍ ଲୋକସମ୍ପର୍କ ବିଭାଗ ମୁଖ୍ୟ ଶ୍ରଦ୍ଧାଞ୍ଜଳି ନାୟକ କହିଛନ୍ତି, ଏ ସଂକ୍ରାନ୍ତୀୟ କୌଣସି ଅଫିସିଆଲ୍ ଲେଟର୍ ଆମ ପାଖକୁ ଆସିନାହିଁ ।

ସେପଟେ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରଣା । ସେ କହିଛନ୍ତି, କେନ୍ଦ୍ର ଆଦିବାସୀ ବ୍ୟପାର ମନ୍ତ୍ରାଳୟଠୁ ଚିଠି ପାଇବା ପରେ ଘଟଣାର ଅନୁଧ୍ୟାନ ଚାଲିଛି। 'ଆଗରୁ କ’ଣ ହୋଇଥିଲା ଜାଣିନୁ, କେସ୍ ରେକର୍ଡ ଷ୍ଟଡି କରାଯାଉଛି । ସେହି ସ୍ଥାନରେ କ'ଣ ହୋଇଛି ତା’ର ତଦନ୍ତ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି ।

Achyuta Samanta KISS
Advertisment
Advertisment