/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726593160.jpg)
Khurdha Mines
ଖୋର୍ଦ୍ଧା ଜିଲ୍ଲାର କ୍ରଶର୍ ଶିଳ୍ପରେ କଳଙ୍କି ଲାଗିଗଲାଣି । ଆଉ କଳଙ୍କି ଲାଗିଲାଣି ଏହା ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକଙ୍କ ଜୀବନଜୀବିକାରେ। ଦିନେ ଏଇ ହାତ, ପଥରକୁ ବି ଫଟାଇ ଦେଉଥିଲା । ଆଜି ଫଟା କପାଳକୁ ନେଇ ହାତ ବାନ୍ଧି ବସିବା ଛଡ଼ା ଆଉ କିଛି ଉପାୟ ନାହିଁ। ଇଏ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଗଜେନ୍ଦ୍ର ବିଶୋଇ । ୧୦ ବର୍ଷ ହେଲା କ୍ରସର୍ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରୁଥିଲେ । ଏବେ କ୍ରଶର ବନ୍ଦ ଯୋଗୁଁ ଟ୍ରାକ୍ଟର ପଡ଼ିପଡ଼ି କଳଙ୍କି ଲାଗିଗଲାଣି।
ତଥାପି ଆଗକୁ କାଳେ ପୁଣି ଦିନେ ଏ ଜାଗା ଚଳଚଞ୍ଚଳ ହୋଇଉଠିବ, ପୁଣି ଥରେ କ୍ରଶର ଆରମ୍ଭ ହେବ, ସେଇ ଆଶାରେ ମନ ହେଲେ ଟ୍ରାକ୍ଟର ଆଦି ଝାଡ଼ିଝୁଡ଼ି ଦିଅନ୍ତି ଗଜେନ୍ଦ୍ର । ପଥର ବାଡ଼େଇ ପେଟ ପୋଷୁଥିବା ଖୋର୍ଦ୍ଧା ଲେଖନପୁରର ସନ୍ତୋଷ ସାହୁଙ୍କର ବି ସମାନ ସ୍ଥିତି । କ୍ରଶର୍ କାମ ଛଡ଼ା ଆଉ କିଛି ଆସୁନି, ଏପଟେ କ୍ରଶର ବନ୍ଦ ଥିବାରୁ କାମଧନ୍ଦା ମିଳୁନି।
ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ବର୍ଷଟେ ହେବ ବନ୍ଦ ହୋଇଗଲାଣି ୩୫୦ କ୍ରଶର୍। ସେଗୁଡ଼ିକ ଉପରେ ନିର୍ଭର କରୁଥିବା ପ୍ରାୟ ୪୦ ହଜାର ଶ୍ରମିକ ଆଜି ବେକାର୍। ଅନେକ ଶ୍ରମିକ ଘର ଛାଡ଼ି ବାହାର ରାଜ୍ୟକୁ ଦାଦନ ଖଟିବାକୁ ପଳାଇଲେଣି । କ୍ରଶର୍ ମାଲିକ ସଂଘ କହିବା କଥା, ୨୦୧୭ ମସିହାରୁ ଏହି ସମସ୍ୟା ଲାଗି ରହିଛି । ମାଇନ୍ସ ମିନେରାଲ୍ ଆକ୍ଟ ଲାଗୁ ହେବା ପରେ ପାହାଡ଼ରୁ କଞ୍ଚାମାଲ ମିଳିବା ଧୀରେ ଧୀରେ ବନ୍ଦ ହୋଇଗଲା । ଖୋର୍ଦ୍ଧା ଜିଲ୍ଲାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାହାଡ଼ ରହିଛି ।
ତେବେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ସମନ୍ୱୟ ନରହିବାରୁ, ସେଗୁଡ଼ିକ ନିଲାମ ହୋଇପାରିଲା ନାହିଁ। ଏହାଦ୍ବାରା କେବଳ ୪୦ ହଜାର ଲୋକଙ୍କ କାମଧନ୍ଦା ନୁହେଁ, କ୍ରଶର ବନ୍ଦ ହେବା ଦ୍ୱାରା ଜିଲ୍ଲାରେ ବିଭିନ୍ନ ସରକାରୀ ଓ ବେସରକାରୀ ନିର୍ମାଣକାର୍ଯ୍ୟ ବି ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ହେଇଛି । ଏନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନଥିବା ବେଳେ, ଖୋର୍ଦ୍ଧା ବିଧାୟକ କହିଛନ୍ତି, ଜିଲ୍ଲାର କ୍ରଶର ଶିଳ୍ପ କାର୍ଯ୍ୟକ୍ଷମ ହେବା ନେଇ ସରକାରଙ୍କ ସହିତ ଆଲୋଚନା କରାଯାଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)