/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756733096.jpg)
Kakatpur Maa Mangala temple in danger
କାକଟପୁର : ଦିନକୁ ଦିନ ଜରାଜୀର୍ଣ୍ଣ ହେଉଛି ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ କାକଟପୁର ମା ମଙ୍ଗଳାଙ୍କ ମନ୍ଦିର । ଯାହାଙ୍କ ସ୍ୱପ୍ନାଦେଶ ହେଲେ ମହାପ୍ରଭୂଙ୍କ ଦାରୁ ସଂଗ୍ରହ ହୋଇଥାଏ । ଯେଉଁ ମା ମଙ୍ଗଳା ମହାପ୍ରଭୁଙ୍କ ସ୍ରଷ୍ଟା ସେଇ ମା ଆଜି ନିଜେ ବିପଦରେ । ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନରେ ଥିବା ଷୋଡ଼ଶ ଶତାବ୍ଦୀରେ ନିର୍ମିତ ମା ମଙ୍ଗଳାଙ୍କ ଏହି ପ୍ରାଚୀନ ମନ୍ଦିରର ରକ୍ଷଣାବେକ୍ଷଣା ଅଭାବ ଯୋଗୁଁ ସାମାନ୍ୟ ବର୍ଷା ହେଲେ ମନ୍ଦିରର ବିଭିନ୍ନ ସ୍ଥାନରେ ପାଣି ଗଳୁଥିବା ଦେଖାଯାଉଛି । ବର୍ଷା ହେଲେ ବିଶେଷକରି ମନ୍ଦିରର ପୂର୍ବ ଓ ଉତ୍ତର ପାର୍ଶ୍ୱରେ ଥିବା ପ୍ରବେଶ ଦ୍ଵାର ଗୁମୁଟ ଓ ମନ୍ଦିର ଗର୍ଭଗୃହ ସଂଲଗ୍ନ ଦକ୍ଷିଣ ପ୍ରସ୍ତର ଦ୍ଵାର ଉପର ଛାତରୁ ଅବିଶ୍ରାନ୍ତ ପାଣି ଗଳୁଛି । ପାଣି ଗଳିବା ଯୋଗୁଁ ମନ୍ଦିରର ଛାତରେ ଥିବା ପୁରୁଣା କାଠ ବିମ୍ ନଷ୍ଟ ହେବାକୁ ଲାଗିଲାଣି ।ଏହି ପାଣି ଗଲିବା ଦ୍ବାରା ମୁଖ୍ୟମନ୍ଦିର ଗର୍ଭଗୃହ ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି । ବାରମ୍ବାର ଅଭିଯୋଗ ସତ୍ବେ ଦେବୋତ୍ତର ବିଭାଗ କୌଣସି ପଦକ୍ଷେପ ନେଉନଥିବା ସ୍ଥାନୀୟ ବୁଦ୍ଧିଜୀବୀ ଓ ସେବକ ସମାକ ପକ୍ଷରୁ ଅଭିଯୋଗ ହୋଇଛି । ସରକାର ତୁରନ୍ତ ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ କହିଛନ୍ତି ସେବକ ସମାଜର ସଭ୍ୟ କମଳ ଲୋଚନ ଦୀକ୍ଷିତ ଓ ମହେନ୍ଦ୍ର ଦୀକ୍ଷିତ।
ମା ମଙ୍ଗଳା ମନ୍ଦିରର ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ତତ୍କାଳୀନ ସରକାର ୧୦ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ । ଓବିସିସି ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ ପାଇଁ ଆରମ୍ଭ କରିଥିଲେ ମଧ୍ୟ କାର୍ଯ୍ୟରେ ବିଳମ୍ବ ଯୋଗୁଁ ମନ୍ଦିର ଗୁମୁଟ ମରାମତି କାର୍ଯ୍ୟ ହୋଇପାରିନାହିଁ । ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗର ବୈଷୟିକ ଟିମ୍ ସର୍ଭେ କରିଛନ୍ତି । ଓ ବି ସି ସିର ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ପାଣି ଗଳିବା ସମ୍ପର୍କରେ ଅବଗତ କରାଯାଇଛି । ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୌଳାସ ଦାସ କହିଛନ୍ତି ।
ମା ମଙ୍ଗଳାଙ୍କ ଦର୍ଶନ ପାଇଁ ମନ୍ଦିରକୁ ଦୈନନ୍ଦିନ ହଜାର ହଜାର ଶ୍ରଦ୍ଧାଳୁ ଆସୁଥିବା ବେଳେ ଏହି ପ୍ରାଚୀନ ମନ୍ଦିରରୁ ପାଣି ଗଳିବା ଘଟଣା ଭକ୍ତଙ୍କ ଭାବନା ଉପରେ କୁଠାରଘାତ ସଦୃଶ ହୋଇଛି । ସରକାର ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନେଲେ ଏହି ପ୍ରାଚୀନ ମନ୍ଦିର ପ୍ରତି ଯେ ମହାବିପଦ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)