• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆସିଲା ନୂଆ ଅବକାରୀ ନୀତି । ବନ୍ଦ ହେଲା ଡାନ୍ସ ବାର୍, ଖୋଲିବନି ନୂଆ ମଦ ଦୋକାନ । ଗ୍ରାମାଞ୍ଚଳରେ ବାର୍‌କୁ ମିଳିବନି ଅନୁମତି । କେବଳ ଥ୍ରୀ-ଷ୍ଟାରରୁ ଅଧିକ ହୋଟେଲ୍‌କୁ ବାର୍ ଅନୁମତି ମିଳିବ । ବାର୍‌ରେ ନାଚ ଉପରେ ରୋକ୍ ଲାଗିଥିବା ବେଳେ ମହିଳାମାନେ କିନ୍ତୁ ଗୀତ ପରିବେଷଣ କରିପାରିବେ । ସବୁଠୁ ବଡ଼ କଥା ହେଲା ପ୍ରଥମ ଥର ପାଇଁ ନିଶା ବିରୋଧୀ ସଚେତନତା ପାଇଁ ୧୦୦ କୋଟି ଟଙ୍କାର ପାଣ୍ଠି ଗଠନ କରାଯାଇଛି । ଗାଁରୁ ଆରମ୍ଭ କରି ସହରାଞ୍ଚଳ ଯାଏ ସବୁଠି ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯିବ । ସେହିପରି ଭାଙ୍ଗ, ତାଡ଼ି ଓ ପୋଚ ପାଇଁ ବି ନିୟମ କଡାକଡି କରାଯାଇଛି । ବିନା ଅନୁମତିରେ ବିକ୍ରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।

ଅନ୍ୟପକ୍ଷରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପେସା ଆଇନକୁ କଡାକଡି ଲାଗୁ କରାଯିବାକୁ ନିର୍ଦ୍ଦେଶ ରହିଛି । ଆସନ୍ତାକାଲିଠାରୁ ୨୦୨୫ ମାର୍ଚ୍ଚ ୩୧ ଯାଏ ଏହି ଅବକାରୀ ନୀତି ବଳବତ୍ତର ରହିବ । ନୂଆ ଅବକାରୀ ନୀତିରେ ସରକାର ନିଶା କାରବାରକୁ ନିୟନ୍ତ୍ରଣ କରିବାକୁ ଅନେକ ପଦକ୍ଷେପ ନେଇଥିବା କହିଛନ୍ତି ପୂର୍ବତନ ଅବକାରୀ କମିଶନର ।

ସେପଟେ ଅବକାରୀ ନୀତି ଆସିବା ପରେ ତେଜିଛି ରାଜନୀତି । ବିଜେଡି ଓ କଂଗ୍ରେସ, ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି । ବିଜେଡି କହିଛି, ବିଜେପି ସରକାର ନିଶା ମୁକ୍ତ ଓଡ଼ିଶା ଗଠନ ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ତାହା ହେଲାନାହିଁ । ସରକାର ଆଗାମୀ ଦିନରେ ମଦର ବନ୍ୟା ସୃଷ୍ଟି କରିବେ । କଂଗ୍ରେସ୍ କହିଛି, ଅବକାରୀ ନୀତିରେ ମଦ ତଥା ଅନ୍ୟ ନିଶା ସାମଗ୍ରୀକୁ ପ୍ରୋତ୍ସାହନ ଦେଇଛନ୍ତି ସରକାର । ଜବାବରେ ବିଜେପି କହିଛି, ନିଶାକୁ ନିୟନ୍ତ୍ରଣ କରିବାକୁ ପଲିସି ଆସିଛି । ଧୀରେ ଧୀରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବେ ସରକାର ।

ବିଧାନସଭାର ତଥ୍ୟ ଅନୁଯାୟୀ, ୧୯୯୨ ରୁ ୨୦୧୯ ଭିତରେ ବିଷାକ୍ତ ମଦ ନେଇଛି ୨୩୧ ମୁଣ୍ଡ । ମଦ ମୃତ୍ୟୁ ରୋକିବାକୁ ଅବକାରୀ ନୀତିରେ ଅନେକ ସଂସ୍କାର ଅଣାଯାଇଛି । ଅନ୍ୟପଟେ ନବୀକରଣ କରି ନଥିବା ୫୦ରୁ ଅଧିକ ବାର୍‌କୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦେଇଛନ୍ତି ସରକାର । ସହରାଞ୍ଚଳରେ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନରୁ ୩୦୦ ମିଟର ଓ ଗ୍ରାମାଞ୍ଚଳରେ ୫୦୦ ମିଟର ପରିଧିରେ ଯେପରି ମଦ ଦୋକାନ ନରହିବ ସେଥିପାଇଁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଏହାବ୍ୟତୀତ ରାଜ୍ୟର ୧୬ଟି ସ୍ଥାନରେ ୨୫ଟି ନୂଆ ଅବକାରୀ ଥାନା ଖୋଲିବା ପାଇଁ ସବୁ ଅବକାରୀ ଅଧୀକ୍ଷକଙ୍କୁ ଚିଠି ଲେଖିଛି ଅବକାରୀ ନିର୍ଦ୍ଦେଶାଳୟ ।

  • Reported by:
  • JAGDISH DAS , SOUMYA RANJAN SAHOO , ATULYA BOUT

OTV is now on Whatsapp

Join and get latest news update delivered to you via whatsapp

Join Now