/odishatv-khabar/media/post_attachments/uploadimage/library/16_9/16_9_0/Flood_1726593408.jpg)
Flood
ରାତି ୧୦ଟାରେ ହଠାତ୍ ମାଡିଆସିଲା ପାଣି। ତାପରଠୁ ଯିଏ ଯେଉଁଠି ଥିଲେ ସେଇଠି ଜଳବନ୍ଦୀ। ବାହାରେ ଅଣ୍ଟାଏ ପାଣି। ଘରୁ ବାହାରିବା ମୁସ୍କିଲ । ସୁବର୍ଣ୍ଣରେଖାର ପ୍ରଥମ ବନ୍ୟାଜଳ ବୁଡାଇ ଦେଇଛି ଉତ୍ତର ବାଲେଶ୍ୱରକୁ। ଇଏ ବାଲିଆପାଳ ବ୍ଲକ୍ ବିଷ୍ଣୁପୁର ପଂଚାୟତର ରସଲପୁର ଗାଁ। ରାସ୍ତା ଉପରେ ଚାଲିଛି ୪ ଫୁଟର ପାଣି । ଗାଁରେ ୩ଶହରୁ ଅଧିକ ଲୋକ ଏବେ ବନ୍ୟା ପାଣି ଘେରରେ।
ସୁବର୍ଣ୍ଣରେଖା ବନ୍ୟା ଜଳରେ ବୁଡିଛି ନହରା, ନାଚିନ୍ଦ, ଆରୁହାବୃତ୍ତି, କୁମ୍ଭୀର ଗଡି ଓ କୁସୁଡା ପଂଚାୟତ ସହ ୨୫ଟି ଛୋଟ ବଡ ଗାଁ। ସ୍କୁଲରେ ପଶିଛି ପାଣି। ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ଜଳ ମାଡିଯାଇଛି। ସେପଟେ ଉବୁଟୁବୁ ହେଲାଣି ଜଳେଶ୍ୱର, ବସ୍ତା ଓ ଭୋଗରାଇର ଅନେକ ପଂଚାୟତ। ଧିରେ ଧିରେ ଗୋଟିଏ ପରେ ଗୋଟିଏ ଗାଁକୁ ଆୟତ୍ତକୁ ନେଉଛି ବନ୍ୟା ପାଣି। ବୁଢ଼ାବଳଙ୍ଗ ବି ଫୁଲିବାରେ ଲାଗିଛି। ଯାହାର ପ୍ରଭାବ ପଡିଛି ସଦର ବ୍ଲକ ଉପରେ। ବଇଞ୍ଚା, ଶିନ୍ଧିଆ, ବୁଆଁଳ ପଞ୍ଚାୟତର ଅନେକ ଗାଁ ଏବେ ସମ୍ପୂର୍ଣ୍ଣ ଜଳବନ୍ଦୀ। ବନ୍ୟା ପ୍ରଭାବିତଙ୍କ ପାଇଁ ଗାଁରେ ଡଙ୍ଗା ଚାଲିଛି। ଜରୁରୀ ସାମଗ୍ରୀ ଆଣିବା ସହ ଗୃହପାଳିତ ପଶୁଙ୍କୁ ବି ଏଥିରେ ସାନାନ୍ତର କରାଯାଉଛି।
ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଙ୍କେତ ଉପରେ ଜଳକା। ଜଳେଶ୍ବର ବ୍ଲକ୍ ରାଜଘାଟ ଠାରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ୧୦.୭୦ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ। ସେହିପରି ଜଳକାର ବିପଦ ସଂକେତ ୬.୫୦ ମିଟର ଥିବା ବେଳେ ଏବେ ଜଳସ୍ତର ରହିଛି ୬.୬୭ ମିଟର। ଫଳରେ ଆତଙ୍କିତ ହୋଇପଡିଛନ୍ତି ନଦୀ କୂଳିଆ ଲୋକ।
ଜଳକାର ଉପରମୁଣ୍ଡରେ ପଡୋଶୀ ମୟୁରଭଞ୍ଜରେ ବି ପ୍ରବଳ ବର୍ଷା ଲାଗି ରହିଛି। ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା ଓ ଚିତ୍ରଡା ଅଞ୍ଚଳରେ ବୃଦ୍ଧି ପାଉଛି ନଦୀର ଜଳସ୍ତର। ଲଗାଣ ବର୍ଷା ଯୋଗୁଁ ନଦୀରେ ବନ୍ୟା ପାଣି ଆସି ବଡ଼ସାହି ବ୍ଲକ୍ ଭିମଦା ପଞ୍ଚାୟତର ଚେଙ୍ଗୁଆ ମଙ୍ଗଳପୁର ବନ୍ଧର ଆଡି ବନ୍ଧ ଭାଙ୍ଗିଯାଇଛି। ଫଳରେ ଶହ ଶହ ହେକ୍ଟର ହେକ୍ଟର ଜମିରେ ପାଣି ମାଡିଯାଇଛି। ୨୫ଫୁଟରୁ ଅଧିକ ଏହି ଘାଇରେ ବାଲିବସ୍ତା ପକାଇ ପାଣି ଅଟକାଇବାକୁ ଉଦ୍ୟମ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)