ପ୍ରଥମେ ଭଲ ରାସ୍ତାକୁ ଖରାପ ଦେଖାଇ ଟଙ୍କା ଅଣାଯାଏ । ପରେ ରାସ୍ତା ଉପରେ ଅଦରକାରୀ ଭାବେ ପିଚୁ ପକାଯାଏ । ଆଉ ଭଲ ରାସ୍ତାକୁ ଖରାପ କରି ଲକ୍ଷ ଲକ୍ଷ ଟଙ୍କାର ହୁଏ ହରିଲୁଟ୍ । କଦର୍ଯ୍ୟ ରାସ୍ତାରେ ପଡ଼ି ଜନସାଧାରଣଙ୍କ ଜୀବନ ଯାଏ କିନ୍ତୁ ଏପଟେ ଗରମ ହୁଏ ସରକାରୀ ବାବୁ ମାନଙ୍କ ପକେଟ୍। ବଲାଙ୍ଗିର ଭାଗିରଥି ଛକରୁ ସର୍କିଟ ହାଉସ ପର୍ଯ୍ୟନ୍ତ ଥିବା ପାଖାପାଖି ଦେଢ କିଲୋମିଟରର ରାସ୍ତାର କିଛି ଏଭଳି ଅବସ୍ଥା । ଭି.ଆଇ.ପି ରୋଡ୍ ଭାବେ ଜଣାଶୁଣା ଥିବା ଏହି ରାସ୍ତା ତିଆରି ପାଇଁ ଖର୍ଚ୍ଚ ହୋଇଥିଲା ପ୍ରାୟ ପାଞ୍ଚ କୋଟି ଟଙ୍କା ।
Also Read
ଅଧିକ ପଢ଼ନ୍ତୁ: ପାନ ଦୋକାନରେ ଗଞ୍ଜେଇ କାରବାର, ନିଶା ବେପାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା କ୍ରାଇମ୍ ୟୁନିଟ୍
ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ବି ରାସ୍ତା ଭଲ ଅଛି । କିନ୍ତୁ ସ୍ଥାନ ସ୍ଥାନରେ ପୂର୍ତ୍ତ ବିଭାଗର ହରିଲୁଟ୍ ଯୋଜନାରେ ବିଗିଡିଯାଇଛି ରାସ୍ତାର ହାଲ । ଗତ ଚାରିମାସ ତଳେ ପକାଯାଇଥିବା ପିଚୁ ଉଠି ଖାଲ ଖମାରେ ଭର୍ତ୍ତି ହେଲାଣି । ସେଥିପାଇଁ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଛି । ହେଲେ କାହିଁକି ଓ କ’ଣ ପାଇଁ ଭଲ ଥିବା ରାସ୍ତାରେ ପ୍ୟାଚ୍ ପକାଇଛି ପୂର୍ତ୍ତ ବଭାଗ ? ଠିକାଦାର ପୋଷିବା ପାଇଁ, ନା ଠିକାଦାରଙ୍କ ମାଧ୍ୟମରେ ବଟି ଅସୁଲି ପାଇଁ ? ଏପରି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ କାଉନସିଲର ଓ ସାଧାରଣ ଲୋକ ।
ଗତ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ପୂର୍ବରୁ, ମଉକା ଦେଖି ଚଉକା ମାରିଥିଲା ପୂର୍ତ୍ତ ବିଭାଗ। ରାତି ଅଧିଆ ପ୍ୟାଚ୍ ପକା କାମ ହୋଇଥିଲା । କେବଳ ଗୋଡି ମିଶା ପିଚୁକୁ ଢାଳି ଦିଆଗଲା । ନା ରୋଲିଂ ହେଲା ନା ଲେବେଲିଂ। ଆଉ ଭଲ ଥିବା ସମତୁଳ ରାସ୍ତା ହୋଇଗଲା ଆବଡା ଖାବଡା । ପ୍ରୋଟୋକଲ ଅନୁଯାୟୀ, ଭି.ଆଇ.ପି ରାସ୍ତାରେ ଖାଲ ଢିପ ରହିବ ନାହିଁ। କିନ୍ତୁ ଏଠି ଏହାକୁ ଖୋଲା ଖୋଲି ଉଲ୍ଲଘଂନ କରାଯାଉଛି। ତେବେ ଏନେଇ ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ।