Advertisment

ଗୃହ ବିଭାଗ ଚାର୍ଜଫ୍ରେମରେ ସାଂଘାତିକ ତଥ୍ୟ; ଜଗଦ୍ଦେବଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୁଟ୍ଟେ !

ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଡି.ଏସ୍. କୁଟ୍ଟେ ! ନିର୍ବାଚନ ବେଳେ ବିଜେପି ବିଜ୍ଞାପନକୁ ଅନୁମତି ନଦେବାକୁ ପକାଉ ଥିଲେ ଚାପ ! ତୃତୀୟ ମହଲାରୁ ଫୋନ୍ କରି ଅଧିକାରୀଙ୍କୁ କରୁଥିଲେ ପ୍ରଭାବିତ !

author-image
Sujit kumar Swain
undefined

IPS Officers DS Kuttey

ପାଣ୍ଡିଆନଙ୍କ ଘନିଷ୍ଠ କୁହଯାଉଥିବା ଦୁଇ IPS ଅଧିକାରୀ D.S.କୁଟ୍ଟେ ଏବଂ ଆଶିଷ ସିଂ ବିରୋଧରେ ଗୃହ ବିଭାଗର ଚାର୍ଜଫ୍ରେମରୁ ଆସିଛି ସାଙ୍ଘାତିକ ଅଭିଯୋଗ। କେମିତି ତୃତୀୟ ମହଲାରୁ ଜିଲ୍ଲାପାଳ ଓ ଏସପିଙ୍କୁ ଫୋନ କରି ନିର୍ବାଚନକୁ ପ୍ରଭାବିତ କରୁଥିଲେ କୁଟ୍ଟେ, ଏମିତି କି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫୋନ କରି ବିଜେପି ବିଜ୍ଞାପନକୁ ଅନୁମତି ନଦେବାକୁ ଚାପ ପକାଇବାକୁ ପଛାଉ ନଥିଲେ। ୩୦ ଦିନ ଭିତରେ ଏହି ଅଭିଯୋଗ ଉପରେ ଉତ୍ତର ରଖିବାକୁ କୁହାଯାଇଥିବା ବେଳେ ଅପେକ୍ଷା ସରକାର କଣ କାର୍ଯ୍ୟନୁଷ୍ଠାନ ନେଉଛନ୍ତି।

Advertisment

ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଡି.ଏସ୍. କୁଟ୍ଟେ ! ନିର୍ବାଚନ ବେଳେ ବିଜେପି ବିଜ୍ଞାପନକୁ ଅନୁମତି ନଦେବାକୁ ପକାଉ ଥିଲେ ଚାପ ! ତୃତୀୟ ମହଲାରୁ ଫୋନ୍ କରି ଅଧିକାରୀଙ୍କୁ କରୁଥିଲେ ପ୍ରଭାବିତ ! ସେହିପରି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଥାଇ ଆଇପିଏସ୍ ଆଶିଷ ସିଂ ବି ମିଥ୍ୟା ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟି ନେଇଥିଲେ । ଏଭଳି ସାଂଘାତିକ ଅଭିଯୋଗ ନେଇ ପାଣ୍ଡିଆନଙ୍କ ଖାସ୍ ସହଯୋଗୀ ଦୁଇ IPS କୁଟ୍ଟେ ଓ ଆଶିଷ ସିଂଙ୍କ ବିରୋଧରେ ଚାର୍ଜଫ୍ରେମ୍ କରିଛି ଗୃହ ବିଭାଗ ।

ଯେଉଁଥିରେ ଉଲ୍ଲେଖ ରହିଛି, ମେ ୨୫ ନିର୍ବାଚନ ଦିନ କୁଟ୍ଟେ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ପୋଲିସ ଅଧିକାରୀଙ୍କୁ ଫୋନ ଯୋଗେ ଜଣେ ପ୍ରାର୍ଥୀଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯଦିଓ ଚାର୍ଜଫ୍ରେମରେ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁ ଉଲ୍ଲେଖ ହୋଇନି, କିନ୍ତୁ ସେଦିନ EVM ଭାଙ୍ଗିବା ମିଛ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଏହା ସହ ମେ ୨୪ରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫୋନ୍ ଯୋଗେ ବିଜେପିର ବିଜ୍ଞାପନକୁ ଅନୁମତି ନଦେବାକୁ ଚାପ ପକାଇଥିଲେ ବୋଲି ଦଳ ଅଭିଯୋଗ କରିଛି। ଗୁରୁତ୍ବପୂର୍ଣ୍ଣ ହେଉଛି ତହିଁଆର ଦିନ କିନ୍ତୁ ରତ୍ନଭଣ୍ଡାର ସଂପର୍କିତ ବିଜେପିର ବିଜ୍ଞାପନ ଖବରକାଗଜରେ ପ୍ରକାଶିତ ହୋଇଥିଲା। 

Advertisment

ତେବେ କୁଟ୍ଟେ ସରକାରୀ ପଦବିରେ ରହି ନିର୍ବାଚନକୁ ପ୍ରଭାବିତ କରିବା ଅଲ୍ ଇଣ୍ଡିଆ ସର୍ଭିସେସ୍ କଣ୍ଡକ୍ଟ ରୁଲସ ଏବଂ ନିର୍ବାଚନ ଆଦର୍ଶ ଆଚରଣ ଵିଧିର ଉଲ୍ଲଘଂନ ବୋଲି ଚାର୍ଜଫ୍ରେମରେ ଉଲ୍ଲେଖ ରହିଛି। ସେହିପରି ଆଶିଷ ସିଂ ମିଥ୍ୟା ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇବା ଅଲ୍ ଇଣ୍ଡିଆ ସର୍ଭିସେସ୍ କଣ୍ଡକ୍ଟ ରୁଲ-୩ ର ଉଲ୍ଲଂଘନ ବୋଲି ଦର୍ଶଯାଇଛି। ଯାହାକୁ ତେଜିଛି ରାଜନୀତି। ବିଜେପି କହିଛି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଏ ଦୁଇ ଅଧିକାରୀ ନିର୍ବାଚନ କାର୍ଯ୍ୟରେ ଲିପ୍ତ ଥିଲେ। ସେମାନଙ୍କ ସହ ଆଉ କେଉଁମାନେ ବିଜେଡି ପାଇଁ କାମ କରୁଥିଲେ ସେନେଇ ବି ସରକାର ତଥ୍ୟ ସଂଗ୍ରହ କରୁଛନ୍ତି। ଅନ୍ୟପଟେ ବିଜେଡି କହିଛି, ରାଜନୈତିକ ଆକ୍ରୋଶ ରଖି ଏଭଳି ଅଭିଯୋଗ ହୋଇଛି।

ନିର୍ବାଚନ ବେଳେ ପ୍ରାଥମିକ ପ୍ରମାଣ ପାଇବା ପରେ ଏହି ଦୁଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଥିଲେ ନିର୍ବାଚନ କମିଶନ। କୁଟ୍ଟେଙ୍କୁ ନିଲମ୍ବନ କରି ଦିଲ୍ଲୀ ରେସିଡେଣ୍ଟ କମିଶନରଙ୍କ ଅଫିସକୁ ପଠାଇଥିଲେ। ସେହିପରି ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଏମ୍ସର ଏକ କମିଟି ଦ୍ୱାରା ଯାଞ୍ଚ କରାଯାଇଥିଲା। ନିର୍ବଚନ ପରେ ଉଭୟଙ୍କୁ ପୁନଃ ଅବସ୍ଥାପିତ ସହ ଦୁହିଁଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ। ପରେ ଦୁଇ ଅଧିକାରୀଙ୍କୁ ଗୃହ ବିଭାଗ OSD ଭାବେ ନିଯୁକ୍ତ କରିବା ସହ ପ୍ରକ୍ରିୟା ଆରମ୍ଭ କରିଛି ଗୃହ ବିଭାଗ। ଏମିତି କି ଚାଜଫ୍ରେମ୍ ବାବଦରେ ୩୦ ଦିନ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି। ସନ୍ତୋଷଜନକ ଉତ୍ତର ନଦେଲେ କାର୍ଯ୍ୟାନୁଷ୍ଠାନ ବି ହୋଇପାରେ। ପୂର୍ବତନ ପ୍ରଶାସକଙ୍କ ମତରେ ଯଦି ଅଭିଯୋଗ ପ୍ରମାଣିତ ହୁଏ, ତାହେଲେ ପ୍ରମୋସନ ବନ୍ଦ, ପଦ ଅବନତି କିମ୍ବା ଚାକିରି ବି ଯାଇପାରେ।

IPS Officer
Advertisment
Advertisment