KIIT Case: 'ଯୌନ ଶୋଷଣର ଶିକାର ହୋଇଥିଲେ ନେପାଳୀ ଛାତ୍ରୀ, ୧୧ ମାସ ପୂର୍ବରୁ କରିଥିଲେ ଅଭିଯୋଗ'

ଯୌନ ଶୋଷଣର ଶିକାର ହୋଇଥିଲେ ନେପାଳୀ ଛାତ୍ରୀ । ଏନେଇ ସେ ଆତ୍ମହତ୍ୟାର ୧୧ ମାସ ପୂର୍ବରୁ କିଟ୍‌ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ । କଂଗ୍ରେସ ବିଧାୟକଙ୍କ ପ୍ରଶ୍ନରେ ଏହି ଲିଖିତ ଉତ୍ତର ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।

କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା

କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ ଆସିଲା ବଡ଼ ଅପଡଟ୍ । ଯୌନ ଶୋଷଣର ଶିକାର ହୋଇଥିଲେ ମୃତା ଛାତ୍ରୀ ।  ଆତ୍ମହତ୍ୟାର ୧୧ ମାସ ପୂର୍ବରୁ ସେ ଯୌନ ନିର୍ଯାତନା ସମ୍ପର୍କରେ କିଟ୍‌ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ । ୨୦୨୪ ମାର୍ଚ୍ଚ ୧୨ ତାରିଖରେ ଏହି ଅଭିଯୋଗ ହୋଇଥିଲା । କିଟ୍ ଛାତ୍ରୀ ମୃତ୍ୟୁ ମାମଲାକୁ ନେଇ ଆଜି ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

କିଟ୍‌ ଛାତ୍ରୀ ମୃତ୍ୟୁ ମାମଲାରେ କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ମନ୍ତ୍ରୀଙ୍କ ସୂଚନା ମୁତାବକ, ଆତ୍ମହତ୍ୟାର ୧୧ ମାସ ପୂର୍ବରୁ ମୃତ ଛାତ୍ରୀ ଜଣକ ଯୌନ ଶୋଷଣ ସମ୍ପର୍କରେ କିଟ୍ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ କରିଥିଲେ । ଏନେଇ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟି ତଦନ୍ତ ଜାରି ରଖିଛି । ଏଯାବତ୍ ୧୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି । ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଆସିନାହିଁ, ତଦନ୍ତ ଚାଲୁ ରହିଛି । ଫେବ୍ରୁଆରୀ ୨୧ରେ ୮ ଜଣ, ୨୭ ତାରିଖରେ ୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି । ମାର୍ଚ୍ଚ ୬ ତାରିଖରେ ୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି ।

ଅଧିକ ପଢ଼ନ୍ତୁ: କୁଆଡ଼େ ଗଲା କିଟ୍ ତଦନ୍ତ ରିପୋର୍ଟ ? ମାସେ ପରେ ବି ସ୍ଥିତି ଅସ୍ପଷ୍ଟ

ଏଠାରେ ଉଲ୍ଲେଖଯୋଗ୍ୟ, କିଟ୍ କ୍ୟାମ୍ପସରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ଫେବ୍ରୁଆରୀ ୧୮ରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ ରାଜ୍ୟ ସରକାର । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି କିଟ୍‌କୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ପୂର୍ବରୁ ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଲିଖିତ ଉତ୍ତର ଅନୁସାରେ ଏହି କମିଟି ୩ଟି ପର୍ଯ୍ୟାୟରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ କୁଳପତିଙ୍କ ସହ ୧୭ ଜଣ ଅଧିକାରୀ ଏବଂ ୩ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପଚରାଉଚରା କରିଛି । କିନ୍ତୁ ଏ ଯାଏଁ ତଦନ୍ତ କେଉଁଠି ପହଞ୍ଚିଲା, କେବେ ସରକାରଙ୍କୁ ରିପୋର୍ଟ ଦେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନଥିବା ବେଳେ ଏବେ ବି ତଦନ୍ତ ଜାରି ରହିଥିବା ଆଜି ଜଣାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।
 
ଏସବୁ ଭିତରେ NHRCର ଏକ ଟିମ୍ ଗତ ୬ ତାରିଖରେ ଓଡ଼ିଶା ଆସି, କିଟ୍ ସଂପର୍କିତ ତଦନ୍ତ କରି ଫେରିଯାଇଛି । ତେବେ ଟିମ୍ କ’ଣ ରିପୋର୍ଟ ଦେଲା ସେ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ । 

ଅଧିକ ପଢ଼ନ୍ତୁ: କେତେ ସୁରକ୍ଷିତ ବସ୍‌ରେ ସ୍କୁଲ୍ ଯାଉଥିବା କଅଁଳ ଭବିଷ୍ୟତ ?