Advertisment

Puri Stampede: କାଠଗଡ଼ାରେ ପ୍ରଶାସନ ଓ ପୋଲିସ୍, ଛୁଟି ଦିନରେ ଭିଡ଼ ନିୟନ୍ତ୍ରଣକୁ ନେଇ ବଢ଼ିଲା ଚିନ୍ତା

ଏତେ ସଂଖ୍ୟାରେ ଭକ୍ତ ଆସୁଥିବା କଥା କେମିତି ଜାଣି ପାରିଲାନି ପ୍ରଶାସନ ? ଶରଧାବାଲିରେ ରଥ ଡ୍ୟୁଟିରେ ଥିବା ସୁରକ୍ଷା କର୍ମୀ ଓ ଅଧିକାରୀ କେମିତି ଭିଡ଼ ଛାଡ଼ି ପଳାଇଲେ ? ଡ୍ରୋନ୍ କ୍ୟାମେରାରେ ସୂଚନା କୁଆଡ଼େ ଗଲା ? ଖାଲି ସେତିକି ନୁହେଁ ରଥ ଉପରେ ଠାକୁରମାନଙ୍କ ରାତ୍ର ପହୁଡ଼ ପରେ ମଙ୍ଗଳ ଆଳତିରେ ବି ଦୀର୍ଘ ସମୟ ବ୍ୟବଧାନକୁ ଅଘଟଣର ଅନ୍ୟ ଏକ କାରଣ ବୋଲି ଦର୍ଶାଯାଉଛି ।

author-image
Tapan Kumar Swain
Stampede

Stampede

ଶରଧାବାଲି ଦଳଚକଟା ଅଘଟଣରୁ ବଡ଼ ଶିକ୍ଷା ପାଇଲା ତ ପୁରୀ ପ୍ରଶାସନ ଓ ପୋଲିସ୍ ? ଟ୍ରାଫିକ୍ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନରେ ଫେଲ୍ ମାରିଥିବାର ପ୍ରମାଣ ପଦାକୁ ଆସିବା ପରେ ଏବେ ପ୍ରଶ୍ନ ଆଗକୁ ବି ଶନିବାର-ରବିବାର ଭଳି ଛୁଟି ଦିନରେ ପଡୁଥିବା ବାହୁଡ଼ା ଯାତ୍ରା ଓ ସୁନାବେଶ ଚ୍ୟାଲେଞ୍ଜକୁ କେମିତି କରିବ ମୁକାବିଲା। ଭକ୍ତ ଓ ସେବାୟତ ସମସ୍ତେ ସିଧାସଳଖ ପରିଚାଳନାଗତ ଅପାରଗତାକୁ ଦାୟୀ କରିଥିବାବେଳେ ପୋଲିସ୍ କହିଛି ଏ ତ୍ରୁଟି ଆଗକୁ ହେବନି।

Advertisment

ରଥଯାତ୍ରା ଆଗ ଦିନ ଖୋଦ୍ ଟ୍ରାଫିକ୍ ଏଡିଜିଙ୍କ ବାହସ୍ପୋଟ କୁଆଡ଼େ ଗଲା ? ରବିବାର ରାତିତମାମ ପୁରୀକୁ ଗାଡ଼ି ଧାଡ଼ି ଲାଗିଥିଲା । ରଥାରୂଢ଼ ଦିଅଁଙ୍କୁ ଦର୍ଶନ ପାଇଁ ଶରଧାବାଲିକୁ ଭକ୍ତଙ୍କ ସୁଅ ଛୁଟିଥିଲା । ହେଲେ ଟ୍ରାଫିକ୍ ଦାୟିତ୍ବରେ ଥିବା ପୋଲିସ ବାବୁମାନଙ୍କ ପାଖରେ କେମତି ଏ ଖବର ନଥିଲା ?

ଶହ ଶହ ଏଆଇ କ୍ୟାମେରା ଫିଡକୁ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ସେଣ୍ଟରରେ ସେମାନେ ନିରିଖେଇ ଦେଖୁଥିଲେ ନା ଶୋଇ ଯାଇଥିଲେ ? ଗୁଣ୍ଡିଚା ମନ୍ଦିର ଆଗରେ ଦଳାଚକଟା ଅଘଟଣ ପରେ ଏବେ ଉଠିଛି ଏଭଳି ମାଳ ମାଳ ପ୍ରଶ୍ନ।

Advertisment

ଭକ୍ତ ହୁଅନ୍ତୁ କି ସେବାୟତ, ସମସ୍ତେ ସିଧାସଳଖ ପୋଲିସ ଓ ପ୍ରଶାସନର ଅପାରଗତାକୁ ଦାୟୀ କରିଛନ୍ତି। ବରିଷ୍ଠ ସେବାୟତଙ୍କ ଅଭିଯୋଗ - ଏତେ ସଂଖ୍ୟାରେ ଭକ୍ତ ଆସୁଥିବା କଥା କେମିତି ଜାଣି ପାରିଲାନି ପ୍ରଶାସନ ? ଶରଧାବାଲିରେ ରଥ ଡ୍ୟୁଟିରେ ଥିବା ସୁରକ୍ଷା କର୍ମୀ ଓ ଅଧିକାରୀ କେମିତି ଭିଡ଼ ଛାଡ଼ି ପଳାଇଲେ ? ଡ୍ରୋନ୍ କ୍ୟାମେରାରେ ସୂଚନା କୁଆଡ଼େ ଗଲା ? ଖାଲି ସେତିକି ନୁହେଁ ରଥ ଉପରେ ଠାକୁରମାନଙ୍କ ରାତ୍ର ପହୁଡ଼ ପରେ ମଙ୍ଗଳ ଆଳତିରେ ବି ଦୀର୍ଘ ସମୟ ବ୍ୟବଧାନକୁ ଅଘଟଣର ଅନ୍ୟ ଏକ କାରଣ ବୋଲି ଦର୍ଶାଇଛନ୍ତି ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର। ସେ କହିଛନ୍ତି ରାତି ୧୨ଟା ୧୫ରେ ପହୁଡ଼ ହେଲା, ଯଦି ଶ୍ରୀମନ୍ଦିର ପରିଚାଳନା କମିଟି ଥାନ୍ତା, ତାହାଲେ ସମନ୍ବୟ ରଖାଯାଇ ଭକ୍ତଙ୍କ ମାତ୍ରାଧିକ ସଂଖ୍ୟାକୁ ଦେଖି ଘଣ୍ଟାଏ ଭିତରେ ମଙ୍ଗଳଆଳତି କରାଯିବାକୁ ନିଷ୍ପତ୍ତି ନିଆଯାଇ ପାରିଥାନ୍ତା। ଯଦ୍ବାରା ରଥ ଆଗରେ ଭକ୍ତ ବସିନଥାନ୍ତେ, କି ଦଳାଚକଟା ହୋଇନଥାନ୍ତା।

ଦଳାଚକଟା ଘଣ୍ଟାଚକଟା ଭିତରେ ଏକଥା ମଧ୍ୟ ସାମ୍ନାକୁ ଆସିଛି- ଯେଉଁଦିନ ଭୋରରେ ଅଘଟଣ ଘଟିଲା, ସେଦିନ ଥିଲା ରବିବାର। ଛୁଟିଦିନ ଥିବାରୁ ଲକ୍ଷ ଲକ୍ଷ ଭକ୍ତ ରଥାରୂଢ଼ ଠାକୁରଙ୍କୁ ଦର୍ଶନ ଲାଗି ପୁରୀ ମୁହାଁ ହୋଇଥିଲେ ଓ ରଥ ଆଗରେ ଗହଳି ଲଗାଇଥିଲେ। ତେଣୁ ସେଥିରୁ ପ୍ରଶାସନ ବଡ଼ ଶିକ୍ଷା ନେବା ଦରକାର, ଯେହେତୁ ଆଗକୁ ଶନିବାର ବାହୁଡ଼ାଯାତ୍ରା ଓ ରବିବାର ସୁନା ବେଶ ପଡୁଛି, ସେ ଦୁଇଦିନ ବି ରଥଭଳି ଭିଡ଼ ହେବା ନିଶ୍ଚିତ। ତେଣୁ ଏବେଠୁ ପ୍ରଶାସନ ଚେତିବା ଦରକାର। ତାସହ ପ୍ରଶ୍ନ ଉଠିଛି ରବିବାରର ଅଘଟଣ ପରେ ଗାଡ଼ିରେ ପୁରୀ ଯାଉଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଗତକାଲି ଭୁବନେଶ୍ବରରେ ବିଭିନ୍ନ ଛକରେ ଡାକବାଜି ଯନ୍ତ୍ର ଏବଂ ଓଡ଼ିଶା ପୋଲିସର ସୋସିଆଲ୍ ମିଡିଆ ଏକ୍ସରେ ପୁରୀରେ ଭିଡ଼ ଥିବାର କହି ସାବଧାନ କରୁଥିବା ପୋଲିସ୍ ମୁଣ୍ଡରେ ଆଗରୁ କାହିଁକି ଏ ବୁଦ୍ଧି ପଶିନଥିଲା। ତେଣେ ଆଜି ପୁରୀରେ ସ୍ଥିତି ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତଥା ପୂର୍ବତନ ଡିଜିପି କହିଛନ୍ତି- ବାହୁଡ଼ାରୁ ନୀଳାଦ୍ରିବିଜେ ଯାଏଁ ସବୁ ଶୃଙ୍ଖଳିତ ହେବ, ପୁରୀର ନୂଆ ଜିଲ୍ଲାପାଳ ଓ ଏସପି ଦକ୍ଷତାର ସହ କାର୍ଯ୍ୟ ତୁଲାଇବେ। ସେହିପରି ତ୍ରୁଟି ସୁଧାରି ଆଗକୁ ନୀତିକାନ୍ତି ଓ ଦର୍ଶନ ଶୃଙ୍ଖଳିତ କରିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି ନୂଆ ପୁରୀ ଏସପି। ଭକ୍ତ ବି କହିଲେଣି, ବାହୁଡ଼ା ପାଇଁ ଏବେଠୁ ଯତ୍ନବାନ ହେବା ଜରୁରୀ।

ଏବେ ଦେଖିବାର କଥା, ବାହୁଡ଼ା ଓ ସୁନାବେଶ ବେଳେ ମାତ୍ରାଧିକ ଟ୍ରାଫିକ୍ ଓ ଦର୍ଶନାର୍ଥୀଙ୍କ ଭିଡ଼ ଚ୍ୟାଲେଞ୍ଜକୁ କିଭଳି ମୁକାବିଲା କରୁଛି ପୋଲିସ୍ ଓ ପ୍ରଶାସନ ।

Puri Police Ratha Yatra Puri Odisha Stampede
Advertisment
Advertisment